ଅତାବିରା ଚାଷୀଙ୍କ ଧାନର ମୂଲ୍ୟ ଗୁଜରାଟ ଆକାଉଣ୍ଟରେ, ଗୋଲକ ଧନ୍ଦାରେ ବିଷ୍ଣୁ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଖରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚୁଳଧର ଗ୍ରାମର ଚାଷୀ ବିଷ୍ଣୁ ସୁନା ତିନି ବର୍ଷ ହେଲା ଧାନ ବିକ୍ରି କରି ମୂଲ୍ୟ ପାଇ ନଥିବା ଏବେ ଚର୍ଚ୍ଚାର ବିଷୟ। ଗତ ତା୨୯. ୦୫. ୨୦୨୧ ରିଖ ରବି ଫସଲ ବେଳେ ସରକାରୀ ନିୟମ ଅନୁସାରେ ତଥା ଧାର୍ଯ୍ୟ ସମୟରେ ୩୭ କ୍ଵିଣ୍ଟାଲ ୩୭ କେଜି ଧାନ ବିକ୍ରି କରିଥିଲେ ଚାଷୀ ଜଣକ, ଯାହାର ମୂଲ୍ୟ ୭୦ ହଜାର ୪୨୩ ଟଙ୍କା । ନିୟମ ଅନୁସାରେ, ଧାନ ବିକ୍ରି କରିବାର ୪୮ ଘଣ୍ଟା ପରେ ଚାଷୀର ଆକାଉଣ୍ଟରେ ଧାନର ମୂଲ୍ୟ ଜମା ହେବା କଥା । କିନ୍ତୁ ଆଜିକୁ ତିନି ବର୍ଷ ବିତିଗଲା, ହେଲେ ଏଯାଏ ତାଙ୍କ ଆକାଉଣ୍ଟରେ ଧାନର ମୂଲ୍ୟ ଜମା ହୋଇନାହିଁ।
ଚାଷୀଙ୍କ କହିବା ଅନୁସାରେ, ତାଙ୍କର ଏହି ଧାନର ମୂଲ୍ୟ ଗୁଜରାଟ ଶାଖାର ଏକ ଅଜ୍ଞାତ ଆକାଉଣ୍ଟକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଥିଲା ।

ପ୍ରକାଶ ଥାଉ କି, ଚାଷୀଙ୍କ ଧାନର ମୂଲ୍ୟ ଅତାବିରା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଥିବା ତାଙ୍କ ଆକାଉଣ୍ଟରେ ଜମା ହେବା କଥା। କିନ୍ତୁ ଧାନ ବିକ୍ରି ବେଳେ ଖରମୁଣ୍ଡା ମାର୍କେଟ ୟାର୍ଡର ଡାଟା ଅପରେଟିଂ କାର୍ଯ୍ୟ କରୁଥିବା ଅମିୟ ସାହୁ ଭୁଲବଶତଃ ଆକାଉଣ୍ଟ ନମ୍ବର ଭୁଲ ଦେଇଥିଲେ। ଯାହା ଫଳରେ ଏହି ସମସ୍ୟା ସୃଷ୍ଟି ହୋଇ ଆଜି ଚାଷୀ ହରଡ ଘଣାରେ ପେଶି ହୋଇ ଚାଲିଛନ୍ତି ଆଜିକୁ ତିନି ବର୍ଷ ହେଲା । ଇଣ୍ଡିଆନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏହି ବିଷୟରେ ଅବଗତ କରାଇବା ପରେ ଚାଷୀଙ୍କୁ ପ୍ରାପ୍ୟ ମୂଲ୍ୟ ଫେରି ପାଇବେ ବୋଲି ପ୍ରତିଶ୍ରୁତି ଦେଇ ଆବଶ୍ୟକ କାଗଜ ପତ୍ର ମଧ୍ୟ ଚାଷୀଙ୍କଠାରୁ ନେଇଥିଲେ । ଅନେକ ଥର ଅଭିଯୋଗ ପରେ ଉକ୍ତ ଟଙ୍କା ଗୁଜରାଟ ଶାଖାରୁ ଫେରସ୍ତ ହୋଇ ଓଡ଼ିଶା ଯୋଗାଣ ବିଭାଗର ରାଜ୍ୟ ଶାଖାର ଆକାଉଣ୍ଟରେ ଜମା ହୋଇଥିବା ଚାଷୀ ବିଷ୍ଣୁ ସୁନା କହିଛନ୍ତି । କିନ୍ତୁ ତାଙ୍କ ଆକାଉଣ୍ଟକୁ ସେହି ଟଙ୍କା ଆସୁନାହିଁ ।

prayash

ଏନେଇ ଗତ ତା ୨୯/୯/୨୦୨୨ ରିଖ ଦିନ ବରଗଡ଼ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମରେ ଲିଖିତ ଭାବେ ସେ ଜଣାଇଥିଲେ। ପାହାର ଶ୍ରିଗୀଡା ସୋସାଇଟିକୁ ମଧ୍ୟ ଗତ ତା୨୩/୧୨/୨୦୨୧ ରିଖ ଦିନ ମଧ୍ୟ ଲିଖିତ ଆକାରରେ ଜଣାଇ ସାରିଛନ୍ତି । ଗୋଟିଏ ଅଫିସରୁ ଆଉ ଏକ ଅଫିସକୁ ବାରମ୍ବାର ଦୌଡ଼ିବା ସହ ଯୋଗାଣ ଅଧିକାରୀ, ତହସିଲଦାର, ଜିଲ୍ଲାପାଳ, ବିଧାୟକ, ସାଂସଦ ପ୍ରତିନିଧି ସରକାରୀ କର୍ତ୍ତୃପକ୍ଷ, ବ୍ୟାଙ୍କ କର୍ତ୍ତୃପକ୍ଷ, ମାର୍କେଟ କର୍ମଚାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ବିଷ୍ଣୁ ନୟାନ୍ତ ହୋଇ ପଡିଲେଣି । କିନ୍ତୁ ତାଙ୍କ ଧାନର ମୂଲ୍ୟ ପାଇବା ଯଥା ପୂର୍ବମ୍ ତଥା ପରମ ହୋଇ ରହିଛି। ଭୁଲ କରୁଛି କିଏ, ଆଉ ଦଣ୍ଡ ପାଉଛି ଚାଷୀ । ସରକାରୀ କର୍ମଚାରୀ, ପ୍ରଶାସନିକ ଅଧିକାରୀମାନେ ଶୀତତାପ ନିୟନ୍ତ୍ରିତ ଘରେ ଆରାମରେ ରହି ନିଜର ଦରମା ମାସ ଶେଷରେ ପାଉଥିବା ବେଳେ ନିଜର ସମସ୍ତ ଶ୍ରମ ପୁଞ୍ଜି ଅଜାଡ଼ି ଦେଇ ଫସଲର ମୂଲ୍ୟକୁ ଅନେଇ ବସିଥିବା ଚାଷୀ ଓ ତାର ପରିବାର ପ୍ରତି ଏମିତି ଅବହେଳା ପ୍ରକୃତରେ ପରିତାପର ବିଷୟ । ସରକାରୀ ଆକାଉଣ୍ଟରୁ ଚାଷୀ ଆକାଉଣ୍ଟକୁ ପ୍ରାପ୍ୟ ମୂଲ୍ୟ କିପରି ଆସିବ, ତାହା କ’ଣ ବିଭାଗୀୟ କର୍ମଚାରୀମାନେ ଜାଣି ନାହାନ୍ତି ନା ଜାଣି ଶୁଣି ଚାଷୀଙ୍କ ଟଙ୍କା ହଡ଼ପ କରିବାର ଚକ୍ରାନ୍ତ କରାଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ଯାହାର ଭୁଲ ଯୋଗୁଁ ଚାଷୀ ଆଜି ଏତେ ଦୟନୀୟ ପରିସ୍ଥିତିରେ ରହୁଛି, ସେ କିପରି ଚୁପ୍ ମାରି ବସିଛନ୍ତି ? ତାଙ୍କର କର୍ତ୍ତବ୍ୟ କଣ ଭୁଲକୁ ସୁଧାରିବା ନୁହେଁ କି? ବ୍ୟାଙ୍କ୍, ପେକ୍ସ, ମାର୍କେଟ ଓ ପ୍ରଶାସନିକ ଅଧିକାରୀଙ୍କ ଚକ୍ରବ୍ୟୁହ ଭିତରେ ଆଜି ଚାଷୀ ବିଷ୍ଣୁ ନିଜକୁ ଅସହାୟ ମନେ କରୁଛନ୍ତି କାହା ପାଇଁ? ଏଥିପାଇଁ ଦାୟୀ କିଏ ? ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହିଥାନ୍ତି, ତେବେ ଚାଷୀ ଜଣକ ଅଭିଯୋଗ କରିବା ପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ଏହାର ତୁରନ୍ତ ସମାଧାନ ପାଇଁ କାହିଁକି ତାଗିଦ୍ କରି ନାହାନ୍ତି ? ଯଦି ତାଗିଦ୍ କରିଛନ୍ତି ବା ରିପୋର୍ଟ ମାଗିଛନ୍ତି ତେବେ ଆଜି ପର୍ଯ୍ୟନ୍ତ କାହିଁକି ଚାଷୀ ତାର ମୂଲ୍ୟ ପାଇନାହିଁ ? ଅନେକ ଚାଷୀ ନେତା ନିଜର ଶକ୍ତି ପ୍ରଦର୍ଶନ କରିବା ଭଳି ରଣହୁଙ୍କାର ଦେଇ କେବଳ ସଭା ସମିତି କରିଚାଲିଛନ୍ତି। କିନ୍ତୁ ଚାଷୀ ବିଷ୍ଣୁଙ୍କ ପରି ଟୋପ ପଞ୍ଚାୟତର ଆନ୍ଧ୍ର ପଡ଼ାର ଭାଗ ଚାଷୀ କେ ଭେଙ୍କଟ ରେଡ୍ଡୀ, ଏମ୍ ଗୋପାଳ ରେଡ୍ଡୀ, ପି ଭି ଡି ମହେଶ୍ୱର, ଯକ୍ଜା ଭେଙ୍କଟ ଲକ୍ଷ୍ମୀ ଓ ଲସ୍ତଲାର ଚାଷୀ ମହେଶ ଅଗ୍ରୱାଲଙ୍କ ୧୩.୭୭ ଲକ୍ଷ ଟଙ୍କା ଆଜିଯାଏଁ ତାଙ୍କୁ ମିଳିନାହିଁ । କିନ୍ତୁ କୌଣସି ଚାଷୀ ନେତା ଏମାନଙ୍କ ଦୁଃଖ ବୁଝିବା କିମ୍ବା ଏମାନଙ୍କ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିବା ଆଦି କିଛି କରି ନଥିବା ନେଇ ଏହି ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏମିତି ଅନେକ ଚାଷୀ ସରକାରୀ କର୍ମଚାରୀ, ସରକାରୀ ନୀତି ନିୟମର ଚକ୍ରବ୍ୟୁହ ଭିତରେ ଦହଗଞ୍ଜ ହୋଇ ଶେଷରେ ଆତ୍ମହତ୍ୟା କରିବାର ପଥ ବାଛି ନେଉଛନ୍ତି। ଆସନ୍ତାକାଲି ଅତାବିରାରେ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ହୁଏତ ଜିଲ୍ଲାପାଳ ତାଙ୍କର ସମସ୍ୟାର ସମାଧାନ କରିବେ, ଏନେଇ ଆଶା ବାନ୍ଧିଛନ୍ତି ବିଷ୍ଣୁ।

Comments are closed.