Patra electronics

 ଅବିଶ୍ରାନ୍ତ ବର୍ଷା – ଏହି ସ୍ଥାନମାନଙ୍କରେ ପ୍ରବଳରୁ ଅତି ପ୍ରବଳ, ଆଗକୁ ଲଘୁଚାପ ଘନୀଭୂତ ହେବା ଦ୍ବାରା ୩ ଦିନ ପର୍ଯ୍ୟନ୍ତ….

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ବୁଧବାର ସକାଳେ ଲଘୁଚାପରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ତିନିଦିନ ହେଲା ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ଆଗକୁ ଲଘୁଚାପ ଘନୀଭୂତ ହେବା ଦ୍ବାରା ୩ ଦିନ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗତ ୨୪ଘଣ୍ଟାରେ କୋରାପୁଟ, କନ୍ଧମାଳ, ରାୟଗଡା, ବରଗଡ, କଳାହାଣ୍ଡି, ନବରଙ୍ଗପୁର, ପୁରୀ ଏବଂ ମାଲକାନଗିରିରେ ବର୍ଷା ହୋଇଛି।

ଦକ୍ଷିଣରେ ଲଗାଣ ବର୍ଷା ଯୋଗୁଁ କୋରାପୁଟ ଓ ଗଜପତି ଜିଲାର ପାହାଡ଼ିଆ ଅଞ୍ଚଳରେ ମାଟି ଅତଡା ଧସିଥିବା ବେଳେ କୋରାପୁଟ ଓ ରାୟଗଡା ରେଳ ଲାଇନ ଉପରେ ପାଣି ଲହଡି ମାରିବା, ମାଟି ଓ ଗଛଡାଳ ପଡିବା ଦ୍ବାରା ଏହି ମାର୍ଗରେ ରେଳ ଚଳାଚଳ ବାତିଲ କରି ଦିଆଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାୟଗଡା ଜିଲାର ଆମ୍ବଦୋଳାରେ ସବୁଠୁ ଅଧିକ ୧୮୭.୫ମି.ମି ବର୍ଷା ରେକର୍ଡ କରାଯାଇ ଥିବାବେଳେ କଳାହାଣ୍ଡି ଜିଲାର ଲାଞ୍ଜିଗଡ ୧୫୬.୪, କନ୍ଧମାଳର ଦାରିଙ୍ଗବାଡି ୧୨୮, ମାଲକାନଗିରିର ଚିତ୍ରକୋଣ୍ଡା ୧୧୭, ବରଗଡର ଅତାବିରା ୧୧୬ ଏବଂ କନ୍ଧମାଳର ଟିକାବାଲିରେ ୧୧୪ ମି.ମି ବର୍ଷା ହୋଇଛି। ବୁଧବାର ସକାଳ ୮ଟା ୩୦ରୁ ଅପରାହ୍ଣ ୫ଟା ୩୦ମିନିଟ ମଧ୍ୟରେ ନବରଙ୍ଗପୁରରେ ୭୨ମି.ମି, ଗୋପାଳପୁର ୫୫, ଛତ୍ରପୁର ୫୪.୨, ବଲାଙ୍ଗୀର ୪୫, କୋରାପୁଟରେ ୩୦.୪ ମି.ମି ବର୍ଷା ହୋଇଛି। ଭୁବନେଶ୍ୱର ଏବଂ କଟକରେ କିଛି ଅଞ୍ଚଳରେ ୨ରୁ ୩ସେମି ବର୍ଷା ହୋଇଥିବା ଜଣାପଡିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ବରଗଡ, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ନବରଙ୍ଗପୁର ଏବଂ ଗଞ୍ଜାମର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ବର୍ଷାର ସମ୍ଭାବନା ରହିଛି। ସେହିପରି ନୟାଗଡ, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, କଟକ ଏବଂ ଅନୁଗୋଳରେ ପ୍ରବଳ ବର୍ଷିବ। କେତେକ ଅଞ୍ଚଳରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲାଗୁଡିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇ ଥିବାବେଳେ ଜିଲାପାଳମାନେ ସତର୍କ ରହିବାକୁ ଏସଆରସି ସତ୍ୟବ୍ରତ ସାହୁ ନିର୍ଦେଶ ଦେଇଛନ୍ତି।

କୋରାପୁଟରେ ଗତ ୪ଦିନ ହେଲାଣି ଲାଗି ରହିଥିବା ଲଗାଣ ବର୍ଷା ହେତୁ ଜିଲାର ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ରାସ୍ତାରେ ପାହାଡ଼ରୁ ମାଟି ଅତଡା ଖସିଛି। ରାସ୍ତା ଉପରେ ଗଛ ଓ ମାଟି ପଡିଯିବାରୁ ଯାତାୟାତ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ପରେ ମାଟି ଓ ଗଛ ସଫା କରିବା ପରେ ରାସ୍ତାରେ ଚଳାଚଳ ସ୍ୱାଭାବିକ ହୋଇଛି। ଲମତାପୁଟରେ ୨ ଦିନ ପ୍ରବଳ ବର୍ଷା ଲାଗି ରହିବା ଯୋଗୁଁ ରାସ୍ତା ଉପରେ ପାଣି ଚାଲୁଛି। ଟିପି ଡ୍ୟାମ ରାସ୍ତା ଉପରେ ଥିବା ପୋଲ ଉପରେ ତିନି ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଗଜପତି ଜିଲାର ଗୁମ୍ମା ବ୍ଲକରେ ଆଜି ସକାଳେ ପାହାଡ ଧସିଯାଇ କୁଜାସିଂଠାରୁ ଅଜୟଗଡ ରାସ୍ତା ଅବରୋଧ ହୋଇଯାଇଛି। ଏହାଦ୍ୱାରା କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଏହି ଜିଲାର ଅନ୍ୟାନ୍ୟ ବ୍ଲକ୍ ସମେତ ଗୁମ୍ମା ବ୍ଲକର ବିଭିନ୍ନ ପାହାଡିଆ ଅଞ୍ଚଳରେ ସବୁଦିନ ବର୍ଷା ହେଉଛି। ପ୍ରାୟ ୩ ରୁ ୪ ଦିନ ହେବ ଗୁମ୍ମା ବ୍ଲକରେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ପାହାଡରୁ ମାଟି ଅତଡ଼ା ଓ ପଥର ଖସି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳ ଲାଇନ ଉପରେ ପଥର ପଡିବା ଯୋଗୁଁ କୋରାପୁଟ ରାୟଗଡା ରେଳ ପଥରେ ରେଳ ଚଳାଚଳ ବନ୍ଦ ରହିଛି। ରାୟଗଡା ଜିଲା ରାଉଳି ଓ ଲିଲିଗୁମା ରେଳ ଷ୍ଟେସନ ମଧ୍ୟରେ ରେଳପଥ ଉପରେ ମାଟି ଅତଡ଼ା ଧସିଛି। ଏଥିସହ ରେଳ ଧାରଣାରେ ବର୍ଷା ପାଣି ପ୍ରବାହିତ ହେଉଛି। ବର୍ଷା ଅଧିକ ହେବା ପରେ ପାହାଡ଼ରୁ ବଡ ବଡ ପଥର ସହ ବର୍ଷା ପାଣି ଧାରଣାରେ ପ୍ରବାହିତ ହେଉଛି। ଏଥିପାଇଁ ବିଶାଖାପାଟଣା-କୋରାପୁଟ ଡିଏମୟୁ ଓ କୋରାପୁଟ-ବିଶାଖାପାଟଣା ଡିଏମୟୁ ବାତିଲ ହୋଇଛି। ବୌଦ୍ଧ ଜିଲା ମୁଣ୍ଡାପଡ଼ା ପିଙ୍ଗଲାବେଡା ନିକଟରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ବଲାକିରା ଗାଁର ବାପୁନ୍ ସାହୁ, କରନ୍ ମହକୁଲ ଓ ଜଡାପାଲ୍ ଗ୍ରାମର ସୁମନ୍ତ ସାହୁ ବିଲ କାମ କରିବା ପାଇଁ ଯାଇଥିଲେ। କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତରେ କରନ ମହକୁଲଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ‌ ଆହତ ହୋଇଥିଲେ।

Comments are closed.