ନୂଆଦିଲ୍ଲୀ: କଂଗ୍ରେସ ମହାଧିବେଶନ ପରେ ସଂଗଠନକୁ ମଜଭୁତ କରିବା ପାଇଁ ଦଳ ମଧ୍ୟରେ ‘ଟିମ ରାହୁଲ’ ଗଠନ ପାଇଁ କସରତ୍ ଚାଲିଛି। ରାହୁଲଙ୍କ ପାଖ ଲୋକ କୁହାଯାଉଥିବା ବଛା ବଛା ନେତାଙ୍କୁ ସଂଗଠନର ଦାୟିତ୍ୱ ଦେବା ପାଇଁ ତାଲିକା ପ୍ରସ୍ତୁତ ହେଉଛି। ବିଶେଷକରି ଯୁବ ନେତୃତ୍ୱଙ୍କୁ ସଂଗଠନରେ ସାମିଲ କରାଯିବ। ଅଧିକାଂଶ ବୟସ୍କ ନେତାଙ୍କୁ ରାହୁଲଙ୍କ ନୂଆ ଟିମରୁ ବାଦ୍ ଦିଆଯିବ। ସୋନିଆ ଗାନ୍ଧୀଙ୍କ ରାଜନୈତିକ ସଚିବ ଅହମ୍ମଦ ପଟେଲ, ଦଳର କୋଷାଧ୍ୟକ୍ଷ ମୋତିଲାଲ ଭୋରା, ସାଧାରଣ ସଂପାଦକ ଅମ୍ବିକା ସୋନି, ମୋହନ ପ୍ରକାଶ, ସୁଶୀଲ କୁମାର ସିନେ୍ଧ, ଜନାର୍ଦ୍ଦନ ଦ୍ୱିବେଦୀ, ବି କେ ହରିପ୍ରସାଦ ପ୍ରମୁଖ ବାଦ ତାଲିକାରେ ଆଗରେ ଅଛନ୍ତି। ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କେତେକ ରାଜ୍ୟର ପିସିସି ସଭାପତି ପଦ ପରିବର୍ତ୍ତନ କରାଯିବ। ଇତିମଧ୍ୟରେ ଗୁଜୁରାତ, ଗୋଆ, ଉତ୍ତରପ୍ରଦେଶ ପିସିସି ସଭାପତି ଯୁବ ନେତୃତ୍ୱଙ୍କୁ ସୁଯୋଗ ଦେବା ପାଇଁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ଓଡ଼ିଶା ପିସିସି ସଭାପତି ବିଜେପୁର ବିଧାନସଭା ଉପନିର୍ବାଚନ ଫଳାଫଳ ନେଇ ନିଜକୁ ଦାୟୀ କରି ଇସ୍ତଫା ଦେଇଥିଲେ। ଏଆଇସିସି ଟିମ ଘୋଷଣା କରିବା ପରେ ହରିଆନା, ଗୁଜୁରାତ, ଗୋଆ, ଉତ୍ତରପ୍ରଦେଶ, ବିହାର, ଓଡ଼ିଶା, ତ୍ରିପୁରା, ଉତ୍ତରାଖଣ୍ଡ, ମଣିପୁର ଏବଂ ହିମାଚଳ ପ୍ରଦେଶର ପିସିସି ସଭାପତି ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି। ଉଭୟ ଏଆଇସିସି କାର୍ଯ୍ୟକର୍ତ୍ତା ଓ ପିସିସି ସଭାପତି ନିଯୁକ୍ତିରେ ଜାତିଗତ ସମୀକରଣ ଏବଂ ସଂଖ୍ୟାଲଘୁଙ୍କ ସ୍ୱାର୍ଥକୁ କଂଗ୍ରେସ ଦଳ ଅଗ୍ରାଧିକାର ଦେବ। ଏଆଇସିସି ଟିମ୍ ଘୋଷଣା ପରେ ବିଭିନ୍ନ ରାଜ୍ୟର କଂଗ୍ରେସ ପ୍ରଭାରୀଙ୍କୁ ବଦଳାଯିବାର ସମ୍ଭାବନା ରହିଛି। ବର୍ତ୍ତମାନ କଂଗ୍ରେସର ଓଡ଼ିଶା ପ୍ରଭାରୀ ବି କେ ହରିପ୍ରସାଦଙ୍କୁ ରାଜ୍ୟ ଦାୟିତ୍ୱରୁ ବାଦ୍ ଦିଆଯିବ। ତେବେ ରାଜ୍ୟ କଂଗ୍ରେସର ବହୁ ନେତା ରାହୁଲଙ୍କ ନୂଆ ଟିମରେ ସାମିଲ ହେବା ନେଇ ଆଶା ବାନ୍ଧିଛନ୍ତି। କଂଗ୍ରେସର ତେଲେଙ୍କାନା ପ୍ରଭାରୀ ରାମଚନ୍ଦ୍ର ଖୁଣ୍ଟିଆ ଦଳର ସାଧାରଣ ସଂପାଦକ ପଦକୁ ଉତ୍ତୀନ୍ନ ଦେବାର ସମ୍ଭାବନା ରହିଛି। ସେହିପରି ଅନ୍ୟତମ ବରିଷ୍ଠ ନେତା ଭକ୍ତ ଚରଣ ଦାସ ରାହୁଲଙ୍କ ନୂଆ ଟିମରେ ଅଧିକ ସଂଗଠାନିକ ଦାୟିତ୍ୱ ପାଇବା ନେଇ ଆଶା କରିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଉଭୟ ରାମଚନ୍ଦ୍ର ଓ ଭକ୍ତଙ୍କୁ ଓଡ଼ିଶା ପିସିସି ସଭାପତି ପଦର ପ୍ରସ୍ତାବ ଏଆଇସିସି ଦେଇଥିଲା। ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ପିସିସିର ମଙ୍ଗ ଧରିବାକୁ ରାମଚନ୍ଦ୍ର ଖୁଣ୍ଟିଆ ଅରାଜି ହୋଇଥିବାର ଜଣାପଡ଼ିଛି। ଏଆଇସିସି ଥଇଥାନ ଦୈଡ଼ରେ ରାଜ୍ୟ କଂଗ୍ରେସର ପ୍ରଦୀପ ମାଝୀ, ଶ୍ରୀକାନ୍ତ ଜେନା, ରଞ୍ଜିବ ବିଶ୍ୱାଳ, ଶରତ ପଟ୍ଟନାୟକ ଓ ଯୁବନେତା ବିଶ୍ୱରଞ୍ଜନ ମହାନ୍ତି ପ୍ରମୁଖ ଅଛନ୍ତି। ବର୍ତ୍ତମାନର ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ମଧ୍ୟ ଏଆଇସିସି ନୂଆ ଟିମରେ ସାମିଲ କରାଯିବାର ସମ୍ଭାବନା ରହିଛି। ରାଜ୍ୟ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ସତ୍ତ୍ୱେ ପ୍ରସାଦଙ୍କ ପ୍ରତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭରସା ଦେଖାଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ସଂଗଠନରେ ଗୁରୁ ଦାୟିତ୍ୱ ଦିଆଯାଇପାରେ ବୋଲି ଦିଲ୍ଲୀରେ ଚର୍ଚ୍ଚା ହେଉଛି।
Popular Categories


