ଲାଞ୍ଜିଗଡ: ସ୍ୱାଧୀନତାର ୭୦ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ଭଲ ରାସ୍ତା । ଯାତାୟତ ପାଇଁ ଭଲ ରାସ୍ତାଟିଏ ନିର୍ମାଣ କରିବାକୁ ବର୍ଷ ବର୍ଷ ଧରି ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ପ୍ରଶାସନର ଅଣଦେଖା ନୀତି ଯୋଗୁଁ ରସ୍ତାକୁ ଓହ୍ଲାଇଛନ୍ତି ଲୋକେ । ଏଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବାତେଲିମା ପଞ୍ଚାୟତର । ଲୋକମାନେ ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ କରିବାକୁ ଦାବି କରି ରବିବାର ବାତେଲିମା ଠାରୁ ନିଆଳି ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ଅବରୋଧ କରିଥିଲେ। ଯାହା ଫଳରେ ମୁଖ୍ୟ ରାସ୍ତାରେ ପ୍ରାୟ ୭ ଘଣ୍ଟା କାଳ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଥିଲା। ଖବର ପାଇ ବାତେଲିମା ସରପଞ୍ଚ କରୁଣା ମାଝୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।
ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁସାରେ ବାତେଲିମା ପଞ୍ଚାୟତକୁ ୪ ଗୋଟି ଆର୍ ଡି ରାସ୍ତା ସଂଯୋଗ କରୁଥିବା ବେଳେ ବାତେଲିମା- ନିଆଳି,ବାତେଲିମା-କଂସାରୀ, ବାତେଲିମା-ସିନ୍ଧିବାହିଲି, ବାତେଲିମା-ଲାଞ୍ଜିଗଡ ସଂଯୋଗ କରୁଥିବା ଆର୍ ଡି ରାସ୍ତାଟି ବର୍ଷ ବର୍ଷ ଧରି ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। ଯାହା ଫଳରେ ପଞ୍ଚାୟତକୁ ଆମ୍ବୁଲାନ୍ସ ଯିବା କଷ୍ଟକର ହୋଇପଡ଼ିଥିବା ବେଳେ ଗୁରୁତର ରୋଗୀ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଡାକ୍ତରଖାନା ନେବା ସମ୍ଭବ ହେଉନାହିଁ। ଏହାକୁ ନେଇ ବ୍ଲକ ,ଜିଲ୍ଲା ପ୍ରଶାସନ ଓ ରାଜନେତା ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଯୋଗୁଁ ଲୋକାମାନେ ରାସ୍ତା ଅବରୋଧ କରିଥିଲେ। ଆଗାମୀ ସାତ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେଲେ ପୁଣି ରାଜରାସ୍ତାକୁ ଓଲ୍ଲାଇବା ସହିତ ବ୍ଲକ କାର୍ୟ୍ୟାଳୟରେ ଧାରଣା ଦେବାକୁ ଚେତାବନୀ ଦିଆଯାଇଛି ।


