ନିଷ୍ଟ ବିଶ୍ଵବିଦ୍ୟାଳୟରେ ଶୁଖିଲା ବର୍ଜ୍ୟବସ୍ତୁର ପୁନଃଚକ୍ରଣ ଉପରେ ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର : ପାଲୁର ହିଲ୍ ନିକଟରେ ଥିବା ନିଷ୍ଟ ବିଶ୍ଵବିଦ୍ୟାଳୟରେ ଶୁଖିଲା ବର୍ଜ୍ୟ ବସ୍ତୁର ପୁନଃଚକ୍ରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ସ୍ଥିତ “ପେପର୍ ସାଇକଲ ଡ଼ଟ୍ ଇନ୍” ର ସହ ପ୍ରତିଷ୍ଠାତା  ନିଲେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ଜ୍ୟ ବସ୍ତୁ ଓ ଏହାର ପ୍ରକୃତି ଉପରେ ପଡ଼ୁଥିବା କୁପ୍ରଭାବ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହ ଶୁଖିଲା ବର୍ଜ୍ୟ ବସ୍ତୁ ଓ ଓଦା ବର୍ଜ୍ୟ ବସ୍ତୁ ପାଇଁ ଅଲଗା ଅଲଗା ଡଷ୍ଟବିନ୍ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ । ସଭାରେ ମୁଖ୍ୟ ବକ୍ତା ଭାବେ,ବିଶ୍ଵବିଦ୍ୟାଳୟର ସଭାପତି ଡ. ସୁକାନ୍ତ ମହାପାତ୍ର ଯୋଗଦାନ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ପ୍ରଦୂଷଣର ଭୟାବହତା ଏଵଂ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ପାଇଁ ଆହ୍ୱାନ ଦେଇଥିଲେ ।

ବିଶ୍ଵବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ପି ରାଜେଶ କୁମାର କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନକୁ ଆମ ବିଶ୍ବ ବିଦ୍ୟାଳୟରରେ ସଫଳ କରାଇବା ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ସୂଚନା ଦେଇଥିଲେ । ଏଥିସହ ଏହି ମିଶନକୁ ସଫଳ କରାଇବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ଜଣାଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଶ୍ଵ ବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ଡ. ବିଷ୍ଣୁକର ନାୟକ ଏକ ସ୍ବଚ୍ଛ ପରିବେଶ ପାଇଁ ପିଲାମାନଙ୍କୁ ଆଜିଠାରୁ ଶପଥ ନେଇ କାମ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ । ସର୍ବଶେଷରେ ବିଶ୍ଵବିଦ୍ୟାଳୟର ପ୍ରଶାସନିକ ମୁଖ୍ୟ ଇଂ ସୁଲେମାନ ଅଲ୍ଲୀ ତାଙ୍କ ଅଭିଭାଷଣରେ ସଭାପତିଙ୍କ ଆଗ୍ରହ ଓ ଉଦ୍ୟମ ବଳରେ ବିଶ୍ଵ ବିଦ୍ୟାଳୟର ପରିସର ହୋଇଥିବା ପରିବେଶ ସୈନ୍ଦର୍ଯ୍ୟକରଣ କାର୍ଯ୍ଯର ସୂଚନା ଦେଇଥିଲେ । ସଭାର ସଂଯୋଜକ ଡ. ରତିକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବି-ଟେକ ଦ୍ୱିତୀୟ ବର୍ଷର ଛାତ୍ରୀ ଅଭିପ୍ପା ଦାସ ଓ ଛାତ୍ର  ଅସ୍ମିତ୍ରା ଅର୍ପିତ ସାମନ୍ତରାୟ ସୁନ୍ଦର ଭାବେ ସଭା ପରିଚାଳନା କରିଥିଲେ । ଏକ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ କାମାକ୍ଷି ବ୍ରହ୍ମା, ଡ ସୁଶାନ୍ତ କୁମାର ସାହୁ, ପିତାମ୍ବର ସାହୁ, ପ୍ରଫେସର ଆଶିଷ ଦାସ, ପ୍ରଫେସର୍ ସିମାଞ୍ଚଳ ପାଣିଗ୍ରାହି, ଡ ସୁବ୍ରତ କୁମାର ଭୂୟାଁ ଯୋଗ ଦେଇ ସଭାକୁ ସଫଳ କରାଇଥିଲେ । ପରିଶେଷରେ “ପେପର୍ ସାଇକଲ ଡଟ୍ ଇନ୍” କମ୍ପାନୀ  “ନିଷ୍ଟ୍ ବିଶ୍ଵବିଦ୍ୟାଳୟ”  ମଧ୍ୟରେ ଏକ ଏମଓୟୁ ଚୁକ୍ତି ହେଇଥିଲା ଯାହା ଦ୍ଵାରା କଂପାନୀ ବିଶ୍ଵବିଦ୍ୟାଳୟର ସମସ୍ତ ଶୁଖିଲା ବର୍ଜ୍ୟବସ୍ତୁକୁ ସଂଗ୍ରହ କରି ଏହାର ସୁପରିଚାଳନା ପାଇଁ ଉତ୍ତରଦାୟୀ ରହିବ ।

Comments are closed.