ଜୀବିକା ମିଶନ ପକ୍ଷରୁ ବିରାଟ ରାଲି, ଦାବିପତ୍ର ପ୍ରଦାନ

ଫୁଲବାଣୀ : ଓଡ଼ିଶା ଜୀବିକା ମିଶନ ଇ ସି ସଂଘ ପକ୍ଷରୁ ଆଜି ଫୁଲବାଣୀଠାରେ ଏକ ବିରାଟ ରାଲିର ଆୟୋଜନ ହୋଇଛି। ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘକୁ ପୁନର୍ଗଠନ କରିବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ କରାଯାଇ ଜିଲାପାଳଙ୍କ ଜରିଆରେ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୋଗ ଅନୁଯାୟୀ ଇସି ସଦସ୍ୟା ମାନେ ମହିଳା ମାନଙ୍କୁ ସଂଗଠିତ କରି ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରି ସେମାନଙ୍କୁ ଆର୍ଥିକ ପରିଚାଳନାରେ ଡାଲିମ୍ ଦେବା ଓ ପ୍ରୋତ୍ସାହିତ କରିବା ସହିତ ଏମବିକେ ଓ ସିଆରପି ମାନଙ୍କ କାର୍ଯ୍ୟ ମଧ୍ଯ ତଦାରଖ କରିଥାନ୍ତି। ୨୦୨୨ ମସିହା ଠାରୁ ମାସିକ ଗସ୍ତ ଖର୍ଚ୍ଚ ବାବଦରେ ସାଧାରଣ ସଦସ୍ୟାଙ୍କୁ ୧୫୦୦  ଟଙ୍କା, ସଭାପତି ଓ ସଂପାଦିକାଙ୍କୁ ୨୫୦୦  ଟଙ୍କା ଲେଖାଏଁ ଦିଆ ଯାଉଥିବା ବେଳେ ସେପ୍ଟେମ୍ବର ୨୦୨୪ ଠାରୁ ଆଜି ପର୍ଯ୍ୟନ୍ତ ବକେୟା ଗସ୍ତ ଖର୍ଜ  ମିଳିନାହିଁ। ଅପରପକ୍ଷରେ, ମିଶନ ଶକ୍ତି ନିର୍ଦ୍ଦେଶକଙ୍କ ପକ୍ଷରୁ ଗତ ମାସ ୮ ତାରିଖରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିପିଏଲଏଫ, ଇସି ସ୍ତରରେ ପୁନର୍ଗଠନ ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ନାମା ଜାରି କରା ଯାଇଥିବା ବେଳେ ୨୨ ତାରିଖରେ  ନୁଆ ଗାଇଡ ଲାଇନ ଅନୁସାରେ ପୁନର୍ଗଠନ ପ୍ରକ୍ରିୟାକୁ ତୁରନ୍ତ କାର୍ଯକାରୀ କରିବାକୁ ନିର୍ଦେଶ ଦିଆ ‌ଯାଇଛି। ଫଳରେ ଏମାନେ ବାଦ ପଡିବା ସହିତ ଲକ୍ଷାଧିକ ମହିଳା ଆର୍ଥିକ ଓ ମାନସିକ ସ୍ତରରେ  ଭାଙ୍ଗି ପଡ଼ିବେ ବୋଲି କୁହାଯାଇଛି ।  ସ୍କୁଟି ଋଣ ଯୋଜନାରେ ସାମିଲ୍ ଥିବା ସଦସ୍ୟା ମାନଙ୍କ ଦ୍ବାରା ଋଣ ଶୁଝିବା ସମ୍ଭବ ହେବ ନାହିଁ। ଏଣୁ  ଜିପିଏଲଏଫ ଇସି ସ୍ତରରେ ରିଷ୍ଟ୍ରକ୍ଟଚରିଂ ପାଇଁ ନିର୍ଦେଶନାମା ଓ ନୁଆ ଗାଇଡ ଲାଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି। ଏଥି ସହିତ ସ୍କୁଟି ଋଣ ପରିଶୋଧର ପୁନର୍ବିଚାର, ଓ ସଦସ୍ୟା ମାନଙ୍କୁ ସାମାଜିକ ନିରାପତ୍ତା ଓ ବୀମା ଯୋଜନାରେ ସାମିଲ ପାଇଁ ମଧ୍ୟ ଦାବି କରାଯାଇଛି। ସମ୍ପାଦିକା  ଚଞ୍ଚଳା ନାୟକ, ସଦସ୍ୟା ପ୍ରତିମା ସାହାଣି,ତପସ୍ବିନୀ ମୂଖି,ପ୍ରଭାସିନୀ କହଁର, ନୀଲକମଲ ପାଣିଙ୍କ ନେତୃତ୍ୱରେ ଆୟୋଜିତ ରାଲିରେ ଜିଲ୍ଲାର ସମସ୍ତ ବ୍ଲକରୁ ପ୍ରାୟ ୩ ହଜାର କର୍ମୀ ଯୋଗ ଦେଇଥିଲେ।

Comments are closed.