କାଜୁ ଜଙ୍ଗଲକୁ ନେଇ ଗୋଷ୍ଠୀ ସଂଘର୍ଷ : ୨ ମୃତ, ୧୩ ଆହତ
ରଣପୁର/ଟାଙ୍ଗୀ/ରଣପୁରଗଡ଼ : ଚାନ୍ଦପୁର ଥାନା ରାଇପଡା କାଜୁ ଜଙ୍ଗଲକୁ ନେଇ ଗୋଷ୍ଠୀ ସଂଘର୍ଷରେ ଗୋଟିଏ ଗୋଷ୍ଠୀର ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ଉଭୟ ଗୋଷ୍ଠୀ ପକ୍ଷରୁ ଅଭିେଯାଗ ହୋଇଥିଲା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ପୁଲିସ କାହାରିକୁ ଗିରଫ କରିନାହିଁ। ଅପରପକ୍ଷରେ ପୁଲିସ ନିଷ୍କ୍ରିୟତା ଯୋଗୁ ଏପରି ଘଟଣା ଘଟିଲା ବୋଲି ଅଭିେଯାଗ ହେଉଛି। ରାଇପଡା ଗ୍ରାମର ବେଣୁଧର ପ୍ରଧାନ ଚାନ୍ଦପୁର ଥାନାରେ କରିଥିବା ଅଭିଯୋଗ ଅନୁସାରେ ୨୦୧୯-୨୦ ମସିହାରେ ଓଡିଶା କାଜୁ ନିଗମ ତରଫରୁ କଦମଝୋଲା ମୌଜାରେ ଥିବା କାଜୁ ଜଙ୍ଗଲକୁ ଲିଜ ସୂତ୍ରରେ ଆଣି କାଜୁ ଚାଷ କରିଛନ୍ତି। ଏବେ ଅମଳ ସମୟ ହୋଇଥିବାରୁ ରାଇପଡା ଗ୍ରାମର କିଛି ଆଦିବାସୀ ଲୋକଙ୍କ ସହାୟତାରେ ୯ କୁଇଣ୍ଟାଲ ମଞ୍ଜି ସଂଗ୍ରହ କରି ସାଇତି ରଖିଥିଲେ। ହଠାତ ରାଇପଡା ସରପଞ୍ଚ ବ୍ରହ୍ମଚାରୀ ମାଝୀଙ୍କ ନେତୃତ୍ୱରେ ୩୦ରୁ ଅଧିକ ବ୍ୟକ୍ତି ଠେଙ୍ଗା, ମାରଣାସ୍ତ୍ର ଧରି କାଜୁ ଗଛ ସମେତ କଞ୍ଚା ଥିବା ଫଳକୁ ବାଡେଇ ନଷ୍ଟ କରି ଦେଇଥିଲେ। କାଜୁ ଜଙ୍ଗଲକୁ ଦେଖାଶୁଣା କରୁଥିବା ବ୍ୟକ୍ତିମାନେ ଏହାର ବିରୋଧ କରିବାରୁ ସରପଞ୍ଚଙ୍କ ସମର୍ଥକ ସେମାନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଦୁର୍ଗା ପ୍ରଧାନ (୫୫), ବିରଞ୍ଚି ପ୍ରଧାନ (୫୦), ସୁକାନ୍ତି ନାୟକ, ରଞ୍ଜୁ ପ୍ରଧାନ, ମାଣିକ ପ୍ରଧାନ, ମୁନା ପ୍ରଧାନ, ଶାନ୍ତି ନାୟକ, ସବିତା ନାୟକ, ସତ୍ୟ ନାୟକ, ସମୀର ପ୍ରଧାନ, ଗଙ୍ଗା ବେହେରାଙ୍କ ସମେତ ୧୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଟାଙ୍ଗୀ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ ମଧ୍ୟ ଦୁର୍ଗା ପ୍ରଧାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ଅବସ୍ଥାରେ ବିରଞ୍ଚି ସମେତ ଅନ୍ୟ ଆହତଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥଲା। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ବିରଞ୍ଚିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
ଏ ନେଇ ଥାନା ଅଧିକାରୀ ଧରଣୀଧର ନାୟକଙ୍କ ସହ ଯୋଗାଯୋଗ ପରେ ସେ ଏଭଳି ଘଟଣାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ କାଜୁ ଜଙ୍ଗଲ ଲିଜକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଗତ କିଛିବର୍ଷ ହେଲା ବିବାଦ ଲାଗି ରହିଛି। ଏହାର ଆପୋଷ ସମାଧାନ ମଧ୍ୟ ଅତୀତରେ ହୋଇଛି। ତେବେ ପୂର୍ବ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଏଭଳି ଅଭାବନୀୟ ଘଟଣା ଘଟିଥିବା ସେ ସୂଚନା ଦେଇଛନ୍ତି। ଅପରପକ୍ଷରେ କିଛି ମାସ ହେଲା ବିବାଦ ଲାଗି ରହିଥିଲେ ମଧ୍ୟ ପୁଲିସ ଉକ୍ତ ଘଟଣାକୁ ଗୁରୁତର ସହ ନ ନେବାରୁ ଦୁଇଟି ନିରୀହ ଜୀବନ ଚାଲିଗଲା ବୋଲି ସିପିଏମ ନେତା ସୁରେଶ ସ୍ୱାଇଁ ଅଭିଯୋଗ କରିଛନ୍ତି।
ଏ ନେଇ ଚାନ୍ଦପୁର ଥାନାରେ ଦୁଇ ଗୋଷ୍ଠୀ ପକ୍ଷରୁ ଅଭିଯୋଗ କରାଯାଇଛି। ଖବର ଲେଖା ହେବା ସୁଦ୍ଧା ପୁଲିସ ଏହି ଘଟଣାରେ କାହାରିକୁ ଗିରଫ କରିନାହିଁ। ସେହିଭଳି ଚାନ୍ଦପୁର ପୁଲିସର ନିଷ୍କ୍ରିୟତା କାରଣରୁ ଏଠାରେ ଅସାମାଜିକ କାର୍ଯ୍ୟ ବଢିଚାଲିଥିବା ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ ନାୟକ ଅଭିଯୋଗ କରିଛନ୍ତି। ମୃତ ଓ ଆହତ ବ୍ୟକ୍ତି ଦିନ ମଜୁରିଆ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସେମାନଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ସେମାନଙ୍କ ସମ୍ପର୍କୀୟ ଦାବି କରିଛନ୍ତି। ଏହି ଘଟଣା ପରେ ଗ୍ରାମ ପୁରୁଷଶୂନ୍ୟ ହୋଇପଡିଥିବା ଜଣାପଡିଛି।
Comments are closed.