କଲମପୁର : ଦେଖି ଚାହିଁ ଚାଲ, ଏହି ରାସ୍ତା ସାରା ଖାଲ। ଟିକିଏ ଅନ୍ୟମସ୍କ ହେଲ, ସେଇଠାରେ ହିଁ ଦୁର୍ଘଟଣାକୁ ହାତ ଠାରି ଡାକୁଛି ରାସ୍ତା । ଏ ହେଉଛି କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଅଧିନରେ ଥିବା କଲମପୁର ଠାରୁ ମୁଖିଗୁଡାକୁ ସଂଯୋଗ କରୁଥିବା ପଣ୍ଡିଗାଁ ଛକରୁ ଚୁରାଗାଁ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାର ଅବସ୍ଥା । ପଣ୍ଡିଗାଁ ଛକରୁ ଚୁରାଗାଁ ମାତ୍ର ୧୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତା। ସମଗ୍ର ରାସ୍ତା ଖାଲ ଖମାରେ ଭର୍ତ୍ତି । ଏହି ରାସ୍ତା ଦେଇ ବନ୍ଧକନା, ହରାମାଲ ଅଞ୍ଚଳର ଛାତ୍ରଛାତ୍ରୀ ରୀତିମତ କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟ ସମେତ କଲେଜରେ ପଢିବା ପାଇଁ ଯାତାୟତ କରିଥାନ୍ତି । ସେହିଭଳି ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକର ଲୋକେ ଜୟପାଟଣା, କୋକସରା ସମେତ ନବରଙ୍ଗପୁର ଜିଲ୍ଲା ଏବଂ ଛତିଶଗଡ ରାଜ୍ୟକୁ ଯାତାୟତ କରିଥାନ୍ତି । ଏହି ରାସ୍ତା ଉଭୟ ଥୁଆମୁଳ ରାମପୁର ଓ କଲମପୁର ବ୍ଲକବାସୀଙ୍କ ପାଇଁ ଜୀବନରେଖା । କିନ୍ତୁ ପରିତାପର ବିଷୟ ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ହେଇ ପଡିଛି । ସବୁବେଳେ ଛୋଟ ବଡ ଦୁର୍ଘଟଣା ଘଟୁଛି । ବାରମ୍ବାର ଅଞ୍ଚଳବାସୀ ରାସ୍ତର ଉନ୍ନତି ପାଇଁ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ବିଭାଗକୁ ଅନୁରୋଧ କରି ସାରିଥିଲେ ମଧ୍ୟ କେହି ଅଧିକାରୀ ଅଥବା ସ୍ଥାନୀୟ ଜନ ପ୍ରତିନିଧି ଗୁରୁତ୍ୱ ଦେଇ ନାହାଁନ୍ତି । ଯେଉଁଥିପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଇଛି। ଏନେଇ ଆଜି ଗ୍ରାମବାସୀ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ପ୍ରତିବାଦ କରିଛନ୍ତି । ଏହାସହ ଆଗାମୀ ଦିନରେ ରାସ୍ତାର ଉନ୍ନତିକରଣ କରାନଗଲେ ରାସ୍ତା ଅବରୋଧ କରିବା ପାଇଁ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟଯେ, ହାତୀ ନଦୀ ପାତ୍ରବସା ଘାଟ ଠାରେ ପୋଲ ନିର୍ମାଣ ହେଇ ସାରିବା ପରେ ଏହି ରାସ୍ତା ଏବେ ମୁଖ୍ୟ ରାସ୍ତା ପାଲଟିଛି । ଯେଉଁଥିପାଇଁ ସବୁବେଳେ ଶହ ଶହ ଯାନ ବାହାନ ଚଳାଚଳ କରୁଛି । ଭବାନିପାଟଣା ମୁଖିଗୁଡା, ଭବାନିପାଟଣା ପରୁଆଗୁଡା, ନବରଙ୍ଗପୁର କଲମପୁର ଆଦି ଯାତ୍ରୀବାହୀ ବସ ସମେତ ହାତୀ ନଦୀ ପାତ୍ରବସା ବାଲିଘାଟରୁ ବାଲି ଉତୋଳନ ହେବା ପରେ ବାଲି ବୋଝେଇ ହାଇୱା ସବୁ ଯାତାୟତ କରୁଛି । ଯେଉଁଥିପାଇଁ ରାସ୍ତାର ଅବସ୍ଥା ଦୟନୀୟ ହେଇ ପଡିଛି । ବାଲି ସମେତ ଯାନ ବାହାନ ଚଳାଚଳ ଯୋଗୁଁ ସରକାର ରାଜସ୍ୱ ପାଉଥିଲେ ମଧ୍ୟ ରାସ୍ତାର ମରାମତି ଦିଗରେ ଗୁରୁତ୍ୱ ନ ଦେବା ପରିତାପର ବିଷୟ । ତେଣୁ ତୁରନ୍ତ ଏହି ରାସ୍ତାର ଉନ୍ନତିକରଣ କରିବା ପାଇଁ ସାଧାରଣରେ ଦାବି କରାଯାଉଛି।



