କେମିତି କରିବେ ଶ୍ରୀରାମଙ୍କ ପୂଜା: ଜାଣନ୍ତୁ ପୂଜା ପାଇଁ ଶୁଭମୁହୂର୍ତ୍ତ

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଭଗବାନ ଶ୍ରୀରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯାଏ। ଏହି କାରଣରୁ ହିନ୍ଦୁ ଧର୍ମର ଲୋକମାନଙ୍କ ପାଇଁ ରାମନବମୀ ପର୍ବ ସ୍ୱତନ୍ତ୍ର। ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ଦିନ ରାମ ନବମୀ ପାଳନ କରାଯାଏ। ଏହି ବର୍ଷ ରାମ ନବମୀ ଏପ୍ରିଲ ୧୭ ତାରିଖ ଦିନ ପାଳନ କରାଯିବ। ଏହି ଦିନ ରୀତିନୀତି ଅନୁଯାୟୀ ଶୁଭ ସମୟରେ ଭଗବାନ ରାମଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚୈତ୍ର ମାସର ଶୁକ୍ଳ ପକ୍ଷ ନବମୀ ତିଥି ୧୬ ଏପ୍ରିଲ ଅପରାହ୍ନ ୧:୩୦ ମିନିଟରୁ ଆରମ୍ଭ ହୋଇ ପରଦିନ ଅର୍ଥାତ୍‌‌ ୧୭ ଏପ୍ରିଲ ରାତି ୩:୧୫ମିନଟରେ ଶେଷ ହେବ। ଏଥିପାଇଁ ୧୭ ତାରିଖ ଦିନ ହିଁ ରାମ ନବମୀ ପର୍ବ ପାଳନ କରାଯିବ। ଏହି ଦିନ ଶ୍ରୀରାମଙ୍କୁ ପୂଜା କରିବା ପାଇଁ ଶୁଭ ମୁହୂର୍ତ୍ତ ହେଉଛି ସକାଳ ୧୧:୩ମିନିଟରୁ ୧:୩୮ ମିନିଟ। ଭକ୍ତମାନେ ଏହି ଦିନ ଉପବାସ କରୁଥିବାରୁ ୨ଘଣ୍ଟା ୩୫ମିନିଟ୍‌‌ ସମୟ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରିବାର ଶୁଭ ସମୟ ରହିଛି। ଏହି ଦିନ ବିଜୟ ମୁହୂର୍ତ୍ତ ହେଉଛି ଦ୍ୱିପ୍ରହର ୨:୩୪ମିନିଟରୁ ୩:୨୪ମିନିଟ।
ପୂଜାବିଧି: 
ସକାଳୁ ଶୀଘ୍ର ଉଠିବା ପରେ ସ୍ନାନ କରି ସଫା ପୋଷାକ ପରିଧାନ କରନ୍ତୁ
ପୂଜା ଘରକୁ ଭଲ ଭାବରେ ସଫାସୁତୁରା କରନ୍ତୁ
ଭଗବାନ ରାମଙ୍କ ପାଖରେ ସଂକଳ୍ପ କରି ପୂଜା ଆରମ୍ଭ କରନ୍ତୁ
ଘରେ ରାମ ଲକ୍ଷ୍ମଣ ସୀତା ଓ ହନୁମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରନ୍ତୁ
ଚନ୍ଦନ, ସିନ୍ଦୂର, ଧୂପ, ଦୀପ, ନୈବେଦ୍ୟ ଦେଇ ପୂଜା କରନ୍ତୁ
ରାମଙ୍କୁ ଗଙ୍ଗାଜଳ, ତୁଳସୀ ପତ୍ର ଓ ପଦ୍ମ ଫୁଲ ନିଶ୍ଚିତ ଭାବେ ଅର୍ପଣ କରନ୍ତୁ
ଏହାସହିତ ଦୁଇରୁ ତିନି ପ୍ରକାଳ ଫଳ ଓ ମିଠା ଭୋଗ ଲଗାନ୍ତୁ
ଶେଷରେ ଆଳତି କରି ପ୍ରସାଦ ସମସ୍ତଙ୍କ ମଧ୍ୟରେ ବାଣ୍ଟନ୍ତୁ

ଭାରତରେ ପ୍ରତିବର୍ଷ ରାମ ନବମୀ ଧୁମଧାମରେ ପାଳନ କରାଯାଏ। ଏହି ଦିନ ରାମ ଅଯୋଧ୍ୟା ରାଜା ଦଶରଥଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱାସ କରାଯାଏ ଯେ ଧରାପୃଷ୍ଟରେ ଅତ୍ୟାଚାରୀ ରାବଣକୁ ବଦ୍ଧ କରିବା ପାଇଁ ରାମଙ୍କ ଜନ୍ମ ହୋଇଥିଲା।

 

Comments are closed.