ଶିବସୁନ୍ଦର ମଣିପୁର ରଣଜୀ ଦଳର ପ୍ରଶିକ୍ଷକ

0

କଟକ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପ୍‍ନର ଶିବସୁନ୍ଦର ଦାସ ମଣିପୁର ରଣଜୀ ଟ୍ରଫି ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଚଳିତବର୍ଷ ୯ଟି ନୂଆ ଦଳକୁ ରଣଜୀ ଟ୍ରଫି ଖେଳିବାର ସୁଯୋଗ ବିସିସିଆଇ ଦେଇଛି। ଏହି ୯ଟି ଦଳ ମଧ୍ୟରେ ରହିଛି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁର। ଫୁଟ୍‍ବଲ ଓ ବକ୍ସିଂରେ ମଣିପୁର ବେଶ୍‍ ଶକ୍ତିଶାଳୀ ହୋଇଥିଲେ ହେଁ କ୍ରିକେଟରେ ଏହା ଏତେ ଶକ୍ତିଶାଳୀ ନୁହେଁ। ତେଣୁ ରଣଜୀ ଟ୍ରଫି ପରି ଏକ ଜାତୀୟସ୍ତରର ଟୁର୍ଣ୍ଣାମେଣ୍ଟ ଲାଗି ମଣିପୁର ଦଳକୁ ପ୍ରସ୍ତୁତ କରିବା ତାଙ୍କ ପାଇଁ ଏକ ବଡ଼ ଆହ୍ୱାନ ବୋଲି ଶିବସୁନ୍ଦର କହିଛନ୍ତି।
ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହ ପୁଡୁଚେରୀ, ଉତ୍ତରାଖଣ୍ଡ ଓ ବିହାରକୁ ନେଇ ରଣଜୀ ଟ୍ରଫି ପ୍ଲେଟ୍‍ ଗ୍ରୁପ୍‍ରେ ମଣିପୁର ସ୍ଥାନପାଇଛି। ନୂତନକରି ରଣଜୀ ଟ୍ରଫି ଖେଳିବାକୁ ଯାଉଥିବା ରାଜ୍ୟମାନଙ୍କର ପ୍ରଶିକ୍ଷକ ନିଯୁକ୍ତି କରିବା ଦାୟିତ୍ୱ ବିସିସିଆଇ ନେଇଥିଲା। ତେବେ ଶିବସୁନ୍ଦରଙ୍କୁ ତାଙ୍କ ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେବାର ଆଗ୍ରହ ପ୍ରକାଶ କରିଥିଲେ ମଣିପୁର କ୍ରିକେଟ ଆସୋସିଏସନ୍‍ର ସମ୍ପାଦକ ସିଙ୍ଗମ୍‍ ପ୍ରିୟାନନ୍ଦ ସିଂହ। ଭାରତ ପାଇଁ ୨୩ଟି ଟେଷ୍ଟମ୍ୟାଚ୍‍ ଖେଳିବା ସହ ଓଡ଼ିଶା ରଣଜୀ ଟ୍ରଫି ଦଳର ନେତୃତ୍ୱ ନେଇଥିବା ଶିବସୁନ୍ଦର ଦାସଙ୍କ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ମଣିପୁରର କ୍ରିକେଟରଙ୍କୁ ଦିଗ୍‍ଦର୍ଶନ ଦେବାର ଦାୟିତ୍ୱ ମିଳିଛି। ଉତ୍ତର-ପୂର୍ବାଞ୍ଚଳରେ କ୍ରିକେଟ ପ୍ରଶିକ୍ଷଣ ଦେବା ଶିବସୁନ୍ଦରଙ୍କ ପାଇଁ କିଛି ନୂଆ କଥା ନୁହେଁ। ସୂଚନାଯୋଗ୍ୟ; ୨ ବର୍ଷ ତଳେ ଶିଲଂରେ ଉତ୍ତର-ପୂର୍ବାଞ୍ଚଳର ରାଜ୍ୟର ୧୯ ବର୍ଷରୁ କମ୍‍ କ୍ରିକେଟରଙ୍କ ଏକ ଶିବିର ଶିବସୁନ୍ଦର ପରିଚାଳନା କରିଥିଲେ। ଉକ୍ତ ଶିବିର ସମୟରେ ଶିବସୁନ୍ଦରଙ୍କୁ ପ୍ରିୟାନନ୍ଦ ସିଂହ ଭେଟି ତାଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ଶିବିରରେ ଥିବା ମଣିପୁରର କିଛି ଖେଳାଳି ଏବେ ରଣଜୀ ଖେଳିବାକୁ ଯାଉଛନ୍ତି। ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର ଶିବସୁନ୍ଦର ଦାସ ବିସିସିଆଇ ଲେଭ୍‍ଲ ‘ବି’ ପ୍ରଶିକ୍ଷଣ ପାଠ୍ୟକ୍ରମ ପାସ୍‍ କରିଛନ୍ତି ଏବଂ ମ୍ୟାଚ୍‍ ରେଫେରୀ ହେବାର ଯୋଗ୍ୟତା ହାସଲ ମଧ୍ୟ ସେ କରିଛନ୍ତି। ତାଙ୍କର ଓଡ଼ିଶା ରଣଜୀ ଦଳକୁ ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ରହିଛି। ଇତିମଧ୍ୟରେ ଶିବସୁନ୍ଦର ଇମ୍ଫାଲ ଯାଇ ମଣିପୁର କ୍ରିକେଟ ଆସୋସିଏସନ୍‍ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଫେରିଛନ୍ତି।
ମଣିପୁରର ରଣଜୀ କୋଚ୍‍ ନିଯୁକ୍ତ ହେବା ବିଷୟରେ ଶିବସୁନ୍ଦର କହନ୍ତି, କ୍ରୀଡ଼ା ପ୍ରତି ମଣିପୁରବାସୀଙ୍କର ବହୁତ ଆଗ୍ରହ ରହିଛି। ତେବେ ହଠାତ୍‍ ମଣିପୁର ଦଳଠାରୁ ଫଳାଫଳ ଆଶାକରିବା ଠିକ୍‍ନୁହେଁ। ଏଥିପାଇଁ ୪/୫ ବର୍ଷ ଲାଗିବ। ଶିବସୁନ୍ଦର ଦାସ ୧୯୯୩/୯୪ ସିଜିନ୍‍ରେ ପ୍ରଥମ ଶ୍ରେଣୀ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍‍ରେ ସେ ୧୮୦ଟି ମ୍ୟାଚ୍‍ ଖେଳି ୧୦୯୦୮ ରନ୍‍ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ଥିଲା ଅପରାଜିତ ୩୦୦ ରନ୍‍। ସେ ମୋଟ୍‍ ୨୩ଟି ଟେଷ୍ଟ ମ୍ୟାଚ୍‍ ଖେଳି ୧୩୨୬ ରନ୍‍ ସଂଗ୍ରହ କରିଛନ୍ତି। ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ୧୧୦ ରନ୍‍। ସେ ଭାରତ ପାଇଁ ୪ଟି ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି।

Leave A Reply