ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଭାରତରେ ପ୍ରଥମ ବ୍ୟାପକ ପଶୁ ଉଦ୍ଧାର, ଯତ୍ନ, ସଂରକ୍ଷଣ ଓ ଥଇଥାନ କାର୍ଯ୍ୟକ୍ରମ ‘ବନତାରା’ ର ଶୁଭାରମ୍ଭ

ଜାମନଗର : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ‘ବନତାରା’ (ଜଙ୍ଗଲର ତାରା) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ଉଭୟ ଭାରତ ଓ ବିଦେଶରେ ଆହତ, ଉତ୍ପୀଡ଼ନର ଶିକାର ଏବଂ ଭୟରେ ଥିବା ପଶୁମାନଙ୍କୁ ଉଦ୍ଧାର, ଚିକିତ୍ସା, ଯତ୍ନ ଓ ଥଇଥାନ ବ୍ୟବସ୍ଥା କରାଯାଇଛି । ଗୁଜରାଟରେ ରିଲାଏନ୍ସ ଜାମନଗର ରିଫାଇନାରି ପରିସରରେଥିବା ସବୁଜ ବଳୟର ୩୦୦୦ ଏକରରେ ବ୍ୟାପ୍ତ, ‘ବନତାରା’ ର ଲକ୍ଷ୍ୟ ହେଉଛି ବିଶ୍ୱରେ ସଂରକ୍ଷଣ ଉଦ୍ୟମରେ ଅନ୍ୟତମ ପ୍ରମୁଖ ଯୋଗଦାନକାରୀରେ ପରିଣତ ହେବା । ପଶୁ ଯତ୍ନ ଓ କଲ୍ୟାଣ କ୍ଷେତ୍ରରେ ଅଭିଜ୍ଞ ବିଶେଷଜ୍ଞମାନଙ୍କ ସହ କାର୍ଯ୍ୟ କରି ‘ବନତାରା’ ୩୦୦୦ ଏକର ସ୍ଥାନକୁ ଏକ ପ୍ରାକୃତିକ ଜଙ୍ଗଲ ଭଳି ପରିବେଶରେ ପରିଣତ କରିଛି ଯେଉଁଠାରେ ଉଦ୍ଧାର କରାଯାଇଥିବା ପଶୁମାନେ ଆରାମରେ ବାସ କରିପାରିବେ ।

ଆରଆଇଏଲ୍ ବୋର୍ଡ ଓ ରିଲାଏନ୍ସ ଫାଉଣ୍ଡେସନର ନିର୍ଦ୍ଦେଶକ ଶ୍ରୀ ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିବା ତଥା ଉତ୍ସାହଭରା ନେତୃତ୍ୱ ରେ ସ୍ଥାପନ କରାଯାଇଥିବା ଏହି ‘ବନତାରା’ ଉଦ୍ୟମ ହେଉଛି ଭାରତରେ ପ୍ରଥମ । ଅନନ୍ତ ଅମ୍ବାନୀ ଜାମନଗରରେ ରିଲାଏନ୍ସର ମହତ୍ୱପୂର୍ଣ୍ଣ ଅକ୍ଷୟ ଶକ୍ତି ପ୍ରକଳ୍ପର ନେତୃତ୍ୱ ନେଉଛନ୍ତି ଯାହା ୨୦୩୫ ସୁଦ୍ଧା ରିଲାଏନ୍ସକୁ ନେଟ୍ କାର୍ବନ ଜିରୋ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ।

ଏହି କାର୍ଯ୍ୟକ୍ରମ ଅଧୀନରେ ଗତ କିଛି ବର୍ଷ ଭିତରେ ୨୦୦ରୁ ଉର୍ଦ୍ଧ୍ୱ ହାତୀ, ହଜାର ହଜାର ଅନ୍ୟ ଜୀବ, ସରୀସୃପ ଓ ପକ୍ଷୀଙ୍କୁ ଅସୁରକ୍ଷିତ ସ୍ଥିତିରୁ ଉଦ୍ଧାର କରାଯାଇଛି । ଗଣ୍ଡା, କଲରାପତରିଆ ବାଘ ଓ କୁମ୍ଭୀର ଭଳି ପ୍ରମୁଖ ଜୀବଙ୍କୁ ଉଦ୍ଧାର ଓ ଥଇଥାନ ଦିଗରେ ମଧ୍ୟ ଏଥିରେ ଉଦ୍ୟମ କରାଯାଇଛି । ମେକ୍ସିକୋ ଓ ଭେନେଜୁଏଲା ଭଳି ବିଦେଶ ରାଷ୍ଟ୍ରର ଉଦ୍ଧାର କାର୍ଯ୍ୟକ୍ରମରେ ମଧ୍ୟ ‘ବନତାରା’ ସାମିଲ ହୋଇଥିଲା । କେନ୍ଦ୍ରୀୟ ଆମେରିକା ପ୍ରାଣୀ ଉଦ୍ୟାନରୁ ଫୋନ୍ କଲ୍ ପାଇ ଏହା ନିକଟରେ ବହୁ ବଡ଼ ଓ ଛୋଟ ପଶୁଙ୍କୁ ଉଦ୍ଧାର କରିଥିଲା । ସମସ୍ତ ଉଦ୍ଧାର କାର୍ଯ୍ୟ ଭାରତ ଓ ଆନ୍ତର୍ଜାତିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି କରାଯାଇଛି ।

ବନତାରାରେ ହାତୀଙ୍କ ପାଇଁ କେନ୍ଦ୍ର ଏବଂ ସିଂହ, ବାଘ, କୁମ୍ଭୀର ଓ କଲରାପତରିଆ ବାଘ ଆଦିଙ୍କ ଭଳି ଭଳି ବଡ ଓ ଛୋଟ ଜୀବଙ୍କ ପାଇଁ ସୁବିଧା ରହିଛି ।

ବନତାରାରେ ପ୍ରମୁଖ ଅଂଚଳରେ ରହିଥିବା ହାତୀ କେନ୍ଦ୍ରରେ ଦିନ ଓ ରାତି ପାଇଁ ଅତ୍ୟାଧୁନିକ ବିଜ୍ଞାନ ସମ୍ମତ ଏନ୍‌‌କ୍ଲୋଜର, ହାଇଡ୍ରୋଥେରାପି ପୁଲ୍‌‌, ଜଳାଶୟ ଓ ହାତୀଙ୍କ ଆର୍ଥ୍ରାଇଟିସ ଚିକିତ୍ସା ପାଇଁ ଏକ ବିରାଟ ଜକୁଜୀ ଆଦି ରହିଛି । ଏଥିରେ ୨୦୦ରୁ ଅଧିକ ହାତୀ ଥିବା ବେଳେ ୫୦୦ରୁ ଅଧିକ ପ୍ରଶିକ୍ଷିତ କର୍ମଚାରୀ ସେମାନଙ୍କ ଦେଖାଶୁଣା କରୁଛନ୍ତି । ଏଥିରେ ୨୫୦୦୦ ବର୍ଗଫୁଟର ଏକ ହାତୀ ଚିକିତ୍ସାଳୟ ରହିଛି ଯେଉଁଥିରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଚିକିତ୍ସା ଉପକରଣ ରହିଛି । ହାତୀଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିବା ନିମନ୍ତେ ୧୪୦୦୦ ବର୍ଗଫୁଟର ଏକ ସ୍ୱତନ୍ତ୍ର ରୋଷେଇ ଘର ରହିଛି । ସେହିପରି, ବନତାରାରେ ୬୫୦ ଏକରରୁ ଅଧିକ ସ୍ଥାନରେ ଉଦ୍ଧାର ଓ ଥଇଥାନ କେନ୍ଦ୍ର ରହିଛି ଯେଉଁଥିରେ ସର୍କସ ଓ ଅନ୍ୟ ବିପଦଜନକ ପରିସ୍ଥିତିରୁ ଭାରତ ଓ ବିଶ୍ୱର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ଜୀବଜନ୍ତୁଙ୍କୁ ସ୍ଥାନିତ କରାଯାଉଛି । ୨୧୦୦ରୁ ଅଧିକ ଲୋକ କାମ କରୁଥିବା ଏହି କେନ୍ଦ୍ର ସାରା ଭାରତରେ ସଡକ ଦୁର୍ଘଟଣା ଓ ମଣିଷ-ବନ୍ୟଜନ୍ତୁ ସଂଘର୍ଷରେ ଆହତ ହୋଇଥିବା ୨୦୦ରୁ ଅଧିକ କଲରାପତରିଆ ବାଘଙ୍କୁ ଉଦ୍ଧାର କରିବା ସହିତ ତାମିଲନାଡୁରେ ସ୍ୱଳ୍ପ ସ୍ଥାନରେ ଅତ୍ୟନ୍ତ ଭିଡ ମଧ୍ୟରେ ପ୍ରତିକୂଳ ପରିସ୍ଥିତିରେ ଥିବା ୧୦୦୦ରୁ ଅଧିକ କୁମ୍ଭୀରକୁ ଉଦ୍ଧାର କରିଛି । ଏହି କେନ୍ଦ୍ରରେ ଏକ ଲକ୍ଷ ବର୍ଗଫୁଟର ଏକ ହସ୍ପିଟାଲ୍ ଓ ମେଡିକାଲ୍ ଏହି କେନ୍ଦ୍ରରେ ଏକ ଲକ୍ଷ ବର୍ଗଫୁଟର ଏକ ହସ୍ପିଟାଲ୍ ଓ ମେଡିକାଲ୍ ଗବେଷଣା କେନ୍ଦ୍ର ରହିଛି । ବନତାରାକୁ ଉଦ୍ଧାର ହୋଇ ଆସୁଥିବା ପ୍ରତ୍ୟେକଟି ଜୀବ ପାଇଁ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ଅଧିକାରୀ / ସଂରକ୍ଷକ, କେନ୍ଦ୍ରୀୟ ଜୁ ଅଥୋରିଟିଙ୍କ ଅନୁମତି ତଥା ସମସ୍ତ ଆବଶ୍ୟକୀୟ ବନ୍ୟପ୍ରାଣୀ ନିୟମ ପାଳନ କରି ସ୍ଥାନ ଦିଆଯାଉଛି । ବନତାରା ପକ୍ଷରୁ ଜାତୀୟ ଓ ଆନ୍ତର୍ଜାତିକ ସହଯୋଗିତା ମଧ୍ୟ ସ୍ଥାପନ କରାଯାଇଛି ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କ ସହଭାଗିତାରେ ଜୀବ ସଂରକ୍ଷଣକୁ ନେଇ ଏହା ଶିକ୍ଷା ଓ ସଚେତନତା ମଧ୍ୟ ସୃଷ୍ଟି କରୁଛି

Comments are closed.