www.samajalive.in
Saturday, December 6, 2025
16.1 C
Bhubaneswar

ରଜ ପର୍ବର ଆଧୁନିକୀକରଣ

ଭୁବନେଶ୍ଵର:   ଓଡ଼ିଶାର କୃଷିଭିତ୍ତିକ ପର୍ବ ଓ ପ୍ରକୃତି ଉପାସନାର ତଥା ପ୍ରକୃତି ସୁରକ୍ଷାର ଅନନ୍ୟ ପରମ୍ପରା ରଜପର୍ବ ଏବେ ତାର ମହତ୍ତ୍ୱ ହରାଇଛି। ରଜକୁ ଆଉ ଗାଁଗହଳିରେ ଖୋଜିଲେ ମିଳୁନି। ରଜ ଏବେ ଗ୍ରାମ୍ୟ ପରିବେଶରୁ ବାହାରି ଆସି ସହରବଜାର, କ୍ଲବ, ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ କବ୍‌ଜାରେ ପଡ଼ିଯାଇଛି।
ରଜ ଏକ କୃଷି ସମ୍ପର୍କିତ ପର୍ବ। ଆଷାଢ ମାସରେ ମାଟି ସହ ମେଘର ମିଳନ ହୁଏ। ସଂକ୍ରାନ୍ତି ହେଉଛି ଏହି ମାସର ପ୍ରଥମ ଦିନ। ତେଣୁ ସଂକ୍ରାନ୍ତି ପୂର୍ବ ଓ ପରଦିନ ହିଁ ରଜପର୍ବ ପାଳନ କରାଯାଏ। କାମ ଆରମ୍ଭ ପୂର୍ବରୁ ବିଶ୍ରାମ ନେବା ପାଇଁ ଏବଂ ଦେବା ପାଇଁ ସମ୍ଭବତଃ ଏହି ପର୍ବର ସୃଷ୍ଟି। ଆଷାଢ଼ ମାସରେ ବର୍ଷାପାଣି ପଡ଼ିଲେ ଭୂଇଁ ଉତ୍ପାଦନକ୍ଷମ ହୁଏ। କୁଅାଁରୀ କନ୍ୟାଙ୍କ ଠାରୁ ଆରମ୍ଭ କରି ସମସ୍ତ ଝିଅ, ଯୁବତୀ ଓ ମହିଳା ରଜ ତିନି ଦିନ ଗୃହ କାର୍ଯ୍ୟ ନ କରିବା ହେଉଛି ଖାଣ୍ଟି ଓଡ଼ିଆ ପରମ୍ପରା। ରଜ ତିନି ଦିନ ମହିଳାଙ୍କୁ ଖାଲି ପାଦରେ ଭୂଇଁରେ ଚାଲିବାକୁ ବାରଣ କରାଯାଏ। ଦିନ ଥିଲା ରଜ ପୂର୍ବରୁ ସଜବାଜ ଦିନ ଗାଁଗହଳିର ସ୍ତ୍ରୀଲୋକେ କଟାକଟି, ବଟାବଟି ଭଳି କାର୍ଯ୍ୟ ସାରି ଦେଉଥିଲେ। ଗୁଆ ଭଙ୍ଗାହୋଇ ରହୁଥିଲା, ମସଲା ଗୁଣ୍ଡହୋଇ ରହୁଥିଲା। ଏବେ ସେସବୁ ଝିନ୍‌‌ଝଟ ନାହିଁ। ଆଜିକାଲି ରଜ ତିନିଦିନଯାକ ସବୁ ହେଉଛି। କଟାକଟି, ବଟାବଟି ସବୁକିଛି; ବରଂ ଭୋଜିଭାତର ଆସର ଜମୁଥିବାରୁ ରଜରେ ବାରଣ କରାଯାଇଥିବା କାମସବୁ ଅଧିକରୁ ଅଧିକ ହେଉଛି।
ରଜପର୍ବର ମହକ ହେଉଛି ପୋଡ଼ପିଠା। ଆଗେ ଘରେ ଘରେ ପୋଡ଼ପିଠା କରାଯାଉଥିଲା। ସାହିରେ ସମସ୍ତେ ସମସ୍ତଙ୍କ ଘରେ ନିଜ ଘରର ପିଠା ଦେଉଥିଲେ। ଆଜିକାଲି ଘରେଘରେ ପୋଡ଼ପିଠାର ଆସର ଅପେକ୍ଷା ବିଭିନ୍ନ ଅନୁଷ୍ଠାନରେ ପୋଡ଼ପିଠା ପ୍ରତିଯୋଗିତା ଅଧିକ ହେଉଛି। ରଜପାନ ଲାଗି ଗାଁଠାରୁ ଆରମ୍ଭ କରି ସହର ବଜାରରେ ପସରା ମେଲିଛି। ଗାଁଗହଳିର ଗଛରେ ଆଉ ଦୋଳି ଲାଗୁନି। ଦୋଳି ଲାଗିଲା ଭଳି ଗଛ ଆଉ ନାହିଁ; ତେଣୁ ଗାଁ ପିଲାଏ ତ ଦୋଳି ଖେଳୁନାହାନ୍ତି ବରଂ ସହରର ପିଲାଏ ଅଧିକ ଦୋଳି ଖେଳୁଛନ୍ତି ଏବଂ ସେ ସବୁ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପାର୍କରେ ଆୟୋଜିତ ହେଉଛି। ମୋଟାମୋଟି କହିଲେ ରଜର ବଜାରୀକରଣ ହୋଇସାରିଛି। ଏହି ଅନନ୍ୟ ଓଡ଼ିଆ ପର୍ବଟି ତା’ର ରଙ୍ଗ, ରସ, ମହକ ସବୁକିଛି ହରାଇଛି।
ଝିଅମାନେ ଆଉ ‘ବନସ୍ତେ ଡାକିଲା ଗଜ’ ଗୀତଟି ଗାଉ ନାହାନ୍ତି; କାରଣ ବନ ନାହିଁ, ନିର୍ଧୁମ ଗଛକଟା ଚାଲିଛି। ହାତୀମାନେ ବଣରୁ ବାହାରି ଆସି ସହରବଜାର, ଗାଁ ଗହଳିରେ ବୁଲୁଛନ୍ତି। ବିଦ୍ୟୁତ୍‌‌ ତାରରୁ ବିଦ୍ୟୁତ୍‌‌ ଆଘାତ ପାଇ ମରୁଛନ୍ତି। ତେଣୁ ଉପରୋକ୍ତ ଗୀତର ଆଉ କୌଣସି ମହତ୍ତ୍ୱ ନାହିଁ। ମଣିଷ ଧୀରେ ଧୀରେ ସ୍ୱାଭାବିକ ଆନନ୍ଦରୁ ନିଜକୁ ଓହରାଇ ଆଣି କୃତ୍ରିମ ଆନନ୍ଦ ପଛରେ ଧାଉଁଛି। ମଣିଷର ଏହି ପରିବର୍ତ୍ତନର ଧାରାରେ ପାରମ୍ପରିକ ପର୍ବ ବଳି ପଡୁଛନ୍ତି। ରଜପର୍ବ ତହିଁରୁ ଗୋଟିଏ। ଏବେ ଗଣମାଧ୍ୟମ ବିଶେଷ କରି ବୈଦ୍ୟୁତିକ ଗଣମାଧ୍ୟମ ଅଧିକ ସକ୍ରିୟ ଥିବାରୁ ରଜପର୍ବର ଜୋରଦାର ପ୍ରଚାର ହେଉଛି। ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ଏଥିଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ପ୍ରଦର୍ଶିତ ହେଉଛି; ହେଲେ ସର୍ବସାଧାରଣ ଜୀବନରୁ ରଜ ହଜିହଜି ଯାଉଛି।
ଏହି ପର୍ବ ପାଳନ ପଛର ମହତ୍ତ୍ୱଟିକୁ କେହି ବୁଝିବାର ପ୍ରୟାସ ମଧ୍ୟ କରୁ ନାହାନ୍ତି। ରଜରେ ଭୂମିକୁ ସ୍ପର୍ଶ ନକରିବା, ବୃକ୍ଷ ନକାଟିବା, ପତ୍ର ନ ଛିଡାଇବା, ଏପରି କି ଫୁଲ ମଧ୍ୟ ନତୋଳିବାର ଯେଉଁ ପ୍ରଥା ବା ନିୟମ ରହିଛି ତାହା କେବଳ ପରିବେଶର ସୁରକ୍ଷା ତଥା ପୃଥିବୀମାତାକୁ ଆହୁରି ସୁନ୍ଦର କରିବା ନିମନ୍ତେ। ଧରିତ୍ରୀକୁ ମାତୃରୂପା ମନେକରି ରଜପର୍ବ ପାଳନର ମହତ୍ତ୍ୱ ରହିଥିବା ବେଳେ ଆଜିର ମଣିଷ ସବୁଠାରୁ ଅଧିକ ଅତ୍ୟାଚାର କରୁଛି ଧରିତ୍ରୀ ଉପରେ। ଧରିତ୍ରୀମାତାର ଶରୀର ଏବେ ଧୂସର କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି। ଚାଷଜମିର ପରିମାଣ କମୁଛି, କୋଠାଘର ସଂଖ୍ୟା ବଢ଼ିବାରେ ଲାଗିଛି। ମାଟିରାସ୍ତା କମୁଛି, ଚିକ୍‌‌କଣ କଂକ୍ରିଟ୍‌‌ ରାସ୍ତା କାୟା ବିସ୍ତାର କରିଚାଲିଛି। ଠିକ୍‌‌ ସେମିତି ଗାଁ ଗହଳିରୁ କୃଷକଙ୍କ ସଂଖ୍ୟା କମୁଛି ଆଉ ବଢ଼ିଚାଲିଛି ପ୍ୟାଣ୍ଟସାର୍ଟ ପିନ୍ଧା ଅଧାପାଠୁଆଙ୍କ ସଂଖ୍ୟା। ଚାଷୀର ପୁଅ ଯାଇ ସୁରତ, ଅହମ୍ମଦାବାଦର ସୂତାକଳରେ ଦିନରାତି ୧୨ଘଣ୍ଟା ପରିଶ୍ରମ କରୁଛି ପଛକେ, ବିଲକୁ ଯିବାକୁ ପସନ୍ଦ କରୁନି। ଆମର ପରାଧୀନ ମନୋଭାବ, ବସ୍ତୁବାଦିତା ତଥା ଭୋଗବାଦ ପ୍ରତି ଲାଳସା ଆମକୁ ସେ ଦିଗରେ ଟାଣିନେଉଛି। ଏଭଳି ସ୍ଥିତିରେ କୃଷିଭିତ୍ତିକ ପର୍ବ ରଜପର୍ବ ପାଳନର ମହତ୍ତ୍ୱକୁ କିଏ ବା ବୁଝୁଛି ? ବୁଝିବାର ଆବଶ୍ୟକତା ମଧ୍ୟ କେହି ଉପଲବ୍ଧି କରୁ ନାହାନ୍ତି।
ସହରର ବିଶାଳକାୟ ଆଁ ଏବେ ଗାଁ ଆଡକୁ ମାଡି ଆସୁଛି ! ଗାଁସବୁ ସହର ଭିତରେ ବିଲୀନ ହେବାକୁ ବସିଛନ୍ତି। ଗାଁର ଲୋକେ, ଗାଁର ଚଳଣି, ଗାଁ ମାଟି, ପାଣି ପବନର ବାସ୍ନାକୁ ପଛକରି ସହରୀ ଜୀବନକୁ ଆପଣାଇ ନେବାକୁ ପସନ୍ଦ କରୁଛନ୍ତି। ତେଣୁ ସହରୀ ସଭ୍ୟତା ଗାଁ ଭିତରକୁ ଧସେଇ ପଶୁଛି। ଏଭଳି ସ୍ଥିତିରେ ପର୍ବପର୍ବାଣି, ଯାନିଯାତ ଆଦିର ଆଧୁନିକୀକରଣ ହେଉଛି ବୋଲି କୁହାଯାଇପାରେ। ସେ ଦୃଷ୍ଟିରୁ ରଜପର୍ବର ମଧ୍ୟ ଆଧୁନିକୀକରଣ ହୋଇଛି। ଏହା କୃଷିଭିତ୍ତିକ ଘରୋଇପର୍ବରୁ ଯାଇ ଅନୁଷ୍ଠାନଭିତ୍ତିକ ଗଣପର୍ବରେ ପରିଣତ ହୋଇଛି। ଏହା କସ୍ମିନ୍‌‌କାଳେ ଏକ ଶୁଭଲକ୍ଷଣ ନୁହେଁ।
ରଜ ଆମର ଏକାନ୍ତ ନିଜସ୍ୱ ପର୍ବ। ଏହା ଓଡ଼ିଆର ଏକ ପରିଚୟ। ବିଶେଷକରି ଉପକୂଳବର୍ତ୍ତୀ ଓଡ଼ିଶାରେ ଏହି ପର୍ବ ଦିନେ ଅତ୍ୟନ୍ତ ଲୋକପ୍ରିୟ ଥିବା ବେଳେ ଆଜିକାଲି ଏହିସବୁ ଅଞ୍ଚଳରେ ହିଁ ରଜ ତା’ର ଅସ୍ତିତ୍ୱ ହରାଇଚାଲିଛି। ଲୋକେ ରଜଛୁଟିକୁ ପର୍ବପାଳନରେ ନ ବିତାଇ ତିନିଦିନ ବିଶ୍ରାମ ଦିବସଭାବେ ଆଦରି ନେଲେଣି। ଆମର ଗଣପର୍ବ ରଜକୁ ଆମେ କ୍ଲବରେ, ହୋଟେଲରେ, ବଜାରରେ ନଖୋଜି, ଟେଲିଭିଜନ ପରଦାରେ ନ ଉଣ୍ଡାଳି ପରିବାର ଭିତରେ, ବାପାମାଆ, ଭାଇଭଉଣୀ, ବନ୍ଧୁବାନ୍ଧବ, ସାହିପଡ଼ିଶା, ପଡୋଶୀଙ୍କ ମେଳରେ ଆନନ୍ଦ ଉଲ୍ଲାସ ଭିତରେ ପାଳନ କରିବା।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories