୬ ବର୍ଷ ହେଲା ନବନିର୍ମିତ ଅଙ୍ଗନବାଡି କୋଠାରେ ଝୁଲୁଛି ତାଲା

ରେଙ୍ଗାଲି : ସରକାର ଗାଁ ମାନଙ୍କରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକର ଉନ୍ନତମାନର ଭିତ୍ତିଭୂମି ସକାଶେ ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ତୃଣମୂଳ ସ୍ତରରେ ଥିବା ଅଧିକାରୀ ମାନଙ୍କ ମନମୁଖୀ କାରବାର ଯୋଗୁଁ ସରକାରୀ ଅନୁଦାନରେ ନିର୍ମିତ ଅଙ୍ଗନବାଡି କୋଠା ବ୍ୟବହାର ନହୋଇ ତାଲା ଝୁଲୁଛି। ଅକାରଣରେ ଖତ ଖାଉଛି। ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ବାବୁଖିଣ୍ଡା ଗ୍ରାମରେ ଏଭକି ଅଭାବନୀୟ ଉଦାହରଣ ଦେଖିବାକୁ ମିଳୁଛି। ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଅଙ୍ଗନବାଡି କୋଠାରେ ଗତ ୬ବର୍ଷ ହେଲା ତାଲା ଝୁଲୁଛି। କୋଠା ନିର୍ମାଣ କରିଥିବା ଠିକାଦାର ପିତାମ୍ବର ବିଶ୍ବାଳଙ୍କୁ ନିର୍ମାଣରେ ଖର୍ଚ୍ଚ ହୋଇ ଥିବା ଟଙ୍କା ବ୍ଲକ ପ୍ରଶାସନ ଏପର୍ଯ୍ୟନ୍ତ ଦେଇ ନଥିବାରୁ ଅଙ୍ଗନବାଡି କୋଠାରେ ତାଲା ପକାଇ ଦେଇଛନ୍ତି।
ସୂଚିତ ଯେ ବାବୁଖିଣ୍ଡା ଗ୍ରାମରେ ଦୟନୀୟ ଅବସ୍ଥାରେ ଥିବା ଅଙ୍ଗନବାଡି କୋଠା ବଦଳରେ ନୂତନ କୋଠା ନିର୍ମାଣ ସକାଶେ ୨୦୧୯ ମସିହାରେ ସିଏଫସି ପାଣ୍ଠିରୁ ୫ ଲକ୍ଷ ଓ ଏନଆରଇଜିଏ ପାଣ୍ଠିରୁ ୨ଲକ୍ଷ ଟଙ୍କା ମୋଟ ୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପିତାମ୍ବର ବିଶ୍ବାଳ ଏହାର ନିର୍ମାଣ କାମ ୨୦୧୯ ଡିସେମ୍ବର ୧୦ରୁ କାମ ଆରମ୍ଭ କରି ୨୦୨୦ ଜୁନ୍ ମାସ ୬ ତାରିଖରେ ନିର୍ମାଣ କାମ ସମ୍ପୂର୍ଣ୍ଣ କରିଥିଲେ। ଇତି ମଧ୍ୟରେ ୫ବର୍ଷ ବିତି ଗଲାଣି। କିନ୍ତୁ ୨୦୨୧ ମସିହାରେ ଶ୍ରୀ ବିଶ୍ଵାଳ ଏନଆରଇଜିଏ ପାଣ୍ଠିର ଶ୍ରମିକ ମଜୁରୀ ବାବଦ ମାତ୍ର ଦୁଇ ଲକ୍ଷ ଟଙ୍କା ମିଳିଛି। ବାକି ୫ ଲକ୍ଷ ପାଇବାକୁ ସେ ୫ବର୍ଷ ହେଲା ବିଡିଓ,ବ୍ଲକ ଅଧ୍ୟକ୍ଷ, କନିଷ୍ଠ ଯନ୍ତ୍ରୀ,ସହକାରୀ ଯନ୍ତ୍ରୀଙ୍କ ପାଖକୁ ଅସଂଖ୍ୟ ଥର ଧାଁ ଦୌଡ କରି ନୟ।ନ୍ତ ହୋଇ ଥିଲେ ହେଁ ତାଙ୍କୁ ତାଙ୍କ ନ୍ୟାର୍ୟ୍ୟ ପ୍ରାପ୍ୟ ମିଳି ନାହିଁ। କୋଠା ନିର୍ମାଣ ଟଙ୍କା ନମିଳିବା ଯାଏ ତାଲା ଖୋଲାଯିବ ନାହିଁ କି କୋଠା ହସ୍ତାନ୍ତର କରାଯିବ ନାହିଁ ବୋଲି ଶ୍ରୀ ବିଶ୍ଵାଳ ଜିଦ୍ ଧରି ଥିବା ବେଳେ ବ୍ଲକ ପ୍ରଶାସନ ନୀରବଦ୍ରଷ୍ଟା ସାଜି ହାତ ବାନ୍ଧି ବସିଛନ୍ତି।
ଫଳରେ ଅଚଳାବସ୍ଥା ଦେଖାଦେଇଛି। ବିପଦ ଜନକ ଅବସ୍ଥାରେ ଥାଇ ଛାତରୁ ସିମେଣ୍ଟ ଅତଡା ପଡୁଥିବା ବିପଦ ଜନକ ପୁରୁଣା ଅଙ୍ଗନବାଡି କୋଠାରେ କୋମଳମତି ଶିଶୁ ବସିବାକୁ ବାଧ୍ୟ ହେଉଛନ୍ତି। ତାଲା ଖୋଲାଇ ନବନିର୍ମିତ କୋଠାରେ ଶିଶୁମାନଙ୍କୁ ବସିବାର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଗତ ଡିସେମ୍ବର ୧୮ ତାରିଖ ଦିନ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରି ଥିଲେ। ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏଭଳି ଅବ୍ୟବସ୍ଥା ଯୋଗୁଁ ୬ ବର୍ଷ ହେଲା ସରକାରୀ ଅର୍ଥରେ ନିର୍ମିତ ଅଙ୍ଗନବାଡି କୋଠା ଖତ ଖାଉଛି ଏବଂ କୋମଳମତି ଶିଶୁଙ୍କୁ ନେଇ ସିମେଣ୍ଟ ଅତଡା ଖସୁଥିବା ବିପଦ ଜନକ କୋଠାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର। ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଅବ୍ୟବସ୍ଥା ଦୂର କରିବାକୁ ଦାବୀ ହେଉଛି।
ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଏସଂକ୍ରାନ୍ତରେ ପଚରାଯିବାରୁ ଅନ୍ ଲାଇନରେ ସମସ୍ୟା ଯୋଗୁଁ ବିଲ୍ ପେମେଣ୍ଟ୍ ହୋଇ ପାରୁ ନାହିଁ। ଏହା ଆମ ହାତରେ ନାହିଁ। ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏହି ସମସ୍ୟାର ସମାଧାନ ସକାଶେ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଅନ୍ ଲାଇନରେ ଥିବା ସମସ୍ୟା ସମାଧାନ ହେଲେ ଅବ୍ୟବସ୍ଥା ଦୂର ହେବ ବୋଲି କହିଛନ୍ତି।

Comments are closed.