ଡାଲମିଆ ମାଲିକାନାରେ ଲାଲକିଲ୍ଲା !
ନୂଆଦିଲ୍ଲୀ: ୧୭ଶହ ଶତାବ୍ଦୀରେ ଶାହାଜାହାନ୍ଙ୍କ ନିର୍ମିତ ଲାଲକିଲ୍ଲା ଏବେ ଡାଲ୍ମିଆ ଗ୍ରୁପ୍ ମାଲିକାନା ଅଧୀନକୁ ଯାଇଛି। ୫ ବର୍ଷ ପାଇଁ ୨୫ କୋଟି ଟଙ୍କାରେ ଚୁକ୍ତିନାମା ହୋଇଛି। କେନ୍ଦ୍ର ସରକାରଙ୍କ ‘ଆଡପ୍ଟ ଏ ହେରିଟେଜ’ ଯୋଜନା ଅଧୀନରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଯୋଜନା ଅଧୀନରେ ଲିଜ ପାଇଥିବା ସଂସ୍ଥା ଐତିହାସିକ ସ୍ମାରକୀର ଉନ୍ନତିକରଣ ଓ ନବୀକରଣ କରିବ। ଏହାବଦଳରେ ଉକ୍ତ ସଂସ୍ଥା ବ୍ୟବସାୟିକ କାର୍ଯ୍ୟକ୍ରମ ଜରିଆରେ ସେଥିରୁ ରାଜସ୍ୱ ସଂଗ୍ରହ କରିପାରିବ । ବିଭିନ୍ନ ସାଂସ୍କୃତିକ ଓ ସରକାରୀ କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବ। ଦେଶର ପ୍ରାୟ୧୦୦ଟି ଐତିହାସିକ ସ୍ମାରକୀ ପାଇଁ ଏଭଳି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆସନ୍ତା ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ସେଠାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିବାରୁ ନିରାପତ୍ତା ଦୃଷ୍ଟିରୁ ମେ’ ୨୩ ତାରିଖ ପୂର୍ବରୁ କାମ ସାରିବାକୁ ଡାଲମିଆକୁ କୁହାଯାଇଛି। ଡାଲ୍ମିଆ ଗ୍ରୁପ୍-କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ସହିତ ଏପ୍ରିଲ୍ ୨୫ ତାରିଖରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ଚୁକ୍ତି ଅନୁଯାୟୀ ଡାଲମିଆ ଗ୍ରୁପ୍ ପକ୍ଷରୁ ଲାଲ କିଲାକୁ ଆକର୍ଷଣୀୟ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେବ। ଆଲୋକୀକରଣ, ପାର୍କର ନବୀକରଣ, ଅତ୍ୟାଧୁନିକ ଶୌଚାଳୟ ବ୍ୟବସ୍ଥା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବ। ଏହାଦ୍ୱାରା ଲାଲକିଲା ପ୍ରତି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରିବ। କିନ୍ତୁ ଏହା ବଦଳରେ ପର୍ଯ୍ୟଟକଙ୍କଠାରୁ ନିର୍ଦ୍ଦିଷ୍ଟ ଦେୟ ଆଦାୟ କରାଯିବ। ଏହି ଫି’ ଏକ ନିର୍ଦ୍ଦିଷ୍ଟ କମିଟି ଦ୍ୱାରା ନିର୍ଣ୍ଣୟ କରାଯିବ। ସମସ୍ତ କାର୍ଯ୍ୟକ୍ରମ ଓ ବ୍ୟାନ୍ରେ ଡାଲମିଆ ତାର ବ୍ରାଣ୍ଡକୁ ବ୍ୟବହାର କରିବ।