ରାହୁଲ, ମାୟାବତୀ ଏବଂ ଅଖିଳେଶଙ୍କ ସମେତ ୩,୦୦୦ ଲୋକଙ୍କୁ ଆରଏସ୍‍ଏସ୍‍ର ନିମନ୍ତ୍ରଣ

0

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‍ଏସ) ନିଜର ଏକ ତିନି ଦିନିଆ କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଏସ୍‍ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ବିଏସ୍‍ପି ନେତ୍ରୀ ମାୟାବତୀଙ୍କ ସମେତ ଦେଶର ପ୍ରାୟ ୩୦୦୦ ପ୍ରମୁଖ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଛି। ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ରାଜନୈତିକ, ସାମାଜିକ, ଧାର୍ମିକ, ସଂଖ୍ୟାଲଘୁ ନେତାଙ୍କ ସମେତ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅଛନ୍ତି। ନୂଆଦିଲ୍ଲୀର ବିଜ୍ଞାନଭବନରେ ସେପ୍ଟେମ୍ବର ୧୭ରୁ ୧୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆରଏସ୍‍ଏସ୍‍ ମୁଖ୍ୟ ମୋହନ ଭାଗବତ ସବୁ ବର୍ଗର ପ୍ରମୁଖ ନେତାଙ୍କ ସହ ଆଲୋଚନା କରିବେ। ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଆଞ୍ଚଳିକ ଦଳ ସମେତ ସମସ୍ତ ରାଜନୈତିକ ଦଳର ଲୋକ ଅନ୍ତର୍ଭୁକ୍ତ ଅଛନ୍ତି ବୋଲି ସଂଘ ସୂତ୍ରରୁ ପ୍ରକାଶ। ବିଶେଷ ସୂଚନା ଅନୁସାରେ ‘ଭବିଷ୍ୟତର ଭାରତ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦୃଷ୍ଟିକୋଣ’ ଶୀର୍ଷକ କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, ସିପିଏମ୍‍ ମହାସଚିବ ସୀତାରାମ ୟେଚୁରୀ, ମମତା ବାନାର୍ଜୀ, ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନ୍ୟ ଆଞ୍ଚଳିକ ଦଳର ନେତାଙ୍କୁ ନିମନ୍ତ୍ରିତ କରାଯାଇଛି। ଏହି ୩ ଦିବସିୟ କାର୍ଯ୍ୟକ୍ରମରେ ପ୍ରାୟ ୮୦୦ରୁ ୧୦୦୦ ଲୋକ ଯୋଗଦେବେ ବୋଲି ସଂଘ ଆଶା ରଖିଛି। ପୂର୍ବରୁ ଆରଏସ୍‍ଏସ୍‍ ପକ୍ଷରୁ ନିମନ୍ତ୍ରଣ ପାଇଁ ନେତା ଓ ପ୍ରମୁଖ ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି କ୍ରମରେ ନିମନ୍ତ୍ରଣ କରାଯାଉଛି। ତେବେ ସଂଘ ପକ୍ଷରୁ ନିମନ୍ତ୍ରିତ ଅତିଥିଙ୍କ ନାମ ପ୍ରଘଟ କରାଯାଇ ନାହିଁ। କୌଣସି ନେତା କାର୍ଯ୍ୟକ୍ରମରେ ଯୋଗ ନ ଦେଲେ ବିବାଦ ସୃଷ୍ଟି ହେବାର ଆଶଙ୍କା ଥିବାରୁ ସଂଘ ନିମନ୍ତ୍ରିତ ଅତିଥିଙ୍କ ନାମ ପ୍ରଘଟ କରିବନାହିଁ ବୋଲି କହିଛି। ଏହି କାର୍ଯ୍ୟକମକୁ ବିଭିନ୍ନ ଧର୍ମର ଲୋକଙ୍କୁ ନିମନ୍ତ୍ରିତ କରାଯାଇଥିବା ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ଜାତୀୟତା, ଦେଶପ୍ରେମ, ମହିଳା ସଶକ୍ତିକରଣ, ଜାତି, ଜାତୀୟ ନାଗରିକ ପଞ୍ଜିକରଣ ଏବଂ ଜାମ୍ମୁ କାଶ୍ମୀର ବିବାଦ ଭଳି ପ୍ରସଙ୍ଗରେ ଆଲୋଚନା କରାଯିବ।

Leave A Reply