ଇଣ୍ଡିଆନ୍‌ ବ୍ୟାଙ୍କ କଟକ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ : ୦୧.୧୦.୨୦୨୩ ରୁ ୩୧.୧୨.୨୦୨୩ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଶାଳ ଜନ ସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ଇଣ୍ଡିଆନ୍‌ ବ୍ୟାଙ୍କ କଟକ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଶାଖା ପ୍ରବନ୍ଧକ, ସେବାପ୍ରଦାନକାରୀ ଏବଂ ସେମାନଙ୍କ ବିସିମାନଙ୍କ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ନେଇ ଏକ ସମ୍ବେଦନଶୀଳ କାର୍ଯ୍ୟକ୍ରମ କଟକଠାରେ ଆୟୋଜିତ ହୋଇଯାଇଛି । କର୍ପୋରେଟ୍‌ କାର୍ଯ୍ୟାଳୟର ମହାପ୍ରବନ୍ଧକ ଭେଙ୍କଟେସନ୍‌ ଏମ୍‌ (ଆର୍ଥିକ ଅନ୍ତର୍ଭୁକ୍ତିକରଣ) ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ ଅରୁଣା ଏମ୍‌, ଆଞ୍ଚଳିକ ପ୍ରବନ୍ଧକ ପି. ଦାଶମହାପାତ୍ର, ଉପ-ଆଞ୍ଚଳିକ ପ୍ରବନ୍ଧକ ମଳୟ ମହାନ୍ତି, ମୁଖ୍ୟ ପ୍ରବନ୍ଧକ ବି. ସେନାପତି, ମୁଖ୍ୟ ପ୍ରବନ୍ଧକ ପି.କେ. ଶତପଥୀ, ନୋଡାଲ ଅଫିସର ସତ୍ୟରଞ୍ଜନ ଦାସଙ୍କ ସମେତ କଟକ ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଆର୍ଥିକ ଅନ୍ତର୍ଭୁକ୍ତିକରଣର ମହାପ୍ରବନ୍ଧକ ଭେଙ୍କଟେସନ୍‌ ଏମ୍‌ ଜନ ସୁରକ୍ଷା ଯୋଜନାର ଉପକାରିତା ସମ୍ପର୍କରେ
ବିସ୍ତୃତ ଭାବେ ଆଲୋଚନା କରିଥିବା ସହ ଶାଖା ପ୍ରବନ୍ଧକମାନେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନାଗୁଡିକରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରାଇବାକୁ ଲକ୍ଷ୍ୟ ରଖିଥିଲେ । ମହାପ୍ରବନ୍ଧକ ଭେଙ୍କଟେସନ୍‌ ଏମ୍‌ ବଛା ବଛା ବିସିଙ୍କୁ ପୁରସ୍କୃତ କରିଥିଲେ ଏବଂ ଭବିଷ୍ୟତରେ ଟାର୍ଗେଟ ହାସଲ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅଭିଯାନ ଅନ୍ତର୍ଗତ ୨୦୦୦ର ଉଦ୍ଧ୍ୱର୍ ଆକାଉଣ୍ଟ ଖୋଲାଯାଇଥିଲା । ଏଥି ସହିତ କଟକର କୁରଙ୍ଗ ଶାସନ ଠାରେ ଏକ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ଏଥିରେ ଇଣ୍ଡିଆନ୍‌ ବ୍ୟାଙ୍କର ନିକଟବର୍ତ୍ତୀ ୮ ଟି ଶାଖାର ହିତାଧିକାରୀମାନେ ଯୋଗ ଦେଇ ଆର୍ଥିକ ଅନ୍ତର୍ଭୁକ୍ତିକରଣର ମହାପ୍ରବନ୍ଧକ ଭେଙ୍କଟେସନ୍‌ , କ୍ଷେତ୍ର ମହାପ୍ରବନ୍ଧକ ଅରୁଣା ଏମ୍‌ ଏବଂ ଆଞ୍ଚଳିକ ପ୍ରବନ୍ଧକ ପି. ଦାଶମହାପାତ୍ରଙ୍କ ଉପସ୍ଥିତିରେ ସୁରକ୍ଷା ବୀମା ଯୋଜନା ଅଧିନରେ ନିଜର ନାମାଙ୍କନ କରାଇଥିଲେ । ଏଥିରେ ଅଂଶଗ୍ରହଣକାରୀମାନେ ବିଶେଷ ଉତ୍ସାହିତ ଥିଲେ ।

Comments are closed.