ପଞ୍ଚକ ଓ ବଡଓଷା ଯାତ୍ରା ପାଇଁ ସମୀକ୍ଷା ବୈଠକ -ଧବଳେଶ୍ୱର ସାଇକେଲ ଷ୍ଟାଣ୍ଡକୁ ନେଇ ଘନଉଛି ବିବାଦ

ଗୁରୁଡିଝାଟିଆ – ଆସନ୍ତା ସପ୍ତାହର ୨୩ ତାରିଖରୁ ପ୍ରଭୂ ଧବଳେଶ୍ୱର ଙ୍କ ପଞ୍ଚ ଓ ବଡଓଷା ଯାତ୍ରା ଅନୁଷ୍ଠିତ ହେବ । ଲକ୍ଷଲକ୍ଷ ଭକ୍ତଙ୍କ ସମାଗମରେ ପୀଠ ଭକ୍ତାରଣ୍ୟ ହୋଇଉଠିବ । ଶ୍ରଦ୍ଧାଳୁଙ୍କୁ ସୁରୁଖୁରୁରେ ଦର୍ଶନ କରାଇ ଫେରାଇଦେବା ନିମନ୍ତେ ପୀଠ ଓ ପୀଠର ପ୍ରବେଶପଥ ଆଦି କ୍ଷେତ୍ରରେ ସୁଦୃଢ ବ୍ୟାରିକେଟ ନିର୍ମାଣ ଚାଲୁରହିଛି । ପଞ୍ଚର ଅବ୍ୟବହିତ ପୂର୍ବରୁ ପରିମଳ, ପାନୀୟଜଳ ଆଲୋକିକରଣ, ସ୍ୱାସ୍ଥ୍ୟସେବା, ଶୃଙ୍ଖଳିତ ଦର୍ଶନ ଆଦି କାର୍ଯ୍ୟ ସାଙ୍ଗକୁ ରାସ୍ତାଘାଟ ମରାମତି କାର୍ଯ୍ୟ ର ଅଗ୍ରଗତି ସଂପର୍କରେ ଆଜି ଏକ ସମୀକ୍ଷା ବୈଠକ ପୀଠ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯଥା ରାସ୍ତା ଓ କୋଠାବାଡି, ଗ୍ରାମ୍ୟ ଉନ୍ନୟନ, ପାନୀୟଜଳ ଓ ପରିମଳ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍‌, ପୋଲିସ, ଫାୟାର, ଓଡ୍ରାଫ୍ଟ ବିଭାଗର ଅଧିକାରୀଙ୍କ ସହିତ ସ୍ୱେଚ୍ଚାସେବୀ ସଂଗଠନର କର୍ମକର୍ତ୍ତା ଓ ପୂଜକ ସମିିତିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଅଗ୍ରଗତି ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ । ଏପରିକି ନିର୍ମାଣଧିନ ବ୍ୟାରିକେଟରେ କଂକ୍ରିଟସେତୁ ଠାରୁ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁମାନଙ୍କ ପଥକୁ ବୁଲିଦେଖିôଥିଲେ । ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ତରାଇ ଓ ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକଙ୍କୁଉପସ୍ଥିତ ପୂଜକ ସମିତିର କର୍ମକର୍ତ୍ତାମାନେ ବ୍ୟାରିକେଟର ନିର୍ମାଣ ଶୈଳୀ ଓ ଶ୍ରଦ୍ଧାଳୁମାନଙ୍କ ଯିବା ଆସିବା ପଥ ସଂପର୍କରେ ଆବଶ୍ୟକ ସୁପଦକ୍ଷେପ ସଂପର୍କରେ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ କହିଥିଲେ । ଏହି ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ଶ୍ରୀ ତରାଇ, ଏସଡିପିଓ ଶ୍ରୀ ନାୟକ, ଆଠଗଡ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ, ଗୁରୁଡିଝାଟିଆ ଥାନା ଅଧିକାରୀ ସୁମନ୍ତ କିସାନ, ଧବଳେଶ୍ୱର ପୂଜକ ସମିତି ସଭାପତି ବିଷ୍ଣୁଚରଣ ପତ୍ରୀ, ସଂପାଦକ ନରେନ୍ଦ୍ର କୁମାର ପଣ୍ଡା, ପୂଜକ ଅଜୟ କୁମାର ପତ୍ରୀ, ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ପଞ୍ଚକ ଓ ବଡଓଷା ଯାତ୍ରା ସମୟରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ପାଇଁ ପୀଠକୁ ଆସିବେ । ହେଲେ ଧବଳେଶ୍ୱର ସାଇକେଲ ଷ୍ଟାଣ୍ଡକୁ ନେଇ ଏବେ ବିବାଦ ଗନେଇବାକୁ ଲାଗିଛି । ଏପରିକି ଗତକାଲି ରାତିରେ କଂକ୍ରିଟସେତୁ ପ୍ରବେଶପଥ ନିକଟରେ ଥିବା କେତେକ ଦୋକାନର ବେଞ୍ଚ ଓ ପାଲ ଇତ୍ୟାଦି ଚିରି ଦେଇଥିଲେ । ଘଟଣାସ୍ଥଳରେ ଗୁରୁଡିଝାଟିଆ ପୋଲିସ ଆସି ପହଞ୍ଚିବା ଫଳରେ ଯୁବକମାନେ ପଳାଇଥିଲେ । ପ୍ରକାଶଯୋଗ୍ୟ ଚଳିତବର୍ଷ ଆଠଗଡ ଦେବୋତ୍ତର କାର୍ଯ୍ୟାଳୟ ତତଫରୁ ସାଇକେଲଷ୍ଟାଣ୍ଡ ନିଲାମ କରାଯାଇଥିଲା । ଷ୍ଟାଣ୍ଡକୁ ମଞ୍ଚେଶ୍ୱର ଗ୍ରାମର ତଥା ଧବଳେଶ୍ୱର ପୂଜକ ସମିତିର ସଂପାଦକ ନରେନ୍ଦ୍ର କୁମାର ପଣ୍ଡା ନିଲାମଧାରୀ ଭାବେ ଆଣିଛନ୍ତି । ଏବେ ଦୈନିକ ଶ୍ରଦ୍ଧାଳୁଙ୍କ ସଂଖ୍ୟା କାର୍ତ୍ତିକମାସରେ ବୃଦ୍ଧି ପାଉଛି । ଗତ ଦୁଇଦିନ ତଳେ ଶ୍ରଦ୍ଧାଳୁଙ୍କ ଅହେତୁକ ଭିଡ ହୋଇଥିବାରୁ ଏହା ପଞ୍ଚକର ଭ୍ରମ ସୃଷ୍ଟି କରିଥିଲା । କିନ୍ତୁ ଏବେ ସାଇକେଲ ଷ୍ଟାଣ୍ଡ ନେଇଥିବା ବ୍ୟକ୍ତିବିଶେଷ ନିଜେ ଉପସ୍ଥିତ ରହି ମୋଟରସାଇକେଲ ,କାର ଓ ଗାଡିଗୁଡିକର ଦେବୋତ୍ତର ବିଭାଗ ପ୍ରଦାନ କରିଥିବା ଦର ଅନୁଯାୟୀ ମହାସୁଲ ଆଦାୟ ନକରି ଅନ୍ୟ ବ୍ୟକ୍ତିବିଶେଷଙ୍କୁ ସାଇକେଲଷ୍ଟାଣ୍ଡ ଦାୟିତ୍ୱ ନିର୍ବାହ କରିବା ପାଇଁ ଦାୟିତ୍ୱ ଦେଇଥିବା ଅଭିଯୋଗ ହେଉଛି । ଯେଊଁ ବ୍ୟକ୍ତିବିଶେଷ ସାଇକେଲଷ୍ଟାଣ୍ଡ ନିଲାମଧାରୀ ଠାରୁ ସାଇକେଲ ଷ୍ଟାଣ୍ଡର ମହାସୁଲ ଆଦାୟ କରିବା ଦାୟିତ୍ୱ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି ସେମାନେ ବର୍ଦ୍ଧିତ ହାରରେ ମୋଟରସାଇକେଲ, କାର ଓ ବସ ଆଦିରୁ ମହାସୁଲ ଆଦାୟ କରୁଛନ୍ତି । ଏହାକୁ ଶ୍ରଦ୍ଧାଳୁମାନେ ଗ୍ରହଣ କରିପାରୁନାହାନ୍ତି । ଏପରିକି ପୂର୍ବ ବର୍ଷମାନଙ୍କରେ ଆଠଗଡ ଦେବୋତ୍ତର ବିଭାଗରୁ ସାଇକେଲଷ୍ଟାଣ୍ଡ ନେଇଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କଣ ପାଇଁ ଚଳିତବର୍ଷ ସାଇକେଲଷ୍ଟାଣ୍ଡ ନିଲାମ ନେଇଥିବା ବ୍ୟକ୍ତିବିଶେଷ ପ୍ରତ୍ୟେକ୍ଷ ଭାବେ ସାଇକେଲଷ୍ଟାଣ୍ଡ ମହାସୁଲ ଆଦାୟ ନକରି ଅନ୍ୟ ବ୍ୟକ୍ତିବିଶେଷଙ୍କୁ ଏହାର ଦାୟିତ୍ୱ ଦେଇଛନ୍ତି ବୋଲି ଅଭିଯୋଗ କରିବାକୁ ପଛାଇନାହାନ୍ତି । ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଦାଳୁ ଆସୁଥିବାରୁ ଦେବୋତ୍ତର ବିଭାଗ ଅଧିନରେ ଥିବା ସ୍ଥାନରେ ଗାଡିମୋଟର ରଖିବା ନିମନ୍ତେ ସ୍ଥାନ ଅଭାବ ହେଉଛି । ରାସ୍ତା ପାଶ୍ୱର୍ରେ ଓ ପାଶ୍ୱର୍ ନିକଟବର୍ତ୍ତି ଖାଲିପଡିଆ ଜମିଗୁଡିକରେ ପାର୍କିଂ ବ୍ୟବସ୍ଥା ମଧ୍ୟ ପୂର୍ବବର୍ଷମାନଙ୍କରେ କରାଯାଉଥିବାରୁ ଟ୍ରାଫିକ ନିୟନ୍ତ୍ରଣ ସହିତ ଶ୍ରଦ୍ଧାଳୁମାନେ ନିଜ ଯାନବାହାନକୁ ନିରାପଦରେ ରଖି ଦର୍ଶନ କରିବାକୁ ଯାଉଥିଲେ । ହେଲେ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ହେବା ସମ୍ଭାବନା ଦେଖାଯାଉଛି କାରଣ ରାସ୍ତାକଡରେ ଥିବା ପଡିଆଜମିଗୁଡିକର ମାଲିକମାନେ ସହଯୋଗ କରୁନାହାନ୍ତି । ଏ ନେଇ ଆଜି ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ , ତସହିଲଦାର କ୍ଷେତ୍ରମୋହନ ସ୍ୱାଇଁ, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ଗୁରୁଡିଝାଟିଆ ଥାନା ଅଧିକାରୀ ସୁମନ୍ତ କିସାନ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପ୍ରିୟବ୍ରତ ସାହୁ, ସାଇକେଲଷ୍ଟାଣ୍ଡ ନିଲାମ ନେଇଥିବା ପୂଜକ ସମିତି ସଂପାଦକ ଶ୍ରୀ ପଣ୍ଡା ,ଧବଳେଶ୍ୱର ପୂଜକ ସମିତି ସଭାପତି ବିଷ୍ଣୁଚରଣ ପତ୍ରୀ, ପୂଜକ ଅଜୟ ପତ୍ରୀ, ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡାଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ସମାସ୍ୟା ସମାଧାନ ନିମନ୍ତେ ଆଲୋଚନା କରାଯାଇଥିଲା । ଆବଶ୍ୟକ ହେଲେ ଶ୍ରଦ୍ଧାଳୁମାନଙ୍କ ହୀତ ଦୃଷ୍ଟିରୁ ଟ୍ରାଫିକ ନିୟନ୍ତ୍ରଣକୁ ସ୍ୱଭାବିକ କରିବା ଓ ଭକ୍ତମାନଙ୍କ ସୁବିଧା ପାଇଁ ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ପଛାଇବେ ନାହିଁ ବୋଲି ଉପଜିଲ୍ଲାପାଳ ତଥା ଆଠଗଡ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ତରାଇ କହିଛନ୍ତି । ଏପରିକି ଗତକାଲି ରାତିରେ ରାସ୍ତାପାଶ୍ୱର୍ରେ କଂକ୍ରିଟ ସେତୁ ନିକଟରେ ଥିବା କେତେକ ଦୋକାନର ବେଞ୍ଚ ଓ ଆସବାବପତ୍ରକୁ ଭାଙ୍ଗିଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନେବା ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ତରାଇ ଥାନା ଅଧିକାରୀ ଶ୍ରୀ କିସାନଙ୍କୁ କହିଛନ୍ତି । ଏହି ଭଙ୍ଗାରୁଜାରେ କେତେକ ପୂଜକଙ୍କ ଦୋକାନର ଆସବାବପତ୍ର ନଷ୍ଟ ହୋଇଥିବା ଜଣାଯାଏ ।

Comments are closed.