ଖେଳପଡିଆରୁ ଜବର ଦଖଲ ଉଚ୍ଛେଦ ପାଇଁ ଦାବିପତ୍ର ପ୍ରଦାନ
ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ବାବେବିରା ଗ୍ରାମରେ ରହିଥିବା ଖେଳ ପଡିଆର ଜବର ଦଖଲ ଉଚ୍ଛେଦ ପାଇଁ ଗୁରୁବାର ଗ୍ରାମବାସୀ ଅତାବିରା ତହସିଲ କାର୍ଯ୍ୟାଳୟ ତଥା ବ୍ଲକ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ପ୍ରକାଶ ଥାଉକି ଏହି ଗ୍ରାମରେ ପ୍ଲଟ ନମ୍ୱର୍ ୧୦୩୭ ଅନ୍ତର୍ଗତ ୪ ଏକର ଜମି ବିଶିଷ୍ଟ ଏକ ଖେଳ ପଡିଆ ରହିଛି । ଗ୍ରାମବାସୀ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତଥା ଏହାର ଉନ୍ନତିକରଣ ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନ ପକ୍ଷରୁ ମିଳିଥିବା ପାଞ୍ଚଲକ୍ଷ ଟଙ୍କା ସରକାରୀ ଅନୁଦାନକୁ ବ୍ୟୟ କରି ଏହି ପଡିଆକୁ ତିଆରି କରାଯାଇଥିଲା। କିନ୍ତୁ ସେହି ଖେଳ ପଡିଆ ଭିତରେ ଦଶ ବାରଟି ପରିବାର ଜବର ଦଖଲ କରି ରହୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ପରିବାର ବ୍ୟକ୍ତିଗତ ଭାବରେ ଅନ୍ୟତ୍ର ଜାଗା କିଣି ସାରିଛନ୍ତି । ତଥାପି ସେମାନେ ଏହି ଖେଳ ପଡ଼ିଆକୁ ଛାଡ଼ୁ ନାହାନ୍ତି । ସ୍ବାସ୍ଥ୍ୟ ହିଁ ସମ୍ପଦ ତେଣୁ ସ୍ବାସ୍ଥ୍ୟ ଠିକ୍ ରହିବା ପାଇଁ ଖେଳକୁଦ ସାଙ୍ଗକୁ ଶାରୀରିକ ବ୍ୟାୟାମ ଜରୁରୀ ଅଟେ । ତେଣୁ ପିଲାମାନଙ୍କର ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ପ୍ରତି ଗ୍ରାମରେ ଖେଳ ପଡିଆ ରହିବା ନିହାତି ଆବଶ୍ୟକ ବୋଲି ଏ ଦିଗରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ଖେଳ ପଡିଆ ଉପରେ ଗ୍ରାମରେ ଥିବା ତିନୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ଗ୍ରାମର ଯୁବ ଗୋଷ୍ଠୀ ନିର୍ଭରଶୀଳ। ପ୍ରତିଦିନ ୧୦୦ ରୁ ୧୫୦ ଜଣ ପିଲା ଏହି ଖେଳ ପଡିଆକୁ ଶାରୀରିକ ବ୍ୟାୟାମ ତଥା ଖେଳ କୁଦ ପାଇଁ ଆସିଥାନ୍ତି । ଏହା ବ୍ୟତୀତ ୫୦ ରୁ ୧୦୦ ଜଣ ବୟସ୍କ ବ୍ୟକ୍ତି ମାନେ ମଧ୍ୟ ସକାଳେ ଓ ସନ୍ଧ୍ୟାରେ ଚାଲିବା ପାଇଁ ଆସିଥାନ୍ତି। ପିଲାମାନଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ଖେଳକୁଦ ପ୍ରତିଯୋଗିତା ଆଦି ଏହି ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଏହି ଜବରଦଖଲକାରୀମାନଙ୍କ ଯୋଗୁଁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ହେଉଛି । ତେଣୁ ଖେଳ ପଡିଆ ଭିତରେ ସେମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ନକରି ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ସହ ‘ମୋ ଖେଳ ପଡିଆ’ ଯୋଜନାରେ ଏହାକୁ ସାମିଲ କରି ଗ୍ରାମ ଖେଳ ପଡିଆର ମାନ୍ୟତା ଦେବା ପାଇଁ ଜିଲ୍ଲାପରିଷଦ ସଭ୍ୟା ମମତା ପଧାନ,ସରପଞ୍ଚ ହେମାନନ୍ଦ ସେଠଙ୍କ ସମେତ ରବିନାରାୟଣ ସେଠ୍, ପ୍ରକାଶ ବାରିକ୍, ଯୁଗଳ କିଶୋର ପଣ୍ଡା, ନିତେଶ ବାରିକ୍, ଲୋକନାଥ ନାଏକ, ସୁଭଦ୍ରା ସେଠ୍, ଲବଙ୍ଗ ନାଏକ, ତଥା ଶତାଧିକ ଗ୍ରାମବାସୀ ତହସିଲ ଓ ବ୍ଲକ କାର୍ଯ୍ୟାଳୟ ଘେରିଥିଲେ । ତହସିଲଦାର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପସ୍ଥିତ ଥିବା ଯୋଗୁଁ ଉଭୟ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ତେବେ ଏହି ଜବରଦଖଲ କାରୀଙ୍କୁ ସ୍ଥାନାନ୍ତର ନ କଲେ ଆସନ୍ତା ଦିନରେ ଏହା ବଡ ଧରଣର ଆନ୍ଦୋଳନର ରୂପ ନେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
Comments are closed.