ଜିଲାପାଳଙ୍କ ଜନ ଶୁଣାଣିରେ ସୁଭଦ୍ରା ଝଡ଼

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସୁଭଦ୍ରା ଯୋଜନାକୁ ନେଇ ମହିଳାମାନେ ହୋହଲ୍ଲା କରିଥିଲେ। ସୁଭଦ୍ରା ଝଡ଼ରେ ଶିବିର କମ୍ପିଥିଲା।
ଜନଶୁଣାଣିରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ପୂର୍ବରୁ ଭତ୍ତା ଓ ଆବାସ ଯୋଜନା ଉପରେ ମୁଖ୍ୟତଃ ଅଭିଯୋଗ ହୋଇଆସୁଥିବା ବେଳେ ସୋମବାର ସୁଭଦ୍ରା ଯୋଜନାକୁ ନେଇ ଅଧିକ ଅଭିଯୋଗ ରହିଥିଲା। ମୋଟ ୯୯ ଅଭିଯୋଗ ମଧ୍ୟରୁ ୩୨ଟି ସୁଭଦ୍ରା ଯୋଜନା ସମ୍ପର୍କିତ ଥିଲା। କିଏ ସୁଭଦ୍ରା ଯୋଜନାରୁ ବଞ୍ଚିତ ରହିଥିବା ନେଇ ଅଭିଯୋଗ କରିଥିବାବେଳେ କିଏ ପ୍ରଥମ କିସ୍ତି ପାଇ ଦ୍ଵିତୀୟ କିସ୍ତିର ଟଙ୍କା ପାଇ ନ ଥିବା, କିଏ ସୁଭଦ୍ରା ଯୋଜନାରେ ସାମିଲ ହୋଇ ମଧ୍ୟ କୌଣସି ଟଙ୍କା ପାଇ ନ ଥିବା ଅଭିଯୋଗ କରିଥିଲେ। ଅନେକ ମହିଳା ସୁଭଦ୍ରା ଯୋଜନାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଏହାର ଠିକ୍ ତଦନ୍ତ କରିବାକୁ ଜିଲାପାଳଙ୍କ ନିକଟରେ ଦାବି କରିଥିଲେ। ଯିଏ ପ୍ରକୃତ ହିତାଧିକାରୀ ସେମାନେ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି, ଅଥଚ ଯେଉଁମାନେ ଯୋଜନାରେ ସାମିଲ ହେବା ଅନୁଚିତ, ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳୁଛି ବୋଲି ମହିଳାମାନେ ଅଭିଯୋଗ କରିଥିଲେ। ୧୦ ପ୍ରତିଶତ ଅଭିଯୋଗକାରୀଙ୍କ ରାସନ କାର୍ଡ ବାତିଲ କରାଯାଇଥିବା, ଏବଂ ଅନେକଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନ ଥିବା ଅଭିଯୋଗ ରହିଥିଲା। କୌଣସି କାରଣ ନ ଥାଇ ଯେଉଁମାନଙ୍କର ରାସନ କାର୍ଡ କାଟି ଦିଆଯାଇଛି, ସେମାନଙ୍କୁ ପୁଣି ଦିଆଯାଉ ବୋଲି ମହିଳାମାନେ କହି ପାଟିତୁଣ୍ଡ କରିଥିଲେ। ଏହା ବ୍ୟତୀତ ୧୫ଟି ଜମିବାଡ଼ି ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ସମସ୍ୟା ଉପରେ ଅଭିଯୋଗ ଆସିଥିଲା। ବ୍ଲକର ବିଭାଗୀୟ ଅଧିକାରୀମାନେ ଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ କରୁ ନ ଥିବାରୁ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିବା ସହିତ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ସଂପାଦନ କରିବା ପାଇଁ ତାଗିଦ୍ କରିଥିଲେ। ଶେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରୀନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.