ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ ପକ୍ଷରୁ ଆମ୍ବ୍ରି ଆଇଏନସିରେ ନିବେଶ ଘୋଷଣା
ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ)ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ (ଆରଏନଇଏସଏଲ) ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ନିବେଶକ ଯଥା ପଲସନ ଆଣ୍ଡ କୋ ଆଇଏନସି, ବିଲ୍ ଗେଟସ ଏବଂ କିଛି ଅନ୍ୟ ନିବେଶକଙ୍କ ସହ ମିଶି ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟସ ସ୍ଥିତ ଶକ୍ତି ମହଜୁଦ (ଷ୍ଟୋରେଜ) କଂପାନି ଆମ୍ବ୍ରି ଆଇଏନସିରେ ୧୪୪ ନିୟୁତ ଡଲାର ନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି। ଏହି ନିବେଶ କଂପାନିକୁ ଶକ୍ତି ମହଜୁଦ ବ୍ୟବସ୍ଥା ଦୀର୍ଘମିଆଦୀ ଭିତିରେ ସାରା ବିଶ୍ୱରେ ବାଣିଜ୍ୟିକ ସ୍ତରରେ ପ୍ରସାର କରିବା ଓ ଆଗକୁ ବଢ଼ାଇବାରେ ସହାୟକ ହେବ। ଆମ୍ବ୍ରିର ଅଗ୍ରାଧିକାର ଅଂଶଧନ ମଧ୍ୟରୁ ୪୨.୩ ନିୟୁତ ଅଂଶକୁ ଅଧିଗ୍ରହଣ କରିବା ଲାଗି ଆରଏନଇଏସଏଲ ୫୦ ନିୟୁତ ଡଲାର ନିବେଶ କରିବ।
ଭାରତରେ ଏକ ବୃହତ ଆକାରର ବ୍ୟାଟେରି ଉତ୍ପାଦନ କାରଖାନା ସ୍ଥାପନ କରିବା ନେଇ ଆରଏନଇଏସଏଲ ଓ ଆମ୍ବ୍ରି ମଧ୍ୟରେ ଆଲୋଚନା ଜାରି ରହିଛି ଯାହା ଆଗକୁ ବ୍ୟାପକ ହୋଇ ରିଲାଏନ୍ସର ସବୁଜ ଶକ୍ତି ଉଦ୍ୟମ ପାଇଁ ଖର୍ଚ୍ଚକୁ ଆହୁରି ହ୍ରାସ କରିବ।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜୁନରେ ଅଂଶଧନଧାରୀମାନଙ୍କୁ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଧୀରୁଭାଇ ଅମ୍ବାନି ଗ୍ରିନ ଏନର୍ଜି ଗିଗା କମ୍ପେ୍ଲକ୍ସ ପ୍ରୋଜେକ୍ଟର ଅଂଶ ସ୍ୱରୂପ ଜାମନଗରରେ ଶକ୍ତି ସଂରକ୍ଷଣ ଲାଗି ସ୍ଥାପନ କରାଯିବାକୁ ଥିବା ଗିଗା ଫ୍ୟାକ୍ଟ୍ରି (କାରଖାନା) ସମ୍ପର୍କିତ ଯୋଜନା ବିଷୟରେ ଘୋଷଣା କରିଥିଲେ। ବିଦ୍ୟୁତ ଉତ୍ପାଦନ, ସଂରକ୍ଷଣ ଓ ଗ୍ରିଡ ସଂଯୋଗର ମିଶ୍ରଣ ଜରିଆରେ ଚବିଶ ଘଂଟା ଭରସାଯୋଗ୍ୟ ବିଦ୍ୟୁତ ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଆରଆଇଏଲ୍ ବ୍ୟାଟେରି ପ୍ରଯୁକ୍ତି କ୍ଷେତ୍ରରେ ଥିବା ବିଶ୍ୱର ଅଗ୍ରଣୀ ସଂସ୍ଥାଗୁଡ଼ିକ ସହ ସହଯୋଗିତା ସ୍ଥାପନ କରିବ ବୋଲି ଶ୍ରୀ ଅମ୍ବାନି ଘୋଷଣା କରିଥିଲେ।
Comments are closed.