www.samajalive.in
Sunday, December 14, 2025
19.1 C
Bhubaneswar

ହେଉନି ଅନୁଧ୍ୟାନ ; ରତ୍ନ ଅଳଙ୍କାର ସୁରକ୍ଷା ନେଇ ଆଶଙ୍କା

ପୁରୀ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବଢୁଛି ବିବାଦ। ୧୯୭୦ ପରଠାରୁ ଜିଲା କୋଷାଗାରକୁ ରତ୍ନଭଣ୍ଡାର ଚାବି ଯାଇ ନ ଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। କୋଷାଗାର ଷ୍ଟ୍ରଙ୍ଗରୁମ୍‌ରେ ଜମାଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଅଳଙ୍କାର ସମେତ ମୂଲ୍ୟବାନ ଦସ୍ତାବିଜ୍‌ ଯାଞ୍ଚ କରାଯିବା ପରେ ଏଭଳି ତଥ୍ୟ ଲୋକଲୋଚନକୁ ଆସିଛି। ସୂଚନା ଅଧିକାର ଆଇନ ଅନୁଯାୟୀ ଜିଲା କୋଷାଗାର ଅଧିକାରୀ ଗୁରୁବାର ସାମାଜିକ କର୍ମୀ ଦିଲୀପ କୁମାର ବରାଳଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଜଣାଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯଦି ଜିଲା କୋଷାଗାର କିମ୍ବା ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଭିତର ରତ୍ନଭଣ୍ଡାର ଚାବି ନଥିଲା ତାହେଲେ ତାହାକୁ ଖୋଲିବା ପାଇଁ ୨୦୧୮ ଏପ୍ରିଲ ୪ ତାରିଖରେ ମୁଖ୍ୟ ପ୍ରଶାସକଙ୍କ ସମେତ ଏକ ସ୍ବତନ୍ତ୍ର ଦଳ ସେଠାକୁ ଯାଇଥିଲେ କିପରି ? ଚାବି ନଥିବାରୁ ସେଦିନ ଭିତର ରତ୍ନଭଣ୍ଡାର କବାଟ ଖୋଲି ନପାରି ପ୍ରଶାସନିକ ଅଧିକାରୀ ଫେରିଥିଲେ। ଏହାର କିଛିଦିନ ପରେ ୨୦୧୮ ଜୁନ୍‌ ୧୩ରେ ଜିଲାପାଳଙ୍କ ମହାଫିସଖାନା(ରେକର୍ଡ ରୁମ୍‌)ରୁ ରତ୍ନଭଣ୍ଡାର ଚାବି ମିଳିଥିଲା।
ଭିତର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେବାପରେ ରାଜ୍ୟ ସରକାର ଏଥିପାଇଁ ମନ୍ଦିର ପ୍ରଶାସନକୁ ଅନୁମତି ଦେଇଥିଲେ। ତେଣୁ ମୁଖ୍ୟ ପ୍ରଶାସକଙ୍କ ନେତୃତ୍ବରେ ୧୬ଜଣିଆ କମିଟି ଗଠନ କରାଯାଇଥିଲା। ତେବେ ପାଖରେ ଚାବି ନଥିବାରୁ କବାଟ ଖୋଲି ନ ପାରି ଲୁହା ଜାଲିପଟେ ଭିତରକୁ ଆଲୋକ ପକାଇ କମିଟି ରତ୍ନଭଣ୍ଡାର ସ୍ଥିତି ବାହାରୁ ଅନୁଧ୍ୟାନ କରାଯାଇଥିଲା। ଏହାପରେ ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଓଡ଼ିଶା ଉଚ୍ଚନ୍ୟାୟାଳୟ ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାଶଙ୍କୁ ନେଇ ସରକାର ତଦନ୍ତ କମିସନ ଗଠନ କରାଯାଇଥିଲା। କମିସନ ପ୍ରାୟ ୨ବର୍ଷ ତଳୁ ତଦନ୍ତ ଶେଷକରି ରାଜ୍ୟ ସରକାରଙ୍କ ନିକଟରେ ବିବରଣୀ ଦାଖଲ କରିଛନ୍ତି। ତେବେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ବିଚାର ବିଭାଗୀୟ ତଦନ୍ତ ବିବରଣୀ ସାଧାରଣରେ ପ୍ରଘଟ କରିନାହାନ୍ତି।
ଅନ୍ୟପକ୍ଷରେ ଭିତର ରତ୍ନଭଣ୍ଡାର ଛାତ, କାନ୍ଥ ଏବଂ ଚଟାଣରୁ ପାଣି ଝରୁଥିବା ଅଭିଯୋଗ ହୋଇଛି। ରତ୍ନଭଣ୍ଡାର ଜରୁରୀ ମରାମତି ପାଇଁ ଦାୟିତ୍ବରେ ଥିବା ସେବାୟତ ମନ୍ଦିର ପ୍ରଶାସନକୁ ବହୁଦିନରୁ ଲିଖିତ ଭାବେ ଜଣାଇ ସାରିଛନ୍ତି। ଏସବୁ ସତ୍ତ୍ବେ ଭିତର ରତ୍ନଭଣ୍ଡାର ଖୋଲିବା ସହ ତା’ର ଜରୁରୀ ମରାମତି ସମ୍ପର୍କରେ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ପ୍ରଶାସନିକ ସ୍ତରରେ ଚରମ ଅବହେଳା ଯୋଗୁଁ ଭିତର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ରତ୍ନ ଅଳଙ୍କାରର ସ୍ଥିତି ନେଇ ଆଶଙ୍କା ପ୍ରକାଶ ପାଇଛି। ପ୍ରତି ୩ବର୍ଷରେ ଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ବ୍ୟବସ୍ଥା ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ରହିଛି। ଜିଲା ମହାଫିସଖାନାରୁ ରତ୍ନଭଣ୍ଡାର ଚାବି ମିଳିଥିଲେ ମଧ୍ୟ ଭିତର ରତ୍ନଭଣ୍ଡାର ଖୋଲା ନ ଯିବା ଘଟଣା ଜଗନ୍ନାଥପ୍ରେମୀଙ୍କୁ ବିସ୍ମିତ କରିଛି। ତେଣୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ଭିତ୍ତିକରି ଯଥାଶୀଘ୍ର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯାଇ ତାହାର ସ୍ଥିତି ଅନୁଧ୍ୟାନ କରାଯିବା ସହ ଆବଶ୍ୟକ ମରାମତି ଏବଂ ମୂଲ୍ୟବାନ ରତ୍ନଅଳଙ୍କାରଗୁଡ଼ିକର ପୁନଃଆକଳନ କରାଯିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା ପ୍ରତିକ୍ରିୟାରେ କହିଛନ୍ତି ଯେ, ଭିତର ରତ୍ନଭଣ୍ଡାର ଖୋଲାଯିବା ସମ୍ପର୍କରେ ପରିଚାଳନା କମିଟି ନିଷ୍ପତ୍ତି ଗ୍ରହଣ କରିପାରିବେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories