www.samajalive.in
Saturday, December 6, 2025
23.1 C
Bhubaneswar

ଏ ବର୍ଷ ସ୍ବାଭାବିକରୁ ଅଧିକ ବର୍ଷା

ଭୁବନେଶ୍ବର : ଚଳିତ ବର୍ଷ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକରୁ ଅଧିକ ବର୍ଷିବ। ୧୯୭୧ରୁ ୨୦୨୦ମସିହା ମଧ୍ୟରେ ମୌସୁମୀ ବର୍ଷା ତଥ୍ୟକୁ ଆଧାର କରି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପ୍ରାଥମିକ ଭାବେ ଏହି ଆକଳନ କରିଛି। ଦେଶରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକରୁ ଅଧିକ ବର୍ଷା ଦୀର୍ଘ ଅବଧି ହାରାହାରି ୧୦୫ପ୍ରତିଶତ ବା ୮୭ସେଣ୍ଟିମିଟର ହୋଇପାରେ। ବିଭିନ୍ନ ମଡେଲକୁ ନେଇ ଆକଳନ କରାଯାଇ ଥିବାରୁ ମଡେଲ ଜନିତ ତ୍ରୁଟି ପାଇଁ ୫ପ୍ରତିଶତ ଅଧିକ କିମ୍ବା କମ ବର୍ଷା ହୋଇପାରେ ବୋଲି ଆଇଏମଡି ସ୍ପଷ୍ଟ କରିଛି।
ଅନୁରୂପ ଭାବେ ଓଡ଼ିଶାରେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ବାଭାବିକଠାରୁ ଅଧିକ ବର୍ଷିବ; କିନ୍ତୁ କିଛି ଅଞ୍ଚଳରେ ସ୍ବାଭାବିକଠାରୁ କମ୍‌ ବର୍ଷା ମଧ୍ୟ ହୋଇପାରେ। ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଏବଂ ନୂଆପଡା ଜିଲାର ପଶ୍ଚିମାଞ୍ଚଳ ବ୍ଲକଗୁଡିକରେ ସ୍ବାଭାବିକଠାରୁ
ଅଧିକ ବର୍ଷିବ। ସମ୍ବଲପୁର, ଢେଙ୍କାନାଳ, ଭଦ୍ରକ, ଅନୁଗୋଳ ଜିଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇପାରେ। ଅବଶିଷ୍ଟ ଜିଲାଗୁଡିକରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଆଇଏମଡି ଆକଳନ କରିଛି।
ଆଇଏମଡି ମହାନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଭାସି ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ ଅଧିକ ରହିବ। ଦେଶରେ ୧୦୫% ବର୍ଷା ହୋଇପାରେ। ଚଳିତ ବର୍ଷ ଏଲ୍‌-ନିନୋର ପ୍ରଭାବ ମୌସୁମୀ ଉପରେ ପଡ଼ିବ ନାହିଁ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାରମ୍ପରିକ ଭାବେ କେରଳ ଦେଇ ଦେଶର ବିଭିନ୍ନ ରାଜ୍ୟକୁ ପ୍ରବେଶ କରିଥାଏ। ଜୁନ୍‌ରେ ଏହା କେରଳ ସ୍ପର୍ଶ କରିବା ପରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମଗ୍ର ଦେଶରେ ବର୍ଷା କରାଇଥାଏ। ଚଳିତ ବର୍ଷ ମୌସୁମୀ ବାୟୁ କେରଳରେ କେବେ ସ୍ପର୍ଶ କରିବ ସେ ବିଷୟରେ ଆଇଏମଡି ସ୍ପଷ୍ଟ କରିନାହିଁ। ତେବେ ଆଇଏମଡି ତଥ୍ୟାନୁଯାୟୀ, ଚଳିତ ବର୍ଷ ଦେଶରେ ଭଲ ବର୍ଷା ହେବ। ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମାଞ୍ଚଳର କିଛି ରାଜ୍ୟରେ ସ୍ବାଭାବିକରୁ କମ ବର୍ଷା ହୋଇପାରେ। ବିଶେଷ କରି ଲଦାଖ, ଉତ୍ତର-ପୂର୍ବର କିଛି ଅଞ୍ଚଳ ଓ ତାମିଲନାଡୁରେ ସ୍ୱାଭାବିକରୁ କମ୍‌ ବର୍ଷା ହୋଇପାରେ। ୯୬%ରୁ ୧୦୪% ମଧ୍ୟରେ ହେଉଥିବା ବର୍ଷାକୁ ସ୍ୱାଭାବିକ ବର୍ଷା ଏବଂ ଏହାଠାରୁ ଅଧିକ ହେଲେ ସ୍ୱାଭାବିକଠାରୁ ଅଧିକ ବର୍ଷା ବୋଲି ଧରାଯାଏ। ମୌସୁମୀ ବର୍ଷାର ସିଧା ପ୍ରଭାବ ଚାଷରେ ପଡ଼ିଥାଏ। ଭଲ ମୌସୁମୀ ରହିବା ଭାରତର କୃଷିକ୍ଷେତ୍ର ପାଇଁ ବହୁତ ଜରୁରୀ। ପାଖାପାଖି ୪୨.୩ ପ୍ରତିଶତ ଜନସଂଖ୍ୟାର ଜୀବନଜୀବିକା ଏହା ମୌସୁମୀ ପ୍ରବାହ ଉପରେ ନିର୍ଭରଶୀଳ। ଏହା ଦେଶର ସମସ୍ତ ଘରୋଇ ଉତ୍ପାଦ (ଜିଡିପି)ରେ ୧୮.୨ ପ୍ରତିଶତର ଯୋଗଦାନ ଦେଇଥାଏ। ଦେଶର ୫୨ ପ୍ରତିଶତ ଚାଷ ଜମି ବର୍ଷା ଜଳ ଉପରେ ନିର୍ଭରଶୀଳ। ଏହା ସାରା ଦେଶରେ ପିଇବା ପାଣି ଓ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଜଳଭଣ୍ଡାରଗୁଡ଼ିକୁ ଭରିବା ପାଇଁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ମୌସୁମୀ ବର୍ଷା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories