ଆଶା ଓ ସମୃଦ୍ଧିର ପ୍ରତୀକ ‘ସାଧବ ବୋହୂ’ ନିଖୋଜ
ଭୁବନେଶ୍ୱର (ପ୍ରମୋଦ ସାମନ୍ତରାୟ): ମୌସୁମିର ସ୍ପର୍ଶରେ ଭିଜିଛି ଧରା। ଶୀତଳ ଧରାପୃଷ୍ଠରେ ସାଧବ ବୋହୂମାନେ ମେଲି ଦେଇଛନ୍ତି ନୈସର୍ଗିକ ସୁଷମାର ପସରା। ‘ଲାଲ୍ ଟୁକୁ ଟୁକୁ ସାଧବ ବୋହୂ’ଙ୍କ ରଙ୍ଗାୟିତ ଆବରଣ ଦେଖଣାହାରୀଙ୍କୁ ମଧ୍ୟ ପୁଲକିତ କରୁଛି। ଆଶା ଓ ସମୃଦ୍ଧିର ବାର୍ତ୍ତାବହ ଭାବେ ଏମାନେ ଏକ ଭଲ ମୌସୁମିର ସଙ୍କେତ ଦିଅନ୍ତି। ଗ୍ରୀଷ୍ମରେ କେଉଁଆଡ଼େ ଅଦୃଶ୍ୟ ହୋଇ ଯାଉଥିବା ଏହି ଛୋଟ ଜୀବଟି ବର୍ଷାର ପ୍ରଥମ ସ୍ପର୍ଶ ପାଇବା ପରେ କେଉଁଠୁ କିପରି ବାହାରି ଆସେ ତାହା ସମସ୍ତଙ୍କୁ ଚକିତ କରିଥାଏ। ହେଲେ ବର୍ଷା ସମୟରେ ସବୁଜିମାଭରା ଘାସ ଉପରେ ଏହି ନାଲି ଟୁକୁ ଟୁକୁ ସାଧବ ବୋହୂ ଆଉ ଦେଖାଯାଉ ନାହାଁନ୍ତି । ସହର ସମ୍ପ୍ରସାରଣ, ପ୍ରଦୂଷିତ ପରିବେଶ ଯୋଗୁଁ ଏହି ମନଲୋଭା କୀଟଗୁଡ଼ିକ ପ୍ରାୟତଃ ହଜିଗଲେଣି। ସତେ ଯେମିତି ଆଧୁନିକ ମଣିଷର ବିକଶିତ ସହର ଭିତରେ ସେ ଆତ୍ମପ୍ରକାଶ କରିବାକୁ ଡରୁଛି।
ସାଧବ ବୋହୂ ଆତ୍ମପ୍ରକାଶ କଲେ ମୌସୁମି ଆସିଗଲା ବୋଲି ସାଧାରଣ ଗାଉଁଲି ମଣିଷଟିଏ ନିଶ୍ଚିତ ହୋଇଯାଇଥାଏ। ଆଜିର ବିଜ୍ଞାନ ଯୁଗରେ ମୌସୁମିକୁ ନେଇ ଯେତେ ପୂର୍ବାନୁମାନ କରାଗଲେ ମଧ୍ୟ ପ୍ରକୃତିକୁ ଦେଖି ମୌସୁମିର ଆଗମନ ଆକଳନ କରିବା ବେଶ୍ ନିଆରା।
ବର୍ଷାଦିନେ ଏହି ନାଲି ଟୁକୁଟୁକୁ ପୋକ ସଭିଙ୍କ ଦୃଷ୍ଟି ଆକର୍ଷଣ କରେ, ଖାସ୍ କୁନିକୁନି ପିଲାଙ୍କର। ସାଧବ ବୋହୂର ନାମକରଣ ପଛରେ କୌଣସି ବିଧିବଦ୍ଧ ପୃଷ୍ଠଭୂମି ମିଳି ନ ଥିଲେ ବି ସମ୍ଭବତଃ ବିଗତ ଦିନର ସାଧବ ଘରର ବୋହୂଟିକୁ ନେଇ ଏହି କ୍ଷୁଦ୍ରଜୀବଟିର ନାମ ଦିଆଯାଇଛି। ଲାଲ ଶାଢ଼ି ପରିହିତା ସାଧବ ବୋହୂଟି ଯେଉଁଭଳି ଭାବରେ ସଭିଙ୍କ ଦୃଷ୍ଟିଆକର୍ଷଣ କରେ ଏବଂ ପରିବାରରେ ସଭିଙ୍କର ଆଦର ଲାଭ କରେ, ଠିକ୍ ସେହିଭଳି ଏହି ଜୀବଟି।
ସାଧବ ବୋହୂକୁ ନେଇ ନାନା କାହାଣୀ, ଗୀତ ରଚନା କରାଯାଇଛି। ଓଡ଼ିଆ ଚଳଚ୍ଚିତ୍ର ବି ତିଆରି ହୋଇଛି ଏହି ନାଁରେ; ହେଲେ ସେହି ସାଧବ ବୋହୂର ସ୍ଥିତି ଆଜି ବିପନ୍ନ। ସହରାଞ୍ଚଳ ବୃଦ୍ଧି ସହିତ ପରିବେଶ ପ୍ରଦୂଷଣ ଏହାପାଇଁ ଘାତକ ସାଜିଛି। ଇଂରାଜୀରେ ‘ରେଡ୍ ଭେଲଭେଟ୍ ମାଇଟ୍ସ’ ନାମରେ ଜଣାଯାଉଥିବା ଏହି କୀଟର ପ୍ରାଣୀ ବିଜ୍ଞାନ ନାମ ଟ୍ରମ୍ବିଡିୟମ ଗ୍ରାଣ୍ଡିସିମମ୍ ଏବଂ ଏହା ଟ୍ରମ୍ବିଡିଡେ ଫ୍ୟାମିଲିର। ବିଭିନ୍ନ ରାଜ୍ୟରେ ଏହା ଭିନ୍ନଭିନ୍ନ ନାମରେ ପରିଚିତ। କେଉଁଠି ଏହା ବୀର ବାହୁତି, ବୀର୍ବାବୋତି, ସ୍କାର୍ଲେଟ ଫ୍ଲାଏ, ଲେଡି ଫ୍ଲାଏ, ଭେଲ୍ଭେଟ ବୁଚି (ତେଲୁଗୁ, ହାଇଦରାବାଦ) ନାମରେ ପରିଚିତ ତ କେଉଁଠି ଆରୁଦ୍ରା ପୁରୁଗୁ (ଆଉ ଏକ ତେଲୁଗୁ ଶବ୍ଦ), ରାନୀ କିଡା (ହିନ୍ଦୀ/ଉର୍ଦ୍ଦୁ), ଗୋକଳ ଗାୟ ଅଥବା ମାମା ନି ଗାୟ (ଗୁଜରାଟ), ଇନ୍ଦ୍ରଗୋପ, ମିରାଗ (ମରାଠୀ), ପାଟ୍ଟୁ ପାପାଥି ପୂଚି(ତାମିଲ) ଭାବରେ ପରିଚିତ।
ଏହି କୀଟଗୁଡ଼ିକର ଆକାର ଅତି କ୍ଷୁଦ୍ର। ଏପରିକି ୧ ମିଲିମିଟରରୁ ମଧ୍ୟ କମ୍ ହୋଇଥାଏ। ପରିବେଶ ପାଇଁ ଏଗୁଡିକର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଜଙ୍ଗଲ ଅଞ୍ଚଳରେ ଏଗୁଡିକ ପଚାସଢ଼ା ପତ୍ର, ଡାଳ ଆଦିକୁ ଖାଇ ସେଗୁଡ଼ିକୁ ବିଘଟନ କରି ମାଟରେ ମିଶାଇବାରେ ସହାୟତା କରିଥାନ୍ତି। ଏମାନଙ୍କ ଅନୁପସ୍ଥିତିରେ ମୃତ୍ତିକାର ଅନେକ ପ୍ରକ୍ରିୟା ମନ୍ଥର ହୋଇଯାଏ। ସାଧବ ବୋହୂଙ୍କୁ ଦେଖିଲେ ଚାଷୀକୁଳ ଆଶ୍ୱସ୍ତ ହୋଇଥାନ୍ତି ଭଲ ଫସଲ ପାଇଁ ଅନୁକୂଳ ବର୍ଷା ହେବ। ଅନ୍ୟପକ୍ଷରେ ଫସଲ ଭଲ ହେବ ବୋଲି ପୂର୍ବସୂଚନା ଭାବରେ ଚାଷୀ ବିଶ୍ୱାସ କରିଥାନ୍ତି। ସହରାଞ୍ଚଳ ବୃଦ୍ଧି କାରଣରୁ ସେମାନଙ୍କର ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବାରେ ଲାଗିଛି। ତା’ସହିତ ଛତିଶଗଡ଼ ଏବଂ ଓଡ଼ିଶାର ଆଦିବାସୀବହୁଳ ଅଞ୍ଚଳରେ ବାସକରୁଥିବା ଜନସାଧାରଣ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଯେଉଁସବୁ ପାରମ୍ପରିକ ଔଷଧ ବ୍ୟବହାର କରୁଛନ୍ତି, ସେଥିପାଇଁ ମଧ୍ୟ ସାଧବବୋହୂ ବଂଶ ଲୋପ ପାଉଛି। କାରଣ ସାଧବବୋହୂ ଦେହରୁ ବାହାରୁଥିବା ତୈଳ ସହିତ ଅନ୍ୟାନ୍ୟ ଗୁଳ୍ମ ମିଶାଇ ଯେଉଁ ଔଷଧ ପ୍ରସ୍ତୁତ କରାଯାଉଛି ତାହା ଦଶଟି ବିଭିନ୍ନ ରୋଗର ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଉଛି। ସେଥିମଧ୍ୟରେ ପକ୍ଷାଘାତ, ପରିସ୍ରାଜନିତ ସମସ୍ୟା, ମେଲେରିଆ ଆଦି ଅନ୍ୟତମ। ବର୍ଷାଦିନେ ଏହି କୀଟକୁ ସଂଗ୍ରହ କରାଯାଇ ବର୍ଷତମାମ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ, ଟ୍ରମ୍ବିଡିୟମକୁ ଆଫ୍ରୋଡିଜିଆକ୍ ବା ଭାରତୀୟ ଭାଏଗ୍ରା ଭାବରେ ମଧ୍ୟ ବ୍ୟବହାର କରାଯାଉଛି। ତା’ସହିତ ଚାଷଜମିରେ ବ୍ୟାପକ ପରିମାଣର କୀଟନାଶକ ବ୍ୟବହାର କାରଣରୁ ସାଧବବୋହୂ ବିଲୁପ୍ତ ହୋଇଯାଉଛନ୍ତି।