ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ଯୁଦ୍ଧ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପରେ ସବୁଠାରୁ ଅଧିକ ଭୟଙ୍କର ଶରଣାର୍ଥୀ ସଂକଟ ସୃଷ୍ଟି କରିଥିବା ଜାତିସଂଘ ଶରଣାର୍ଥୀ ସଂସ୍ଥା ପ୍ରକାଶ କରିଛି। ଏହି ସଂସ୍ଥା କହିଛି ଯେ ପୋଲାଣ୍ଡ, ରୋମାନିଆ, ମାଲ୍ଡୋବା, ହଙ୍ଗେରୀ, ସ୍ଲୋବାକିଆ ଏପରିକି ରୁଷ୍କୁ ଯେଉଁଭଳି ଭାବେ ଶରଣାର୍ଥୀଙ୍କର ସୁଅ ଛୁଟୁଛି, ପୂର୍ବରୁ କେବେ ଏଭଳି ଘଟି ନ ଥିଲା। ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୩୦ଲକ୍ଷ ୮୭ ହଜାର ଶରଣାର୍ଥୀ ସେହିସବୁ ଦେଶରେ ପହଞ୍ଚିଛନ୍ତି।
ଯେପର୍ଯ୍ୟନ୍ତ କୌଣସି ରାଜନୈତିକ ସମାଧାନ ବାହାର କରାଯାଇ ନାହିଁ, ସେପର୍ଯ୍ୟନ୍ତ ଶରଣାର୍ଥୀମାନଙ୍କର ସମସ୍ୟା ଦୂର ହେବ ନାହିଁ ବୋଲି ପୋଲାଣ୍ଡରେ ୟୁଏନଏଚଆରସି ଅଧିକାରୀ ଆଲେକ୍ସ ମଣ୍ଡ୍ କହିଛନ୍ତି। ଦେଶାନ୍ତରଣ ସଂକ୍ରାନ୍ତ ଆନ୍ତର୍ଜାତିକ ସଂଗଠନ ଆଇଓଏନର ଆକଳନ ଅନୁଯାୟୀ ୟୁକ୍ରେନ୍ରୁ ଏପର୍ଯ୍ୟନ୍ତ ୬୫ ଲକ୍ଷ ଲୋକ ସେମାନଙ୍କର ଘର ଛାଡ଼ି ପଳାୟନ କରିଛନ୍ତି। କିନ୍ତୁ ସେମାନେ ଦେଶ ମଧ୍ୟରେ ବିଭିନ୍ନ ସ୍ଥାନରେ ରହିଛନ୍ତି। ଏହି ସଂଗଠନ କହିଛି ଯେ ଆଉ ୧ କୋଟି ୨୦ ଲକ୍ଷ ଲୋକ ଯୁଦ୍ଧ ଲାଗିଥିବା ସ୍ଥାନଗୁଡ଼ିକରେ ଅଟକି ରହିଛନ୍ତି କିମ୍ବା ନିଜ ଘର ଛାଡ଼ି ଯିବାକୁ ସେମାନେ ଚାହୁଁ ନାହାନ୍ତି।



