Patra electronics

ଏସ୍‌ସିବିରେ ଗବେଷଣା ଆରମ୍ଭ:ଜିନ୍‌ ଟେଷ୍ଟରେ ହେବ ମାନସିକ ରୋଗୀଙ୍କ ଚିକିତ୍ସା, ଶରୀରରେ ଔଷଧର ପ୍ରଭାବ ଜାଣିହେବ

କଟକ: ଏଣିକି ସହଜ ହେବ ମାନସିକ ରୋଗୀଙ୍କ ଚିକିତ୍ସା। ରୋଗୀର ଶରୀରରେ ଔଷଧର କି ପ୍ରତିକ୍ରିୟା ରହିଛି ତାହା ମଧ୍ୟ ଜାଣି ହେବ। ଏପରିକି ଆବଶ୍ୟକତା ଅନୁଯାୟୀ ଔଷଧର ମାତ୍ରା କମ ବେଶି କରିହେବ। କଟକ ବଡ଼ ଡାକ୍ତରଖାନା ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଆରମ୍ଭ ହୋଇଛି ଜିନ୍‌ ଟେଷ୍ଟ ଗବେଷଣା। ମାନସିକ ବ୍ୟାଧି ନିରୋଧକ ବା ଆଣ୍ଟିସାଇକୋଟିକ୍ ଔଷଧ ସେବନ କରୁଥିବା ସିଜୋଫ୍ରେନିଆ ରୋଗୀଙ୍କୁ ନେଇ ଏହି ଗବେଷଣା ଆରମ୍ଭ ହୋଇଛି। ଏହି ପରୀକ୍ଷଣରୁ ରୋଗୀ ଶରୀରରେ ଔଷଧର ପ୍ରଭାବ ଜାଣିହେବ। କେବଳ ମାନସିକ ରୋଗୀ ନୁହନ୍ତି ଅନ୍ୟ ରୋଗୀଙ୍କର ମଧ୍ୟ ରୋଗ ଉପଶମ କ୍ଷେତ୍ରରେ ଏହା ବେଶ୍‌ ସହାୟକ ହୋଇ ପାରିବ ବୋଲି ବିଭାଗୀୟ ଡାକ୍ତର ଅଜୟ ମିଶ୍ର କହିଛନ୍ତି।
କିଛି ରୋଗୀଙ୍କ ଶରୀରରେ ଔଷଧ ସେବନର ପ୍ରଭାବ ଶୀଘ୍ର ଦେଖିବାକୁ ମିଳୁଥିବା ବେଳେ ଆଉ କିଛି ରୋଗୀଙ୍କର ବିଳମ୍ବରେ ଦେଖିବାକୁ ମିଳିଥାଏ। ଦେଖାଯାଏ ବହୁଦିନ ଧରି ଔଷଧ ସେବନ ପରେ ମଧ୍ୟ ରୋଗ ଉପଶମ ହୋଇନଥାଏ। ବିଭିନ୍ନ ଲୋକଙ୍କ ଶରୀରରେ ଔଷଧର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରହିଥାଏ। ମାନବ ଶରୀରରେ ଔଷଧର ପ୍ରକ୍ରିୟାକରଣ ଜାଣିବା ପାଇଁ ଜିନ୍‌ ଟେଷ୍ଟ ସହାୟକ ହେବ। ଜିନ୍‌ ଷ୍ଟଡି ମାଧ୍ୟମରେ ରୋଗୀ ଶରୀରରେ ଔଷଧ ପ୍ରକ୍ରିୟାକରଣ କଣ ରହିଛି ତାହା ଜଣାପଡ଼ିବ। ଔଷଧ ପ୍ରକ୍ରିୟାକରଣ ଜାଣିବା ପାଇଁ ରୋଗୀ ଶରୀର ସାଇଟୋକ୍ରୋମ୍‌- ପି ୪୫୦ (ସିୱାଇପି ୪୫୦) ଏନଜାଇମ୍ ବ୍ୟବହାର କରାଯାଇଥାଏ। ପାଟିରୁ ଲାଳ ସଂଗ୍ରହ କରାଯାଇ ସାଇଟୋକ୍ରୋମ-ପି ଫସପଟାଇସ (ସିୱାଇପି) ପରୀକ୍ଷଣ କରାଯାଇଥାଏ। ସିୟାଇପି-୪୫୦ ପରୀକ୍ଷା ବ୍ୟବହାର କରି ରୋଗୀ ଯକୃତ କିପରି ଏକ ଔଷଧ ପ୍ରକ୍ରିୟାକରଣ (ମେଟାବୋଲାଇଜ) କରିଥାଏ ତାହା ଜାଣିବାରେ ସାହାଯ୍ୟ କରିଥାଏ। ଦ୍ରୁତ ମେଟାବୋଲାଇଜ୍ ହୋଇପାରିବ ତ କିଏ ଖରାପ ମେଟାବୋଲାଇଜ୍‌ ହୋଇଥିବ ଏହା ଜଣାପଡିବ। ସିୟାଇପି-୪୫୦ ପରୀକ୍ଷଣ ରୋଗୀ ଶରୀର ଏକ ନିର୍ଦିଷ୍ଟ ରୋଗ କିପରି ପ୍ରତିକ୍ରିୟା କରିପାରେ ସେ ସମ୍ବନ୍ଧରେ ସୂଚନା ଦେଇପାରିବ। ଏହି ପରୀକ୍ଷଣ ଅନ୍ୟ ଏନ୍‌ଜାଇମର ପରିବର୍ତ୍ତନକୁ ମଧ୍ୟ ଚିହ୍ନଟ କରିବ। ଏଥିପାଇଁ ଏସ୍‌ସିବିର କେବଳ ଆଣ୍ଟିସାଇକୋଟିକ୍ ଔଷଧ ଖାଉଥିବା ରୋଗୀଙ୍କ କ୍ଷେତ୍ରରେ ଏହି ପରୀକ୍ଷଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୨ ଜଣଙ୍କ ଲାଳ ପରୀକ୍ଷା କରାଯାଇଥିବା ବେଳେ ଆଉ ୨ ଜଣଙ୍କ ପରୀକ୍ଷା ପାଇଁ ପଠାଯାଇଛି। ଅନ୍ୟପକ୍ଷେ ଏହା ଏକ ବ୍ୟୟ ବହୁଳ ପରୀକ୍ଷା। ଗୋଟିଏ ପରୀକ୍ଷା ପାଇଁ ୧୦ରୁ ୧୪ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥିପାଇଁ ଡା. ମିଶ୍ର ନିଜ ଉଦ୍ୟମରେ ଏହି ଜିନ୍‌ ପରୀକ୍ଷଣ ଗବେଷଣା ଆରମ୍ଭ କରିଛନ୍ତି। ଡାକ୍ତର ମିଶ୍ରଙ୍କ ସମେତ ୨ ଜଣ ଫାର୍ମାକୋଲୋଜି, ଏମ୍‌ଆର୍‌ୟୁର ଜଣେ ବୈଜ୍ଞାନିକ ଓ ଦୁଇଜଣ ପିଜି ଛାତ୍ରଙ୍କୁ ମିଶାଇ ୬ ଜଣିଆ ଦଳ ଏହି ଗବେଷଣାରେ ସାମିଲ ରହିଛନ୍ତି। ଏହି ପରୀକ୍ଷଣ ଏସସିବିରେ ନଥିବା ବେଳେ ରାଜ୍ୟ ବାହାର ଏକ ସଂସ୍ଥା ସାହାଯ୍ୟରେ ଗବେଷଣା କରାଯାଉଛି। ମୁମ୍ବଇର ଏକ ଲ୍ୟାବ୍‌ରେ ଏହି ପରୀକ୍ଷଣ କରାଯାଉଛି। ଗବେଷଣା ପୂର୍ଣ୍ଣ ଫଳପ୍ରଦ ହେବା ପାଇଁ ୪୮ ଜଣ ରୋଗୀଙ୍କର ଏହିପରି ପରୀକ୍ଷା କରାଯିବ। ଏନେଇ ଡା. ମିଶ୍ର କହିଛନ୍ତି ଔଷଧ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭିନ୍ନ ଭାବରେ ପ୍ରଭାବିତ କରିପାରେ। ଏହି ଜିନ୍‌ ଟେଷ୍ଟ ମାଧ୍ୟମରେ ଏହାର ପ୍ରଭାବ ଜାଣି ହେବ। ଏହି ପରୀକ୍ଷଣ ଶେଷ ହେବା ପରେ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବୋଲି ଡା. ମିଶ୍ର କହିଛନ୍ତି।

Comments are closed.