ରାହୁଲଙ୍କ ସହ ବୈଠକ ଆଜି

ଓଡ଼ିଶା କଂଗ୍ରେସ ନେତା ଦିଲ୍ଲୀରେ,୧୦ରେ ପିସିସି ସଭାପତି ନାମ ଘୋଷଣା !

ନୂଆଦିଲ୍ଲୀ : ନୂତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ମନୋନୟନ ପ୍ରସଙ୍ଗରେ ଦଳୀୟ ନେତାଙ୍କ ସହ ଆଲୋଚନା ପାଇଁ ରାଜ୍ୟ କଂଗ୍ରେସ ନେତାଗଣ ବରିଷ୍ଠ ନେତା ରାହୁଳ ଗାନ୍ଧୀଙ୍କ ଡାକରା ପରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଦୀର୍ଘ ଚାରି ବର୍ଷର ବ୍ୟବଧାନ ପରେ ରାଜ୍ୟ କଂଗ୍ରେସର ତୁଙ୍ଗନେତାଙ୍କ ସହ ରାହୁଳ ଗାନ୍ଧୀ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ଦଳୀୟ ବ୍ୟାପାରରେ ସିଧାସଳଖ ଆଲୋଚନା କରିବେ। ଯଦିଓ ଭେଟଘାଟ ଲାଗି ନିର୍ଦ୍ଧିଷ୍ଟ ସମୟ ଓ ସ୍ଥାନ ବିଷୟରେ ରାଜ୍ୟ କଂଗ୍ରେସ ନେତାଙ୍କୁ ରବିବାର ସଂଧ୍ୟା ସୁଦ୍ଧା କୌଣସି ସୂଚନା ଦିଆଯାଇନାହିଁ ତଥାପି ସେମାବାର ସଂଧ୍ୟା ୬ଟା ୩୦ରେ ସ୍ଥାନୀୟ ୧୨, ତୋଗଲକ ଲେନସ୍ଥିତ ବାସଭବନରେ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ସୋମବାର ଅପରାହ୍ନ ୪ଟା ୩୦ରେ ଅଖିଳ ଭାରତ କଂଗ୍ରେସ କମିଟିର କାର୍ଯ୍ୟକାରୀ କମିଟି ବୈଠକ (ସିଡବ୍ଲୁସି) ଅନୁଷ୍ଠିତ ହେଉଥିବାରୁ ଏହା ପରେ ଓଡ଼ିଶା କଂଗ୍ରେସ ନେତାଙ୍କ ସହ ରାହୁଳ ବୈଠକ କରିବେ। ତେବେ ରାଜ୍ୟ କଂଗ୍ରେସ ନେତାଙ୍କ ସହ ଏକାଠି ବୈଠକ ମାଧ୍ୟମରେ ଆଲୋଚନା କରିବା ପରେ ପରେ କେତେକ ନିର୍ଦ୍ଧିଷ୍ଟ ନେତାଙ୍କ ସହ ଏକାନ୍ତରେ ମଧ୍ୟ ବିଚାରବିମର୍ଷ କରି ସେମାନଙ୍କ ମତାମତ ରାହୁଲ ପଚାରି ବୁଝିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଭେଟଘାଟରେ ସମୁଦାୟ ୧୯ ଜଣ ନେତା ଉପସ୍ଥିତ ରହିବେ। ସେଥିମଧ୍ୟରେ ରାଜ୍ୟ କଂଗ୍ରେସର ୧୭ ଜଣ ଏବଂ କଂଗ୍ରେସ ଓଡ଼ିଶା ପ୍ରଭାରୀ ଡ. ଚେଲାକୁମାର ଏବଂ ସହପ୍ରଭାରୀ ରୁଦ୍ର ରାଜୁଙ୍କ ନାମ ରହିଛି। ଓଡ଼ିଶା ନେତାଙ୍କ ମଧ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ନଅ ଜଣ ବିଧାୟକ, ବିହାର ଓ ମଣିପୁର କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ, ପଶ୍ଚିମବଙ୍ଗ କଂଗ୍ରେସ ସହପ୍ରଭାରୀ ଶରତ ରାଉତ, କୋରାପୁଟ ସାଂସଦ ତଥା ଛତିଶଗଡ଼ ସହପ୍ରଭାରୀ ସପ୍ତଗିରି ଉଲାକା, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ ଏବଂ ବରିଷ୍ଠ କଂଗ୍ରେସ ନେତା ଡ଼ ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ଆମନ୍ତ୍ରଣ କରାଯାଇଛି।
ଗତ ଏପ୍ରିଲରେ ଭୂବନେଶ୍ୱର ଗସ୍ତ କରି ନୂତନ ପିସିସି ସଭାପତି ମନୋନୟନ ପ୍ରସଙ୍ଗରେ ଦଳୀୟ ନେତା ଏବଂ ଅନ୍ୟ ଦଳର ବରିଷ୍ଠ ନେତାଙ୍କ ମତାମତ ଜାଣିବା ପରେ କଂଗ୍ରେସ ପ୍ରଭାରୀ ଡ଼ ଚେଲାକୁମାର କଂଗ୍ରେସ ଅଧ୍ୟକ୍ଷଙ୍କୁ ନିଜର ରିପୋର୍ଟ ପ୍ରଦାନ କରିଥିଲା। କଂଗ୍ରେସ ପ୍ରଭାରୀଙ୍କ ରିପୋର୍ଟ ପରେ ନୂତନ ପିସିସି ସଭାପତି ଘୋଷଣା ବାଟ ଫିଟିଛି। ରାହୁଲଙ୍କ ସହ ରାଜ୍ୟ କଂଗ୍ରେସ ନେତାଙ୍କ ସାକ୍ଷାତ ପରଦିନ ଅର୍ଥାତ ମେ ୧୦ରେ ନୂତନ ପିସିସି ସଭାପତି ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ରାହୁଲଙ୍କ ସହ ଭେଟଘାଟ ପୂର୍ବଦିନରେ ଆଜି ଦିଲ୍ଲୀ ଦରବାରରେ ରାଜ୍ୟ କଂଗ୍ରେସ ନେତା ଏବଂ ତାଙ୍କ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ରବିବାର ଛୁଟି ଦିନରେ ମଧ୍ୟ ୨୪, ଆକବରରୋଡ଼ସ୍ଥିତ ଅଖିଳ ଭାରତ କଂଗ୍ରେସ କମିଟି ମୁଖ୍ୟାଳୟ ଠାରୁ ଆରମ୍ଭ କରି ଚାଣକ୍ୟପୁରୀ ସ୍ଥିତ ଓଡ଼ିଶା ନିବାସରେ ନେତା ଓ କର୍ମୀଙ୍କ ଗହଳି ଯୋଗୁଁ ରାଜନୈତିକ ଉଷ୍ମତା ଲାଗି ରହିଥିଲା। ରାହୁଲଙ୍କ ସହ ଭେଟଘାଟ ପୂର୍ବରୁ ଦିଲ୍ଲୀରେ ରବିବାର ଓଡ଼ିଶା ପ୍ରଭାରୀ ଡ଼ ଚେଲାକୁମାର ରାଜ୍ୟ କଂଗ୍ରେସର ବହୁ ନେତାଙ୍କୁ ଭେଟିଥିବା ଜଣାପଡ଼ିଛି। ଅପରପକ୍ଷେ ଆସନ୍ତାକାଲି ମଧ୍ୟାହ୍ନ ୧ଟାରେ ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁସନାଲ କ୍ଲବରେ ଓଡ଼ିଶା କଂଗ୍ରେସ ନେତାଙ୍କ ସହ ପ୍ରଭାରୀ ଚେଲ୍ଲାକୁମାର ଆଲୋଚନା କରିବା ଆପାତତଃ ସ୍ଥିର ହୋଇଛି। ସେଠାରେ ସମୂହ ମଧ୍ୟାହ୍ନ ଭୋଜନ ପରେ ଚେଲ୍ଲାକୁମାର ଆଲୋଚନା କରିବେ।

kalyan agarbati

Comments are closed.