ଜୀବନ ଜୀବିକାକୁ ନେଇ ସଂଘର୍ଷରତ ରିକ୍ସା ଚାଳକ

ସମ୍ବଲପୁର: ଏକଦା ରାଜକୀୟ ସବାରି ରୂପେ ପରିଚିତ, ଓଲିଓଡ ଓ ବଲିଉଡରେ ରିକ୍ସା କୁ ନେଇ ଗୀତ ଓ ଅନ୍ୟାନ୍ୟ ଚିତ୍ରର ଭିତ୍ତିଭୂମି ସାଜିଥିବା ସମସ୍ତଙ୍କ ପ୍ରିୟ ଥିବା ରିକ୍ସା ଓ ରିକ୍ସା ଚାଳକ ଏବେ ଜୀବନ ଜୀବିକାକୁ ନେଇ ସଂଘର୍ଷରତ ଅଟେ। ଆଜିର ଦ୍ରୃତ ପ୍ରତିଯୋଗିତାର ଦୁନିଆରେ ନିଜର ପରିବାର ତଥା ଜୀବନ ଜୀବିକା କୁ ବଞ୍ଚାଇବା ପାଇଁ ପ୍ରତିଦିନ ରିକ୍ସା ଚାଳକ ସଂଘର୍ଷରତ। ବର୍ତ୍ତମାନର ବ୍ୟସ୍ତ ବହୁଳ ଦୁନିଆରେ ସମସ୍ତଙ୍କୁ ନିଜ କାର୍ଯ୍ୟ ତୁରନ୍ତ ଓ ଶିଘ୍ର କରିବା ପାଇଁ ଇଚ୍ଛା। ଏଥି ପାଇଁ ଲୋକେ ନିଜ କାମ କରିବା ପାଇଁ ଯେଉଁ ଯାନବାହନ ବ୍ୟବହାର କରିଲେ ଶିଘ୍ର କାର୍ଯ୍ୟ ହେବ ସେଭଳି ଯାନବାହାନକୁ ପ୍ରାଥମିକତା ଦେଇ ଉପଯୋଗ କରୁଛନ୍ତି।

ପୂର୍ବରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହର ମଧ୍ୟରେ ଯାତାୟାତ ପାଇଁ ରିକ୍ସ୍‌‌ା ପ୍ରଥମ ପସନ୍ଦ ସହିତ ପ୍ରମୁଖ ସାଧନ ଥିଲା। ଏହା ସୁବିଧା, ନିରାପଦ ଓ କମ ଖର୍ଚ୍ଚରେ ମିଳୁଥିବାରୁ ରିକ୍ସାରେ ଯାତ୍ରା ପାଇଁ ଲୋକେ ବେଶ ପସନ୍ଦ କରୁଥିଲେ। ଏଥି ପାଇଁ ଅନେକ ବ୍ୟକ୍ତି ବହୁ ଗୁଡିଏ ରିକ୍ସା ଆଣି ତାକୁ ଭଡା ସୂତ୍ରରେ ଦେଇ ରୋଜଗାରର ଜରିଆ ମଧ୍ୟ କରିଥିବାର ନଜୀର ରହିଛି। ତେବେ ସମୟର ସହିତ ଯୁଗ ବଦଳିବା ଦ୍ୱାରା ରିକ୍ସା ବ୍ୟବହାରର ଚାହିଦା ଦିନକୁ ଦିନ କ୍ଷିପ୍ର ଗତିରେ ନିମ୍ନଗାମୀ ହେବାରେ ଲାଗିଛି। ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ରୂପେ ପରିଚିତ ସମ୍ବଲପୁର ସହରରେ ଏକଦା ହଜାର ରୁ ରିକ୍ସା ବ୍ୟବହାର ହେଉଥିବା ବେଳେ ଏବେ ଏହା ହାତଗଣତି ସଂଖ୍ୟାରେ ସୀମିତ ହୋଇ ରହି ଯାଇଛି। ପୂର୍ବରୁ ପଶ୍ଚିମ ଓଡ଼ିଶାର ଅନେକ ଜିଲାର ବ୍ୟକ୍ତି ମାନେ ଭଲ ରୋଜଗାର ଆଶାରେ ସମ୍ବଲପୁରକୁ ଆସି ରିକ୍ସା ଚଳାଇ ପରିବାର ଭରଣପୋଷଣ କରୁଥିଲେ। କିନ୍ତୁ ସମୟର ଗତି ତୁଳନାରେ ରିକ୍ସାର ଗତି ଧିମା ଥିବାରୁ ଏବେ ଲୋକେ ସହରରେ ଚାଲୁଥିବା ସିଟି ବସ ଓ ଅଟୋ ରିକ୍ସାକୁ ପ୍ରାଥମିକତା ଦେଉଛନ୍ତି। ଏଣୁ ଏହାର ପ୍ରତିକୂଳ ପ୍ରଭାବ ରିକ୍ସା ଓ ଚାଳକ ମାନଙ୍କ ଉପରେ ପଡୁଛି। ଏବେ ପୂର୍ବ ପରି ଆଉ ଲୋକେ ରିକ୍ସାରେ ଯାତାୟାତ ପାଇଁ ଆଗ୍ରହ କରୁ ନ ଥିବା ବେଳେ ରିକ୍ସା ଚାଳକ ମାନେ ଜଣେ ଗ୍ରାହକଙ୍କ ଆସିବା ବାଟକୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାହିଁ ବସୁଛନ୍ତି।

ଏ ସର୍ମ୍ପକରେ ଦେବଗଡ଼ ଜିଲା ନିବାସୀ ରିକ୍ସା ଚାଳକ ସୁରୁ ନାୟକ କହିଛନ୍ତି ଯେ, ବିଗତ ପ୍ରାୟ ୩୫ ବର୍ଷ ହେବ ସେ ସମ୍ବଲପୁରକୁ ଆସି ରିକ୍ସା ଚାଳକ ପେଶାକୁ ଆଦରି ନେଇଛନ୍ତି। ପୁର୍ବରୁ ରିକ୍ସାରେ ଯାତାୟାତ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ଥିବା ବେଳେ ଆଉ କେହି ଯାତାୟାତ ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ପୂର୍ବରୁ ସକାଳୁ ରାତ୍ରି ପର୍ଯ୍ୟନ୍ତ ଯାତ୍ରୀ ମିଳୁଥିବା ବେଳେ ଏବେ ସକାଳୁ ସଞ୍ଜ ଯାଏ, ୫ଟି ଯାତ୍ରୀ ମଧ୍ୟ ମିଳୁ ନାହାନ୍ତି। ବହୁ କଷ୍ଟରେ ଜୀବନ ଯାପନ କରିବାକୁ ବାଧ୍ୟ ହେଉଛୁ। ଏଣୁ ସରକାର ଆମର କିଛି ସାହାଯ୍ୟ କଲେ ବାକି ଥିବା ଜୀବନ ବଞ୍ଚିଯିବୁ ବୋଲି ରିକ୍ସା ଚାଳକ ସୁରୁ ନାୟକ କହିଛନ୍ତି। କୁମ୍ଭାରପଡ଼ା ନିବାସୀ ତଥା ପୂର୍ବରୁ ରିକ୍ସା ମେକାନିକ ଥିବା ଅବଦୁଲ ଗଫାର କହିଛନ୍ତି ଯେ, ପୂର୍ବରୁ ହଜାରରୁ ଅଧିକ ରିକ୍ସା ଥିବା ବେଳେ ସେଗୁଡିକର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ମୁଁ ମେକାନିକ ବୃତ୍ତିକୁ ଆଦରୀ ନେଇଥିଲି। ତେବେ ଅଟୋ ଓ ସିଟି ବସର ବ୍ୟାପକ ପ୍ରଚଳନ ପରେ ରିକ୍ସା ର ଆଦର କମିଯିବାରୁ ବହୁ ରିକ୍ସା ଚାଳକ ଅନ୍ୟ ବୃତ୍ତିକୁ ସ୍ଥାନାନ୍ତରିତ ହୋଇଯିବାରୁ ସଂଖ୍ୟା ଧିରେ ଧିରେ ସହରରେ କମି ଯାଉଛି। ଏଣୁ ପରିବାର ପୋଷଣ କରିବାକୁ ମୁଁ ଏବେ ସାଇକେଲ ମେକାନିକ ଭାବରେ କାର୍ଯ୍ୟ କରୁଛି ବୋଲି ରିକ୍ସା ମେକାନିକ ଅବଦୁଲ ଗଫାର କହିଛନ୍ତି।

ପରିସ୍ଥିତି ଏପରି ହୋଇଛି ଯେ, ପରିବାର ଚଳାଇବା ଅସମ୍ଭାଳ ହୋଇ ପଡୁଥିବାରୁ ଧିରେ ଧିରେ ଶତାଧିକ ରିକ୍ସା ଚାଳକ ଓ ରିକ୍ସା ମରାମତି ମେକାନିକ ମାନେ ଏହି ପେସାରୁ ଦୂରେଇ ଯାଇ ଅନ୍ୟ ପେସାକୁ ଯାଇ ସାରିଲେଣି। ଅନ୍ୟ ପକ୍ଷରୁ ସରକାର ସବୁ ବର୍ଗର ଲୋକଙ୍କ ପାଇଁ ଚିନ୍ତା କରୁ ଅନେକ ଯୋଜନା ଗୁଡିକ କାର୍ଯ୍ୟକାରୀ କରିଥିବା ବେଳେ ରିକ୍ସା ଚାଳକ ମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିଲେ ସେମାନଙ୍କର ମୁହଁରେ ହସ ଫୁଟିପାରନ୍ତା। ନଚେତ ବହୁ ଶିଘ୍ର ରିକ୍ସା ଇତିହାସର ଗର୍ଭରେ ଲୀନ ହୋଇଯିବ, ସେଥିରେ କୌଣସି ଦ୍ୱିମତ ନାହିଁ।

Comments are closed.