www.samajalive.in
Sunday, December 14, 2025
19.1 C
Bhubaneswar

ବିହାର ବିଧାନସଭାରୁ ଓଡ଼ିଶା ଆସିଲା ୧୦୦ ବର୍ଷର ପୁରୁଣା ନଥି, ଗବେଷକ ଓ ଭବିଷ୍ୟତ ପିଢ଼ି ପାଇଁ ମିଳିବ ଦିଗ୍‌ଦର୍ଶନ

ଭୁବନେଶ୍ୱର: ୧୯୨୨ ମସିହାରେ ତତ୍‌କାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଉତ୍କଳଗୌରବ ମଧୁସୂଦନ ଦାସ ଓ ପରବର୍ତ୍ତୀ ସମୟରେ ଉତ୍କଳମଣି ଗୋପବନ୍ଧୁ, ବାଗ୍ମୀ ବିଶ୍ୱନାଥ କର, ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ପ୍ରମୁଖ ନେତୃବୃନ୍ଦଙ୍କ ଦ୍ୱାରା ଉପସ୍ଥାପିତ ତର୍କ-ବିବରଣୀ ଓଡ଼ିଶା ବିଧାନସଭାକୁ ଉପଲବ୍ଧ ହୋଇଛି। ଦୀର୍ଘ ୧୦୦ ବର୍ଷ ପରେ ବିହାର ବିଧାନସଭାରୁ ଏସବୁ ପୁରୁଣା ନଥି ଅଣାଯାଇପାରିଛି। ଏପରି ଗୁରୁତ୍ୱପୂର୍ଣ୍ଣ ସଂଗ୍ରହଣରୁ ଅନେକ ଅନାଲୋଚିତ ପ୍ରସଙ୍ଗ ମିଳିବ ଓ ସେସବୁ ଗବେଷକ ତଥା ଭବିଷ୍ୟତ ପିଢ଼ିକୁ ନୂତନ ଦିଗ୍‌ଦର୍ଶନ ଦେବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ବିଧାନସଭାରେ କେବଳ ୧୯୩୭ ମସିହାଠାରୁ ବିଧାୟକମାନଙ୍କ ବିବରଣୀ ରହିଛି। ତତ୍‌କାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଓଡ଼ିଶାର ନେତୃବୃନ୍ଦଙ୍କ ବକ୍ତବ୍ୟର ବିବରଣୀ ଓଡ଼ିଶାରେ ଉପଲବ୍ଧ ନଥିଲା । ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଶ୍ରୀରାମ ଦାଶ ୧୯୭୯ ମସିହାରେ ବିଧାନସଭା ଗ୍ରନ୍ଥାଗାରକୁ ଆସି ଏହି ତଥ୍ୟ ଖୋଜି ନପାଇବା ପରେ ନଥିପତ୍ର ସଂଗ୍ରହ କରିବାକୁ ବିଧାନସଭା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିଦିନଠାରୁ ଏହି ନଥି ସଂଗ୍ରହଣ ଉଦ୍ୟମ ଜାରି ରହିଥିଲା। ୨୦୦୧ ମସିହାରେ ସାମ୍ବାଦିକ ଶ୍ରୀ ଦାଶ ତତ୍‌କାଳୀନ ବିଧାନସଭା ବାଚସ୍ପତି ଶରତ କୁମାର କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତତ୍‌କାଳୀନ ସଚିବ ଜଗଦୀଶ୍‌ ପ୍ରସାଦ ଦାଶ ଜନୈକ କର୍ମଚାରୀ ରବି ନାରାୟଣ ମିଶ୍ରଙ୍କୁ ଏଥି ପାଇଁ ପାଟନା ପଠାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଲୋକସଭାର ତତ୍‌କାଳୀନ ବାଚସ୍ପତି ସ୍ୱର୍ଗତ ରବି ରାୟଙ୍କ ସହିତ ସାମ୍ବାଦିକ ଶ୍ରୀ ଦାଶ ଯୋଗାଯୋଗ କରିଥିଲେ ମଧ୍ୟ ବିହାରରୁ କୌଣସି କାଗଜପତ୍ର ଆସିପାରିନଥିଲା। ୨୦୨୧ରେ ପୁନଶ୍ଚ ଓଡ଼ିଶା ବିଧାନସଭାର ତତ୍‌କାଳୀନ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଓ ଯୁଗ୍ମ ନିର୍ଦ୍ଦେଶକ ଶିବ ପ୍ରସାଦ ପଟ୍ଟନାୟକଙ୍କୁ ଏହି ଦାୟିତ୍ୱ ଦେଇଥିଲେ । ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ଏ ସଂପର୍କରେ ବିହାର ବିଧାନସଭା ସହ ଯୋଗାଯୋଗ କରିଥିଲେ ଏବଂ ସଚିବ ଶ୍ରୀ ଶତପଥୀ ନଥିପତ୍ର ସଂପର୍କରେ ବିହାର ବିଧାନସଭା ସଚିବଙ୍କୁ ଚିଠି ଲେଖିଥିଲେ । ଗବେଷଣା ଅଧିକାରୀ ଜୟକୃଷ୍ଣ ପ୍ରଧାନ ଓ ସ୍ୱତନ୍ତ୍ର କାର୍ଯ୍ୟକାରୀ ଅଧିକାରୀ (ଗବେଷଣା) ଅମୂଲ୍ୟ କୁମାର ସ୍ୱାଇଁଙ୍କୁ ଏଥି ନିମନ୍ତେ ବିହାରର ରାଜଧାନୀ ପାଟନା ପଠାଯାଇଥିଲା । ଶ୍ରୀ ପ୍ରଧାନ ଓ ଶ୍ରୀ ସ୍ୱାଇଁ ପାଟନାରେ ରହି ବିହାର ବିଧାନ ପରିଷଦରେ ଉପଲବ୍ଧ ବିବରଣୀ ସହ ବିଭିନ୍ନ ତଥ୍ୟ ସଂଗ୍ରହ କରି ଓଡ଼ିଶା ଫେରିଲେ। ଏହା ଫଳରେ ଓଡ଼ିଶା ବିଧାନସଭାକୁ ୧୦୦ ବର୍ଷ ତଳର ପୁରୁଣା ନଥି ପହଞ୍ଚିପାରିଛି।
ପ୍ରକାଶଯୋଗ୍ୟ ଯେ ତତ୍‌କାଳୀନ ମାଡ୍ରାସ ପ୍ରେସିଡେନ୍‌ସୀରେ ସ୍ୱର୍ଗତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସମେତ ଅନ୍ୟ ନେତୃବୃନ୍ଦଙ୍କ ଦ୍ୱାରା ଉପସ୍ଥାପିତ ଓଡ଼ିଶା ସଂପର୍କିତ ତଥ୍ୟ ସଂଗ୍ରହଣ ପାଇଁ ତାମିଲନାଡୁ ବିଧାନସଭା ସହ ମଧ୍ୟ ଓଡ଼ିଶା ବିଧାନସଭା ପକ୍ଷରୁ ଯୋଗାଯୋଗ କରାଯାଇଛି । ତେଣୁ ବିଭିନ୍ନ ତଥ୍ୟ ଓଡ଼ିଶା ବିଧାନସଭାକୁ ତାମିଲନାଡୁରୁ ଆସିବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି ।
ବରିଷ୍ଠ ସାମ୍ବାଦିକ ଶ୍ରୀ ଦାଶଙ୍କ ନିରବଚ୍ଛିନ୍ନ ପ୍ରୟାସ ସାଙ୍ଗକୁ ବିଧାନସଭା ସଚିବ ଶ୍ରୀ ଶତପଥୀ ଓ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକଙ୍କ ନିଷ୍ଠାପର ଉଦ୍ୟମ ବଳରେ ଏହି ଐତିହାସିକ ନଥିପତ୍ର ହାସଲ କରାଯାଇପାରିଥିବାରୁ ବାଚସ୍ପତି ଶ୍ରୀ ଆରୁଖ ଆନନ୍ଦ ପ୍ରକାଶ କରିଛନ୍ତି ଓ ସଂପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories