କୋଭିଡ୍ ସଂକ୍ରମଣ ଆଶଙ୍କା: ଜାନୁଆରୀ ୧ ପର୍ଯ୍ୟନ୍ତ ସମ୍ବଲପୁର ଜିଲାରେ ଧର୍ମାନୁଷ୍ଠାନ ବନ୍ଦ
ସମ୍ବଲପୁର:କରୋନା ସଙ୍କଟ ଯୋଗୁଁ ସରକାର ମାର୍ଚ୍ଚ ମାସରୁ ଧାର୍ମିକ ଅନୁଷ୍ଠାନ ଗୁଡିକୁ ବନ୍ଦ ରଖିଥିବା ବେଳେ ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ ଅନେକ ରାଜ୍ୟରେ ଧର୍ମାନୁଷ୍ଠାନ ଗୁଡିକ କୋଭିଡ – ୧୯ ଗାଇଡଲାଇନ ଅନୁଯାୟୀ ଖୋଲିବାକୁ ଅନୁମତି ଦିଆଯାଇଛି। କେନ୍ଦ୍ର ସରକାର ସ୍ଥାନୀୟ ଅଞ୍ଚଳର ସ୍ଥିତି ଅନୁଯାୟୀ ରାଜ୍ୟ ସରକାର ମାନଙ୍କୁ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେବାକୁ ନିର୍ଦେଶ ଦେଇଛନ୍ତି। ଏଣୁ ରାଜ୍ୟ ମଧ୍ୟରେ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବା ପାଇଁ ସ୍ଥାନୀୟ ଜିଲାପାଳମାନଙ୍କୁ ସ୍ଥିତିର ଅନୁଧ୍ୟାନ କରି ନିଷ୍ପତ୍ତି ନେବାକୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ସମ୍ବଲପୁର ଜିଲାରେ ଏବେ ଧର୍ମାନୁଷ୍ଠାନ ଗୁଡିକ ଖୋଲିବ କି ନାହିଁ, ସେଥିନେଇ ଜିଲାପାଳ ଶୁଭମ ସାକ୍ସେନାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନର ପ୍ରତିନିଧି ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକ ପରେ ସମ୍ବଲପୁର ଜିଲାପାଳ ଶୁଭମ୍ ସାକ୍ସେନା କହିଥିଲେ ଯେ ଆଗାମୀ ଦିନରେ ପ୍ରବଳ ଥଣ୍ଡା ହେବାର ସମ୍ଭାବନା ଥିବାରୁ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଏହା ସହିତ ଆଗାମୀ ଦିନରେ ବଡ ଦିନ, ନବ ବର୍ଷ ଭଳି ପର୍ବପର୍ବାଣୀ ଯୋଗୁଁ ଧର୍ମାନୁଷ୍ଠାନ ଗୁଡିକରେ ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି। ଯଦି ଏବେ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଏ, ତାହା ହେଲେ ଭକ୍ତଙ୍କ ଭିଡ ସମ୍ଭାଳିବା କଷ୍ଟକର ହୋଇ ପଡିବ। ଏହା ସହିତ ଧର୍ମାନୁଷ୍ଠାନ ଗୁଡିକର ସେହିଭଳି ସାମର୍ଥ୍ୟ ନାହିଁ ଯେ ସେମାନେ କୌଣସି ବିକଳ୍ପ ବ୍ୟବସ୍ଥା କରି ପାରିବେ। ଧର୍ମାନୁଷ୍ଠାନ ଖୋଲିଲେ ପୂଜକ, ସେବାୟତ, କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏବେ ସମ୍ବଲପୁର ଜିଲାରେ ସଂକ୍ରମଣ କମିଛି, କିନ୍ତୁ ସର୍ତକତା ମୂଳକ ଭାବରେ ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସର୍ବସମ୍ମତିକ୍ରମେ ଆଗାମୀ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଧର୍ମାନୁଷ୍ଠାନ ଗୁଡିକୁ ନ ଖୋଲିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। ତେବେ ଜାନୁଆରୀ ମାସରେ ସ୍ଥିତିକୁ ପୁର୍ନବାର ଅନୁଧ୍ୟାନ କରାଯାଇ ଯଦି ସମ୍ଭବ ହୁଏ ତାହା ହେଲେ ପରବର୍ତ୍ତ ସମୟରେ କୋଭିଡ -୧୯ ଗାଇଡ୍ଲାଇନ୍ ଅନୁଯାୟୀ ଧାର୍ମିକ ଅନୁଷ୍ଠାନଗୁଡିକୁ ଖୋଲିବାର ଅନୁମତି ଦିଆଯିବ ବୋଲି ଜିଲା ପ୍ରଶାସନ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ମହାନଗର କମିଶନର ଅନିରୁଦ୍ଧ ପ୍ରଧାନ, ଡେପୁଟି କଲେକ୍ଟର ବିବି ଦାସ, ଆଦିତ୍ୟ ପାଢ଼ୀ, ଶଙ୍କର ପ୍ରସାଦ ପତି, ପ୍ରଫୁଲ୍ଲ କୁମାର ହୋତା, ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ, ରାଜୀବ ଶତପଥି, ସୁରଞ୍ଜନ ମହାପାତ୍ର, ମହମ୍ମଦ ଆସିଫ, ଅଶ୍ରଫ ଖାନ, ନରେନ୍ଦ୍ର ସିଂହ, ଭଗତ ସିଂହ ସମେତ ବିଭିନ୍ନ ଧର୍ମାନୁଷ୍ଠାନର ପ୍ରତିନିଧି ଓ ବୁଦ୍ଧିଜୀବୀ ସାମିଲ ହୋଇ ନିଜ ନିଜ ମତ ରଖିଥିଲେ। ଏହି ବୈଠକର ନିଷ୍ପତ୍ତି ପରେ ଚଳିତ ବର୍ଷ ଭକ୍ତ ମାନଙ୍କର ଭଗବାନଙ୍କୁ ଦର୍ଶନ କରିବାର ଆଶା ମଉଳି ଯାଇଛି।
Comments are closed.