ନୂଆଦିଲ୍ଲୀ: ଆସନ୍ତା ୧୪ ତାରିଖରେ ଦେଶରେ ଲକଡାଉନ ସମୟସୀମା ଶେଷ ହେବ। ଏହା ପରଦିନ ଅର୍ଥାତ ୧୫ ତାରିଖରୁ ରେଲୱେ ତାହାର ସେବା ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ରେଲୱେ ପକ୍ଷରୁ ଏହାର ସମସ୍ତ ସୁରକ୍ଷାକର୍ମୀ, କର୍ମଚାରୀ, ଗାର୍ଡ, ଟିଟିଇ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଏପ୍ରିଲ ୧୫ରୁ ନିଜ କାର୍ଯ୍ୟସ୍ଥଳକୁ ଫେରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। କିନ୍ତୁ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ହିଁ ଟ୍ରେନ ଚଳାଚଳ ଆରମ୍ଭ ହେବ। ସରକାର ଏହି ପ୍ରସଙ୍ଗରେ ଏକ ମନ୍ତ୍ରୀଗୋଷ୍ଠୀ ଗଠନ କରିଛନ୍ତି। ତେବେ ଏହା ମଧ୍ୟରେ ରେଲୱେ ଟ୍ରେନଗୁଡ଼ିକ ଚଳାଚଳ କରିବାର ସମୟସାରଣୀ, ଯାତ୍ରା, ବଗିଗୁଡ଼ିକର ଉପଲବ୍ଧତା ସହିତ ସମସ୍ତ ରେଳ ଜୋନଗୁଡ଼ିକରେ ସେବା ଆରମ୍ଭ କରିବାର ଯୋଜନା ଜାରି କରିଛି। ରେଲୱେ ପକ୍ଷରୁ ସମସ୍ତ ୧୭ଟି ଜୋନକୁ ନିଜ ନିଜ ସେବା ପରିଚାଳନା କରିବା ଲାଗି ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ୧୫ ଏପ୍ରିଲରୁ ପାଖାପାଖି ୮୦ ପ୍ରତିଶତ ଟ୍ରେନ ନିର୍ଦ୍ଧାରିତ ସମୟ ଅନୁସାରେ ଚଳାଚଳ କରିବାର ସମ୍ଭାବନା ରହିଛି। ଏହି ଟ୍ରେନଗୁଡ଼ିକ ମଧ୍ୟରେ ରାଜଧାନୀ ଏକ୍ସପ୍ରେସ, ଶତାବ୍ଦୀ, ଦୁରନ୍ତୋ ଏକ୍ସପ୍ରେସ ସାମିଲ ଅଛନ୍ତି। ସ୍ଥାନୀୟ ଟ୍ରେନଗୁଡ଼ିକର ସେବା ମଧ୍ୟ ଆରମ୍ଭ ହେବ।
ରେଲୱେ ପକ୍ଷରୁ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ ଏବଂ ସରକାରଙ୍କ ପରାମର୍ଶ ଅନୁସାରେ ସବୁ ପ୍ରୋଟୋକଲର ପାଳନ କରାଯିବ। ତେବେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, କୌଣସି ନୂଆ ନିର୍ଦେଶନାମା ଜାରି ହୋଇନାହିଁ। ଟ୍ରେନ ସେବା କେବଳ ୧୪ ଏପ୍ରିଲ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି। ଏଥିପାଇଁ ସେହିଦିନ ପର୍ଯ୍ୟନ୍ତ ସେବା ବନ୍ଦ ରହିବ। ପୁଣି ଥରେ ସେବା ଆରମ୍ଭ କରିବା ଲାଗି କୌଣସି ନୂଆ ଆଦେଶନାମାର ଆବଶ୍ୟକତା ନାହିଁ।



