ପୁରୁଣାରାଞ୍ଚି ରୋଡ୍ ଅବସ୍ଥା ଶୋଚନୀୟ
ରେଙ୍ଗାଲି : ସମ୍ବଲପୁର ସହର ଉପକଣ୍ଠର ସିନ୍ଦୁରପଙ୍କ ଛକରୁ ପରମାଣପୁର,ଝାଙ୍କରପାଲି,ଜୁନାଡିହି,ସୋଢାମାଲ, ସମାସିଂହା ଆଦି ଗ୍ରାମ ଦେଇ ଝାଡଖଣ୍ଡ ରାଞ୍ଚିକୁ ସଂଯୋଗ କରୁଥିବା ଆନ୍ତଃ ରାଜ୍ୟ ସଂଯୋଗକାରୀ ପୁରୁଣା ରାଞ୍ଚିରୋଡ୍ ହେଉଛି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସର୍ବ ପୁରାତନ ରାସ୍ତା। ଇଂରେଜ ଶାସନ ଅମଳରୁ ନିର୍ମିତ ଏହିରାସ୍ତା ଉପରେ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଜିଲ୍ଲାର ଅସଂଖ୍ୟ ଜନସାଧାରଣ ନିର୍ଭର କରିଥାନ୍ତି। ରାସ୍ତାର ଖାଲଖମାକୁ ଦେଖି ଯାତ୍ରୀ ମେରା ନାମ୍ ଜୋକର୍ ସିନେମା ର ଗୀତ ” ଏଭାଇ ଜରା ଦେଖ୍ କେ ଚଲୋ ଦାଏଁ ଭି ନେହିଁ ବାଏଁ ଭି, ଉପର ଭି ନେହିଁ ନିଚ୍ଚେ ଭି” ଗୀତ କୁ ମନେ ପକାଉଛନ୍ତି। ଏହି ରାସ୍ତାର ସମ୍ବଲପୁର ପୂର୍ତ୍ତ ଡିଭିଜନ ଅଧିନରେ ଥିବା ରାସ୍ତାର ରୁନିମହୁଲ-ଲାଲ୍ ଛକ ମଝିରେ ଥିବା ଖିଣ୍ଡାପଡା-ଲୁହାଖଣ୍ଡି ଗ୍ରାମ ମଝି ରେ ଥିବା କଲଭର୍ଟ ସଂଲଗ୍ନ ରାସ୍ତା, ଚୁହୁକି ପୋଲ ଏପ୍ରୋଚ୍ ରାସ୍ତା, ପେଟ୍ରୋଲ ପମ୍ପ ସାମ୍ନା, ଗୁୁୁୁମଲୋଇ କ୍ରସର୍ ଛକ,କୁସୁମଡିହି-ସୁଖୁପଡା ଛକ ଆଦି ଅନେକ ସ୍ଥାନ ଦୀର୍ଘ ମାସ ହେଲା ବଡବଡ ଖାଲଖମାରେ ପରିପୂର୍ଣ୍ଣ ହୋଇ ଅତି ଶୋଚନୀୟ ଅବସ୍ଥାରେ ପଡି ରହିଛି। ଫଳରେ ଯାତାୟତରେ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଦୂରାବସ୍ଥା ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ଲାଭ ମିଳିନାହିଁ ବୋଲି ଅଭିଯୋଗ ହୋଇଛି। ରାସ୍ତାର କ୍ଷମତା ଠାରୁ ବେଆଇନ ଭାବରେ ମାତ୍ରାଧିକ ପରିମାଣର ମାଲ୍ ବୋଝେଇ କରି ଭାରିଯାନ ଅହରହ ଚଳାଚଳ ଯୋଗୁଁ ରାସ୍ତାର ଅବସ୍ଥା ଏଭଳି ଶୋଚନୀୟ ହୋଇ ପଡୁଛି ବୋଲି ଅନେକଥର ଅଭିଯୋଗ ହେଉଥିଲେ ମଧ୍ୟ ଏଥି ପ୍ରତି ପରିବହନ ବିଭାଗ କୌଣସି ଅଙ୍କୁଶ ଲଗାଉ ନଥିବା ବେଳେ ପୂର୍ତ୍ତ ବିଭାଗ ଦୟନୀୟ ଅବସ୍ଥାରେ ଥିବା ରାସ୍ତାର ଉପଯୁକ୍ତ ମରାମତି ଦିଗରେ ଉଦାସୀନ ରହୁଛି। ଏଥିଯୋଗୁଁ ଜନସାଧାରଣ ଗମନାଗମନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।
Comments are closed.