ନୂଆଦିଲ୍ଳୀ: ଆସନ୍ତା ଜୁଲାଇ ମାସରୁ ଦେଶର ସମସ୍ତ ଘରୋଇ ଉଚ୍ଚଶିକ୍ଷାନୁଷ୍ଠାନରେ ଏସ୍ସି, ଏସ୍ଟି, ଓବିସି ଓ ଇଡବ୍ଲୁଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ବାଧ୍ୟତାମୂଳକ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦୀର୍ଘ ୧୨ ବର୍ଷ ତଳୁ ଏଥିପାଇଁ ସମ୍ବିଧାନରେ ସଂଶୋଧନ କରାଯାଇ ସାରିଥିଲେ ମଧ୍ୟ କାର୍ଯ୍ୟକାରୀ କରିବା ପାଇଁ ଆଇନ୍ ହୋଇ ନଥିଲା। କେବଳ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଆଇନ୍ ବଳରେ କେତେକ ଘରୋଇ ଉଚ୍ଚଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। କେନ୍ଦ୍ରୀୟ ଆଇନ୍ ଅଭାବରୁ ରାଜସ୍ଥାନ ଓ ପଶ୍ଚିମବଙ୍ଗର ଘରୋଇ ଉଚ୍ଚଶିକ୍ଷାନୁଷ୍ଠାନ ସଂରକ୍ଷଣ ବ୍ୟବସ୍ଥା ଆଦୌ କାର୍ଯ୍ୟକାରୀ ହେଉନାହିଁ। କେତେକ ରାଜ୍ୟର ସବୁ ଘରୋଇ ଉଚ୍ଚଶିକ୍ଷାନୁଷ୍ଠାନ ସଂରକ୍ଷଣ ଲାଗୁ କରୁନାହାନ୍ତି। ତେଣୁ ଦେଶର ସବୁ ଘରୋଇ ଉଚ୍ଚଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ବାଧ୍ୟତାମୂଳକ କରିବା ପାଇଁ ସଂସଦର ଆଗାମୀ ବଜେଟ୍ ଅଧିବେଶନରେ ବିଲ୍ ଆଗତ ହୋଇପାରେ। ସେହିପରି ସାଧାରଣ ବର୍ଗର ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଓ ଚାକରି କ୍ଷେତ୍ରରେ କେନ୍ଦ୍ର ସରକାର ୧୦% ସଂରକ୍ଷଣ ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ପ୍ରତି କେନ୍ଦ୍ରୀୟ ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଆସନ ସଂଖ୍ୟା ୨୫% ବୃଦ୍ଧି କରାଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଦେକର ସୂଚନା ଦେଇଛନ୍ତି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ଉପରେ ୪ ହଜାର କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। କେନ୍ଦ୍ର ସରକାର ଆଇନଗତ ପ୍ରକ୍ରିୟା ବଦଳରେ କେବଳ ପ୍ରଶାସନିକ ନିର୍ଦ୍ଦେଶ ଜରିଆରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବେ ବୋଲି ଜଣାପଡ଼ିଛି।
Popular Categories



