ଦୁଷ୍କର୍ମ ପରେ ଗଳା କାଟି ହତ୍ୟା ଉଦ୍ୟମ: ୮ ବର୍ଷର ନାବାଳିକା ଗୁରୁତର, ପୁଲିସ ହେପାଜତରେ ୨ ଅଭିଯୁକ୍ତ

ଚିକିଟି: ଗଞ୍ଜାମ ଜିଲାରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଚିକିଟି ବ୍ଲକ ଉପକୂଳବର୍ତ୍ତୀ ସୁରଳ ଗ୍ରାମରେ। ମିଳିଥିବା ଜଣେ ୮ ବର୍ଷର ଝିଅ ଓ ତାର ଛୋଟ ଭାଇ ଖେଳୁଥିବା ବେଳେ ସାନଭାଇଟି ଶୌଚ ଯିବାକୁ କହିଥିଲା। ଭଉଣୀ ଭାଇକୁ ଘର ନିକଟ ପଡ଼ିଆକୁ ଶୌଚ କରାଇବାକୁ ନେଇଥିଲା। ସେଠାରେ ନିଶ୍ୱାସକ୍ତ ଅବସ୍ଥାରେ ପୂର୍ବରୁ ଛକି ରହିଥିବା ଦୁଇ ଦୁର୍ବୁତ୍ତ ୠତୁ ବେହେରା ଓ ହେମନ୍ତ ବେହେରା ନାବାଳିକାକୁ ବଳପୂର୍ବକ ଟେକି ନେଇ ଏକ ପରିତ୍ୟକ୍ତ ଘରେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଉଭୟେ ନାବଳିକାର ତଂଟି କାଟି ଦେଇଥିଲେ। ଛୋଟ ଭାଇଟି ପାଟି କରିବାରୁ କିଛି ଲୋକ ରୁଣ୍ଡ ହୋଇ ଋତୁ ବେହେରାଙ୍କୁ କାବୁ କରିଥିଲା ବେଳେ ହେମନ୍ତ ଦୌଡ଼ି ଯାଇ ଲୁଚି ଯାଇଥିଲା।

ନାବାଳିକାକୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଲୋକେ ଋତୁକୁ ନିର୍ଧୁମ ଛେଚିବା ପରେ ଗ୍ରାମରେ ପୁଲିସ ପହଞ୍ଚି ତାକୁ ଥାନାକୁ ନେଇ ଆସ଼ିଥିଲା। ପରେ ଗ୍ରାମବାସୀ ଖୋଜାଖୋଜି କରି ହେମନ୍ତକୁ ଧରି ଉତ୍ତମ ମଧ୍ୟମ ଦେବା ସହ ଖୁଣ୍ଟରେ ବାନ୍ଧି ଦେଇଥିଲେ। ପୁଲିସ ପହଞ୍ଚି ତାକୁ ମଧ୍ୟ ଉଦ୍ଧାର କରି ଥାନାକୁ ଆଣିଛି ଓ ଋତୁକୁ ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ପଠେଇଥିବା ବେଳେ ହେମନ୍ତକୁ ଗିରିସଲା ମେଡିକାଲରେ ଭର୍ତ୍ତି କରିଛି। ଏପରି ସମ୍ବେଦନଶୀଳ ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ଏନେଇ ଏସପି କହିଛନ୍ତି ଯେ ଡାକ୍ତରୀ ରିପୋର୍ଟ ଆସିବା ପରେ ସବୁ ରହସ୍ୟ ଜଣାପଡିବ।

Comments are closed.