ଆଇଟି ଉତ୍ପାଦ ଓ ସେବା ବ୍ୟବସାୟରେ ବୈପ୍ଳବିକ ପରିବର୍ତନ

ଅନ୍‌ଲାଇନ୍‌ରେ ଦେଖିବା, ଷ୍ଟୋର୍‌ରୁ କିଣିବା

ଭୁବନେଶ୍ୱର: ଆମେ ଏଭଳି ଏକ ଯୁଗରେ ବାସ କରୁଛନ୍ତି ଯେଉଁଠାରେ ଆମ ଜୀବନର ପ୍ରତିଟି ଦିଗକୁ ପ୍ରଯୁକ୍ତି ପ୍ରଭାବିତ କରୁଛି । ସେଥିପାଇଁ ଆଇଟି ଉତ୍ପାଦ ଓ ସେବାର ଚାହିଦାରେ ବଡ଼ ଧରଣର ବୃଦ୍ଧି ଘଟିଛି । ଲୋକମାନେ ଜିନିଷ କିଣିବା ଲାଗି ଏବେ ବିଶ୍ୱାସ୍ୟଯୋଗ୍ୟ ସ୍ଥାନ ଖୋଜୁଛନ୍ତି । ଗ୍ରାହକମାନଙ୍କ ସେହି ଭାବନା ଅନୁସାରେ ଆଇଟି ଉତ୍ପାଦ କିଣାକିଣିରେ ଏବେ ବୈପ୍ଳବିକ ପରିବର୍ତନ ପରିଲକ୍ଷିତ ହୋଇଛି । ଲୋକମାନେ ଅନଲାଇନ୍‌ରେ ବିଭିନ୍ନ ସାମଗ୍ରୀକୁ ଦେଖୁଛନ୍ତି ଏବଂ ସେହି ଜିନିଷକୁ ନିକଟତମ ଷ୍ଟୋର୍‌ରୁ କିଣିବାକୁ ପସନ୍ଦ କରୁଛନ୍ତି ।
ଅନଲାଇନ୍‌ ସପିଙ୍ଗ୍‌ ଯଦିଓ ସହଜ କିନ୍ତୁ ସେଥିରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବାର ସୁଯୋଗ ରହୁନାହିଁ । ଏକ ଆତ୍ମିୟତାର ଭାବର ଅଭାବ ରହିଛି । ପ୍ରତ୍ୟକ୍ଷ ଭାବେ ଜିନିଷକୁ ଦେଖିବା, ସ୍ପର୍ଶ କରିବା ଓ ତାହାର ଅନୁଭବ ହାସଲ କରିବାକୁ ନେଇ ଚିନ୍ତା ରହୁଥିବା ବେଳେ ବିକ୍ରି ପରବର୍ତୀ ସେବା ଓ ବିଭିନ୍ନ ପ୍ରକାର ଠକେଇ ମଧ୍ୟ ଅନ୍ୟତମ ଚିନ୍ତାର କାରଣ । ସେଥିପାଇଁ ଓଡ଼ିଶା ଆଇଟି ସଂଘ (ଇଟାଓ) ପକ୍ଷରୁ ଆସନ୍ତା ଅକ୍ଟୋବର ୫-୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜନ କରାଯାଉଥିବା ଆଇଟି ଏକ୍ସପୋ ୨୦୨୩ର ବିଷୟବସ୍ତୁ ରଖାଯାଇଛି “ଡିସ୍‌କଭର ଅନଲାଇନ୍‌, ଏକ୍ସପେରିଏନ୍ସ ଅଫ୍‌ଲାଇନ୍‌ (ଅନଲାଇନ୍‌ରେ ଦେଖନ୍ତୁ, ଅଫଲାଇନ୍‌ରେ ଅନୁଭବ ହାସଲ କରନ୍ତୁ) । ଏଥି ସହିତ ଏହି ସମୟ ମଧ୍ୟରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା ରହିଛି ।
କୋଭିଡ୍‌ ମହାମାରୀ ସମୟରେ ଦୋକାନ ବଜାର ବନ୍ଦ ରହିବା ଓ ଗମନାଗମନ ଉପରେ କଟକଣା ଲାଗିବାରୁ ଲୋକମାନେ ଅନଲାଇନ୍‌ରେ କିଣାକିଣି କରିବାକୁ ବାଧ୍ୟ ହୋଇଥିଲେ । ମାତ୍ର ଏବେ ସେହି ସ୍ଥିତି ନାହିଁ । ପୁଣି ଥରେ ଲୋକମାନେ ପ୍ରତ୍ୟକ୍ଷ ଭାବେ ଷ୍ଟୋର୍‌ ପରିଦର୍ଶନ କରି ମନ ପସନ୍ଦର ଜିନିଷ କିଣିବାକୁ ପସନ୍ଦ କରୁଛନ୍ତି । ଷ୍ଟୋର୍‌ କିମ୍ବା ସୋ’ରୁମ୍‌ରୁ କିଣାକିଣି କରୁଥିବା ଗ୍ରାହକମାନେ ମାନସିକ ଶାନ୍ତି ପାଉଥିବା ବେଳେ ଅଧିକ ସୁରକ୍ଷିତ ଓ ସନ୍ତୋଷଜନକ ସପିଙ୍ଗ ଅନୁଭୂତି ହାସଲ କରୁଛନ୍ତି ।
ଅନଲାଇନ୍‌ କିଣାକିଣି ତୁଳନାରେ ଷ୍ଟୋର୍‌ରୁ କିଣିବାର ଅନେକ ଲାଭ ରହିଛି । ପ୍ରଥମତଃ ଷ୍ଟୋର୍‌ରୁ କିଣିବା ବେଳେ ଆମେ କେଉଁ ଜିନିଷ କିଣୁଛନ୍ତି ତାହାକୁ ଦେଖିପାରିବା, ତାହା କିଭଳି କାମ କରୁଛି ଜାଣିପାରିବା । ଷ୍ଟୋର୍‌ରେ ଥିବା ଟେକ୍ନିସିଆନ ଆମକୁ ସବୁ କିଛି ବୁଝାଇପାରିବେ । ଲାପ୍‌ଟପ୍‌ଠାରୁ ଆରମ୍ଭ କରି ସ୍ମାର୍ଟଫୋନ୍‌ ପର୍ଯ୍ୟନ୍ତ ସବୁ କିଛିର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିହେବ । ଦ୍ୱିତୀୟ ବଡ଼ କଥାଟି ହେଉଛି ନିଜ ଅଂଚଳରୁ ଜିନିଷ କିଣିବେ ସେଥିରେ ଯଦି କିଛି ସମସ୍ୟା ଦେଖାଦିଏ ବିଶେଷ ଚିନ୍ତା କରିବାକୁ ପଡ଼େ ନାହିଁ । କିଣିଥିବା ଦୋକାନରେ ପହଂଚିଗଲେ ବିକ୍ରି ପରବର୍ତୀ ସେବା ଅତି ସହଜରେ ମିଳିଯାଏ । ଯେହେତୁ ଦୋକାନ କେଉଁଠାରେ ରାତାରାତି ଉଭାନ ହୋଇଯିବ ନାହଁ ତେଣୁ ସେଠାରୁ କିଣିବେ ନିରାପଦ କିଣାକିଣିର ଏକ ଭାବନା ମନରେ ରହିବ ।

Comments are closed.