କାଳବୈଶାଖୀରେ ଭୁଶୁଡ଼ିଲା ପାର୍ବଣ ମଞ୍ଚ: ୪ ମୃତ, ୭୦ ଆହତ

0

କାଡାପା: ଶୁକ୍ରବାର ରାମନବମୀ ଶୋଭାଯାତ୍ରାରେ ଏକ ଅଘଟଣ ଘଟି ୪ ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ପ୍ରାୟ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଅଘଟଣଟି ଆନ୍ଧ୍ରପ୍ରଦେଶର କଡାପ୍ପା ଜିଲାର ଭୋଣ୍ଟିମିଟାର ଐତିହାସିକ କୋଡ଼ନଡ଼ମା ସ୍ୱାମୀ ମନ୍ଦିରରେ ଘଟିଛି । ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ।

ଆନ୍ଧ୍ରପ୍ରଦେଶର କଡାପ୍ପା ଜିଲାରେ ଶ୍ରୀରାମ କଲ୍ୟାଣମ୍‍ ଉତ୍ସବ ପାଳନ ବେଳେ କାଳବୈଶାଖୀ ଜନିତ ବର୍ଷା ପବନ ଯୋଗୁଁ ୪ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ପ୍ରାୟ ୭୦ଜଣ ଆହତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ଲୋକମାନେ ଉତ୍ସବ ପାଳନ ପାଇଁ ଏକଜୁଟ୍‍ ହୋଇଥିବାବେଳେ ହଠାତ ବର୍ଷା ପବନ ଆରମ୍ଭ ହୋଇଥିଲା। ଖୁବ୍ ଜୋରରେ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହିଥିଲା। ଫଳରେ ଉତ୍ସବ ପାଇଁ ତିଆରି ହୋଇଥିବା ମଞ୍ଚ ଭୁଶୁଡି ପଡିବା ସହ ନିକଟସ୍ଥ ଅନେକ ଗଛ ଓ ବିଦ୍ୟୁତ୍‍ ଖୁଣ୍ଟି ଭାଙ୍ଗିପଡିଥିଲା। ଉତ୍ସବ ସ୍ଥଳରେ ଖୋଲିଥିବା ଅସ୍ଥାୟୀ ଦୋକାନ ଘରସବୁ ଭାଙ୍ଗିପଡିଥିଲା। ବର୍ଷା, ପବନ ଦେଖି ଲୋକମାନେ ଭୟରେ ଏଣେତେଣେ ଦୌଡିବାରେ ଲାଗିଥିଲେ। ଏହି ସମୟରେ ଏକ ଅସ୍ଥାୟୀ ଦୋକାନ ଭୁଶୁଡି ପଡିବାରୁ ଏହା ମଧ୍ୟରେ ଆଶ୍ରୟ ନେଇଥିବା ୩ଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ମହିଳାଙ୍କର ହୃଦ୍‍ଘାତରେ ମୃତ୍ୟୁ ହୋଇଥିଲା।

ଏହି ଉତ୍ସବରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ହେଲିକପ୍ଟର ଯୋଗେ ହାଇଦରାବାଦରୁ ଆସି କଡାପ୍ପାସ୍ଥିତ ସରକାରୀ ଅତିଥି ଭବନରେ ଅପେକ୍ଷା କରିଥିଲେ। ରାତି ୮ରେ ମୁଖ୍ୟମନ୍ତ୍ରୀ ଉତ୍ସବସ୍ଥଳକୁ ଯାଇ ଭଗବାନ ଶ୍ରୀରାମ ପ୍ରତିମୂର୍ତ୍ତିରେ ଅଙ୍ଗବସ୍ତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ଏପରି ବର୍ଷା, ପବନକୁ ଦେଖି ତାଙ୍କୁ ଉତ୍ସବସ୍ଥଳକୁ ନଯିବା ଲାଗି ପରାମର୍ଶ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଅତିଥି ଭବନରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଏପରି ପ୍ରାକୃତିକ ବିପର୍ଯ୍ୟୟ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଛନ୍ତି। ପ୍ରଭାବିତ ଭକ୍ତଙ୍କୁ ରିଲିଫ ଯୋଗାଇ ଦେବାକୁ କୁହାଯାଇଛି। କଡାପ୍ପା ସହିତ କୁର୍ଣ୍ଣୁଲ, ନେଲୋର, ପ୍ରକାଶମ୍‍ ଓ ଅନନ୍ତପୁର ଜିଲାରେ ମଧ୍ୟ ଆଜି କାଳବୈଶାଖୀ ହୋଇଥିବା ଜଣାଯାଇଛି। ଏଥିରେ ଆମ୍ବ ଚାଷୀମାନେ ବିଶେଷ ପ୍ରଭାବିତ ହୋଇଛନ୍ତି।

Leave A Reply