ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ ପାଇଁ ଇ-ବହି ଉପରେ ଗୁରୁତ୍ବ ଦିଆଯାଉ
ଭୁବନେଶ୍ବରରେ ହେଉ ବିଶ୍ବସ୍ତରୀୟ ପୁସ୍ତକମେଳା
ଭୁବନେଶ୍ବର : ଅତ୍ୟାଧୁନିକ ଯୁଗରେ ଯୁବପିଢ଼ିଙ୍କୁ ଆକୃଷ୍ଟ କଲା ଭଳି ଇ-ପୁସ୍ତକ ବଜାରରେ ଉପଲବ୍ଧ ହେବା ଜରୁରୀ। ଭୁବନେଶ୍ବରରେ ବିଶ୍ବସ୍ତରୀୟ ପୁସ୍ତକମେଳା ଆୟୋଜନ କରାଯାଇପାରିଲେ ତାହା ପାଠକ, ଲେଖକ, ପ୍ରକାଶକ ଓ ବିକ୍ରେତାଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ ବୋଲି ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଊନବିଂଶ ରାଜଧାନୀ ପୁସ୍ତକମେଳାରେ ବକ୍ତାମାନେ ପ୍ରକାଶ କରିଛନ୍ତି।
ଶନିବାର ସନ୍ଧ୍ୟାରେ ପୁସ୍ତକମେଳାକୁ ଉଦ୍ଘାଟନ କରି ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ ଯେ ସବୁ ଆୟୋଜକ ଏକାଠି ହୋଇ ଏକ ବିଶ୍ବସ୍ତରୀୟ ପୁସ୍ତକମେଳା କରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ। ଏଥିପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ନୂତନ ତଥ୍ୟ ସମ୍ବଳିତ ଓ ଅନୁପ୍ରାଣିତ କଲାଭଳି ପୁସ୍ତକ ରଚନା କରାଯାଉ। ଏଥିରେ ଆଧୁନିକ ଜ୍ଞାନକୌଶଳ ମଧ୍ୟ ପ୍ରୟୋଗ ହେଉ। ଏ ଦିଗରେ ଲେଖକ ଓ ପ୍ରକାଶକ ଯତ୍ନଶୀଳ ହେବାକୁ ସେ ଆହ୍ବାନ ଦେଇଥିଲେ।
ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ବହି ମଣିଷର ପରମ ବନ୍ଧୁ। ଇ-ପୁସ୍ତକ ପ୍ରସ୍ତୁତି ଦିଗରେ ଲେଖକ ଓ ପ୍ରକାଶକ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଥିଲେ।
ରାଜଧାନୀ ପୁସ୍ତକମେଳାର ସଭାପତି ଡ.ଉପେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନ ଉତ୍ସବରେ ଆବାହକ ରମେଶଚନ୍ଦ୍ର ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୀରକିଶୋର ପ୍ରଧାନ, ଆକୁଳଚନ୍ଦ୍ର ନାଥ, କମଳିନୀ ମଲ୍ଲିକ, ବ୍ରହ୍ମାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ସାଂସ୍କୃତିକ କଳା ପରିଷଦର କଳାକାର ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।ରାଜଧାନୀ ପୁସ୍ତକମେଳା ଜାନୁଆରୀ ୧୪ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆରେ ଚାଲିବ। ଚଳିତ ବର୍ଷ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ପଞ୍ଜାବ, ଗୁଜରାଟ, ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଆଦି ବିଭିନ୍ନ ରାଜ୍ୟର ଖ୍ୟାତନାମା ପୁସ୍ତକ ପ୍ରକାଶ, ବିତରକ ଓ ବିକ୍ରେତା ଯୋଗଦେଇଛନ୍ତି। ପ୍ରାୟ ୪୦୦ଟି ଷ୍ଟଲ୍ରେ ପୁସ୍ତକ ପ୍ରଦର୍ଶିତ ହେଉଛି। ମେଳାରେ ବିଭିନ୍ନ ଭାଷାର ପୁସ୍ତକ ତଥା ସ୍କୁଲକଲେଜ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ ଓ ପୁସ୍ତକସିଡି ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର ଷ୍ଟଲ୍ ଖୋଲାଯାଇଛି। ପୁସ୍ତକ ମେଳା ମଞ୍ଚରେ ବିଭିନ୍ନ ଦିବସରେ ଆଲୋଚନାଚକ୍ର, କବିତା ପାଠ, ନୂତନ ପୁସ୍ତକ ଉନ୍ମୋଚନ, କବି ଓ ଲେଖକ ସମ୍ମିଳନୀ, ଶିଶୁ ସାହିତ୍ୟିକ ସମ୍ମିଳନୀ ସମତେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ମେଳାରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ବଡ଼ସିଂହାର ବେଶ୍ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦିଆଯାଇଛି।
ଗୋପବନ୍ଧୁ ସାହିତ୍ୟ ମନ୍ଦିର ଷ୍ଟଲ୍ ଉଦ୍ଘାଟିତ, ପାଠକର ପ୍ରେରଣା ଲେଖକ: ପ୍ରତିଭା ରାୟ
ଭୁବନେଶ୍ବର : ରାଜଧାନୀ ପୁସ୍ତକମେଳା ଅବସରରେ ‘ସମାଜ’ ଓ ‘ସତ୍ୟବାଦୀ’ ପକ୍ଷରୁ ‘ଗୋପବନ୍ଧୁ ସାହିତ୍ୟ ମନ୍ଦିର’ ଷ୍ଟଲ୍ ଉଦ୍ଘାଟିତ ହୋଇଯାଇଛି। ଜ୍ଞାନପୀଠ ଓ ମୂର୍ତ୍ତିଦେବୀ ପୁରସ୍କାର ବିଜୟିନୀ ଡ. ପ୍ରତିଭା ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରଚିତ ‘ବନ୍ଦୀର ଆତ୍ମକଥା’ ଏବଂ ‘ସତ୍ୟବାଦୀ ସମାହାର’ ପୁସ୍ତକ ଉପରେ ସେ ଗଠନମୂଳକ ମନ୍ତବ୍ୟ ଦେଇଥିଲେ। ଏହି ଅବସରରେ ଡ. ରାୟ କହିଥିଲେ ଯେ ପୁସ୍ତକମେଳା ହେଉଛି ପାଠକ ନିର୍ମାଣ କର୍ମଶାଳା। ପାଠକ ହିଁ ସାହିତ୍ୟକୁ ଚିରନ୍ତନ କରେ। ତା’ର ପ୍ରେରଣା ଲେଖକ ଓ ଲେଖକର ପ୍ରେରଣା ପାଠକ। ପୁସ୍ତକ ମେଳା ହେଉଛି ପ୍ରକାଶକ, ଲେଖକ ଓ ପାଠକର ମିଳନ ପୀଠ। ତ୍ରିଗୁଣ ରଜ୍ଜୁରେ ବନ୍ଧା ଏମାନଙ୍କ ସମ୍ପର୍କ। ‘ସମାଜ’ର ଗୋପବନ୍ଧୁ ସାହିତ୍ୟ ମନ୍ଦିର ଦ୍ବାରା ପ୍ରକାଶିତ ପୁସ୍ତକଗୁଡ଼ିକ ପାଠକର ବ୍ୟକ୍ତିତ୍ବ ଓ ଚରିତ୍ର ନିର୍ମାଣରେ ସାହାଯ୍ୟ କରିବ, ଏ ବିଶ୍ବାସ ମୋର ରହିଛି। ‘ପୁସ୍ତକ’ର ଜୟ ହେଉ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଏବଂ ‘ସତ୍ୟବାଦୀ’ର ସମ୍ପାଦକ ନିରଞ୍ଜନ ରଥ, ବ୍ୟୁରୋ ଚିଫ୍ ସମରେନ୍ଦୁ ଦାସ, ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ, କାର୍ଟୁନିଷ୍ଟ ଜ୍ଞାନ ରଥ, ସହସମ୍ପାଦକ ମମତା ବିଶୋଇ, ଭବାନୀ ମିଶ୍ର, ସତ୍ୟସାଇ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।
ରାଜଧାନୀ ପୁସ୍ତକମେଳା ଉଦ୍ଘାଟନ ପରେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଶ୍ରୀ ସାମଲ ଓ ରାଜ୍ୟସଭା ସାଂସଦ ଶ୍ରୀ ପଟ୍ଟନାୟକଙ୍କ ସମେତ ରାଜଧାନୀ ପୁସ୍ତକମେଳାର କର୍ମକର୍ତ୍ତା ସାହିତ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ମନ୍ତ୍ରୀ ଏବଂ ସାଂସଦ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ‘ସମାଜ’ ଓ ‘ସତ୍ୟବାଦୀ’ରେ ପ୍ରକାଶିତ ଲେଖା ପ୍ରେରଣାଦାୟୀ ଓ ଉଚ୍ଚକୋଟୀର ବୋଲି କହିଥିଲେ।