ଆଠଗଡ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଚଳିତବର୍ଷ ସାମାନ୍ୟ ବିଳମ୍ବରେ ଓଡ଼ିଶାରେ ପ୍ରବେଶ କରିବା ଓ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆଠଗଡ ଅଞ୍ଚଳରେ ଶନିବାର ସନ୍ଧ୍ୟା ଠାରୁ ରବିବାର ଦିନ ୨ଟା ପର୍ଯ୍ୟନ୍ତ ତୁହାକୁ ତୁହା ପ୍ରବଳ ବର୍ଷା ହୋଇଛି। ରବିବାର ଅପରାହ୍ନ ୩ ଟା ପରଠାରୁ ବର୍ଷା ଛାଡି ଯାଇଥିଲେ ମଧ୍ୟ ଆକାଶରେ କଳାମେଘ ଢାଙ୍କି ରହିଛି । ବ୍ଲକ ପ୍ରଶାସନଠାରୁ ମିଳିଥିବା ସୂଚନା ଅନୁଯାଇ ଆଠଗଡ ଅଞ୍ଚଳରେ ଏହି ସମୟ ମଧ୍ୟରେ ୭୨ ମିମିରୁ ଊର୍ଦ୍ଧ୍ବ ପରିମାଣର ବୃଷ୍ଟିପାତ ହୋଇଛି ।ମୌସୁମୀର ପ୍ରଥମ ପରଶରେ ହୋଇଥିବା ପ୍ରବଳ ବର୍ଷା ଫଳରେ ଆଠଗଡ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ତଳିଆ ଅଞ୍ଚଳର ସାହି ଓ ବସ୍ତିରେ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହେବା ଦ୍ଵାରା ଲୋକମାନେ ଚଳପ୍ରଚଳରେ ଅସୁବିଧାର ସମ୍ମୁଖୀନ ହେବା ସହ କେତେକ ଅଞ୍ଚଳରେ ନିଚ୍ଚାରେ ଥିବା ଘରେ ବର୍ଷାଜଳ ପଶିଯାଇଥିଲା। ଆଠଗଡ ସହରର କେତେକ ୱାର୍ଡର କିଛି ଜନବସତି ଅଞ୍ଚଳରେ ପକ୍କା ରାସ୍ତା ଓ ନାଳ ନଥିବାରୁ ବର୍ଷାଜଳ ନିଷ୍କାସନ ହୋଇନପାରି ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଜମା ହୋଇ ରହିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଏନଏସି କର୍ତ୍ତୃପକ୍ଷ ଏହିସବୁ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।
Comments are closed.