ଶୁଖିଯାଉଛି ଭେଡେନ ନଦୀର ଚିରସ୍ରୋତା ଧାର; ଉଜୁଡିଯାଉଛି ତଟବର୍ତ୍ତୀ ଲୋକଙ୍କ ଜୀବିକା

ରେଙ୍ଗାଲି: ସରକାର ନଦୀ ସୁରକ୍ଷା ଏବଂ ନଦୀଜଳ ସଂଯୋଗୀକରଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ନଦୀନାଳ ଉପରେ ଅବିଚାରିତ ଭାବରେ କ୍ରମାଗତ ଅତ୍ୟାଚାର ହେଉଥିବାରୁ ଚିରସ୍ରୋତା ନଦୀ କ୍ରମଶଃ ଶୁଖିବାରେ ଲାଗିଛି। ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ସବ୍‌‌ଡିଭିଜନରୁ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ଲଇଡା ନିକଟସ୍ଥ ବୈଜାପାଲି, ଦଳପତପାଲି, ଦେହେରିପାଲି, ଠେଲକୁଲି, ଖିଣ୍ଡା ଝାରସୁଗୁଡା ଜିଲ୍ଲାର କୋଳାବିରା ବ୍ଲକର ମଙ୍ଗରାପାଲି, ଗୁଚ୍ଛାପାଲି, ମହାଦେବପାଲି, ସମାସିଂହା, ଝାରସୁଗୁଡା ସଦର ବ୍ଳକର କାତିକେଲା, ଶ୍ରୀପୁରା, ଖେରୁଆ, ତରେଇକେଲା ଆଦି ଗ୍ରାମ ପାର୍ଶ୍ବ ଦେଇ ପ୍ରବାହିତ ହେଉଥିବା ଭେଡେନ ନଦୀ ଏହାର ଏକ ଜ୍ୱଳନ୍ତ ଉଦାହରଣ। ଇବ୍‌‌ ନଦୀର ଏକ ମୁଖ୍ୟ ଉପନଦୀ ବୋଲି ବିବେଚିତ ହେଉଥିବା ଭେଡେନ ନଦୀରେ କିଛି ବର୍ଷ ପୂର୍ବେ ଜଳଧାରା ବର୍ଷସାରା ପ୍ରବାହିତ ହେଉଥିଲା। କିନ୍ତୁ ସଂପ୍ରତି ଏହି ନଦୀର ଧାର ଶୁଖିଯାଉଛି। ଭେଡେନ ନଦୀର ଉଭୟ ପାର୍ଶ୍ବରେ ଥିବା ବୃକ୍ଷରାଜିର ବିନାଶ, ନଦୀ ଗର୍ଭରୁ ଅବିଚାରିତ ଭାବରେ ବାଲି ଉତ୍ତୋଳନ, ଡିନମାଇଟ ବିସ୍ଫୋରଣ କରି ପଥର ଖନନ, ବିଗତ ବର୍ଷମାନଙ୍କରେ ନଦୀପାର୍ଶ୍ବରେ ଛତୁଫଟିଲା ଭଳି ବଡବଡ଼ ଇଟା ଭାଟି ପ୍ରତିଷ୍ଠା କରାଯିବା, ନଦୀ ନିକଟବର୍ତ୍ତୀ ଅଞ୍ଚଳରେ ସ୍ଥାପିତ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀର କଳକାରଖାନାର ତରଲ ବର୍ଜ୍ୟ ନଦୀ ଗର୍ଭକୁ ନିଷ୍କାସନ କରାଯିବା ଆଦି ବିନାଶକାରୀ ପ୍ରକ୍ରିୟା ପ୍ରତିଯୋଗିତା ଭିତ୍ତିରେ ଚାଲିଥିବାରୁ ଭେଡେନ ନଦୀର ଅସ୍ତିତ୍ୱ ଏବେ ଘୋର ସଙ୍କଟରେ।

ବ୍ୟାପକ ମୃତ୍ତିକା କ୍ଷୟ ଯୋଗୁଁ ଏହି ନଦୀର ଗଭୀରତା କ୍ରମଶଃ ହ୍ରାସ ପାଇ ନଦୀ କୂଳ ଖାଇ ଓସାରିଆ ହେବାରେ ଲାଗିଛି। ଖିଣ୍ଡା, ଠେଲକୁଲି, ଚାଲଟିକ୍ରା ଆଦି ନଦୀ ତଟବର୍ତ୍ତୀ ଅଞ୍ଚଳରେ ବେଆଇନ ଭାବରେ ବଡବଡ ଇଟାଭାଟି ସ୍ଥାପନ କରି ନଦୀକୂଳର ମାଟିରେ ଇଟା ପ୍ରସ୍ତୁତ ଚାଲିଥିବାରୁ ଦ୍ରୁତ ଗତିରେ ମୃତ୍ତିକା କ୍ଷୟ ହେବାରେ ଲାଗିଛି। ଏହାଦ୍ୱାରା ମାଟିର ଉର୍ବରତା ନଷ୍ଟ ହେବା ସହିତ ଏହାର ପ୍ରତିକୂଳ ପ୍ରଭାବ ଚାଷ ଉପରେ ପଡୁଛି। ପୁଣି ଏହି ନଦୀକୁ ବିଭିନ୍ନ ବଣପାହାଡରୁ ବାହାରିଥିବା ଛୋଟଛୋଟ ଯୋର୍‌‌ ଏବଂ ନାଳଗୁଡିକ ମଧ୍ୟ କ୍ରମଶଃ ସଙ୍କୁଚିତ ହୋଇ ଶୁଷ୍କ ହୋଇଯାଉଥିବା ଦେଖାଯାଉଛି। ଏହି ନଦୀରେ ଥିବା ଯେଉଁ ଦରହମାନଙ୍କରେ ଗ୍ରୀଷ୍ମଋତୁରେ ହାତୀ ବୁଡିଯିବା ଭଳି ୪୦/୫୦ଫୁଟ ପାଣି ରହୁଥିଲା, ବର୍ତ୍ତମାନ ସେହି ଦରହରେ କେଉଁଠି ୫/୬ଫୁଟ ତ କେଉଁଠି ୭/୮ଫୁଟ ପାଣି ରହୁଛି। ଏପରିକି କେତେକ ଦରହ ନିଶ୍ଚିହ୍ନ ହୋଇଗଲାଣି ବୋଲି ପୁରୁଖା ଲୋକେ ମତପ୍ରକାଶ କରନ୍ତି। ନଦୀ ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ବୟସ୍କ ବ୍ୟକ୍ତିମାନଙ୍କ କହିବା ଅନୁଯାୟୀ, ବିଗତ ୧୫/୨୦ ବର୍ଷ ମ଼ଧ୍ୟରେ ପ୍ରାୟ ୧୦ଟି ଦରହ ବିଲୁପ୍ତ ହୋଇଗଲାଣି। ବର୍ତ୍ତମାନ ଥିବା ଘୁଘର ଦରହ, ଖାମି ଦରହ, ଲଇଡା ଦରହ, ସମଲେଇ ଦରହ, ବାଗଡ଼ିଆ ଦରହ, କାଦୋ ଦରହ, ଡୁଙ୍ଗା ଦରହ, ରାଣୀ ଦରହ ଏବଂ ବରଘାଟ ଦରହ ଆଦି ଦରହମାନଙ୍କରେ ଯେତେ ଗଭୀରତା ଓ ଆୟତନରେ ପାଣି ଜମା ହୋଇ ରହୁଥିଲା ତାହା କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି। ନଦୀର ଏଭଳି ବିପର୍ଯ୍ୟୟ ଯୋଗୁଁ ଏହାର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଜୀବନ ଜୀବିକା ମଧ୍ୟ ଉଜୁଡ଼ି ଯାଇଛି। ପାର୍ଶ୍ବବର୍ତ୍ତୀ ଗ୍ରାମର ପାରମ୍ପାରିକ ଜଳ ଉତ୍ସ, ବନ୍ଧ, କଟା, କୂଅ, ପୋଖରୀ ଆଦିର ଜଳଧାରଣ କ୍ଷମତା ଦ୍ରୁତ ଗତିରେ ହ୍ରାସ ପାଇବା ସହିତ ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ଆଗ ଭଳି ନଦୀ ତଟବର୍ତ୍ତୀ ଉର୍ବର ମାଟିରେ ଖରାଟିଆ ଚାଷ ହୋଇପାରୁନାହିଁ। ଦରହମାନଙ୍କରେ ଗ୍ରୀଷ୍ମଋତୁରେ ପୂର୍ବ ବର୍ଷଗୁଡ଼ିକ ଭଳି ପାଣି ରହୁ ନଥିବାରୁ ମାଛ ବଂଶ ବୃଦ୍ଧିରେ ବାଧକ ସୃଷ୍ଟି ହେଉଛି। ମାଛ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ମାଛମାରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନଙ୍କ ଜୀବିକା ଏଥିଯୋଗୁଁ ପ୍ରଭାବିତ ହେଉଛି। ଯଦ୍ୱାରା ଆର୍ଥିକ ସ୍ଥିତି ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି। ସରକାର ନଦୀ ସୁରକ୍ଷା ତଥା ନଦୀଜଳ ସଂଯୋଗୀକରଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଭେଡେନ ନଦୀର ଏଭଳି ବିପର୍ଯ୍ୟୟକୁ ରୋକିବା, ବର୍ଷା ଜଳକୁ ସଂରକ୍ଷଣ କରିବା ଦିଗରେ କୌଣସି ଫଳପ୍ରସୂ ପଦକ୍ଷେପ ଗ୍ରହଣ କରାଯାଉଥିବା ଦେଖାଯାଉ ନାହିଁ। ଏହି ନଦୀର ସୁରକ୍ଷା ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ଗ୍ରହଣ କରା ନଗଲେ ଆଗାମୀ କିଛି ବର୍ଷ ପରେ ଭେଡେନ ନଦୀ ଅତୀତର ସ୍ମୃତି ହୋଇ ଇତିହାସ ବହିରେ ସ୍ଥାନ ପାଇବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

 

Comments are closed.