www.samajalive.in
Monday, December 15, 2025
26.1 C
Bhubaneswar

୧୧୩ ବର୍ଷ ପରେ ରଘୁନାଥ ବେଶ ହେବେ ଶ୍ରୀଜଗନ୍ନାଥ

ପୁରୀ : ଶ୍ରୀମନ୍ଦିର ରତ୍ନସିଂହାସନରେ ଶ୍ରୀଜୀଉଙ୍କୁ କରାଯିବ ରଘୁନାଥ ବେଶ। ଖୁବ୍‍ଶୀଘ୍ର ନୀତି ସବ୍‍କମିଟି ବୈଠକରେ ଏନେଇ ଆଲୋଚନା ହେବ। ଦୀର୍ଘ ୧୧୩ ବର୍ଷ ପରେ ଶ୍ରୀଜୀଉଙ୍କ ଏପରି ଦୁର୍ଲଭ ବେଶ ପାଇଁ ପ୍ରଶାସନ ଚିନ୍ତା କରୁଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି । ୨୦୨୦ରେ ଶ୍ରୀମନ୍ଦିର ପ୍ରଶାସନ ଦାରୁବ୍ରହ୍ମଙ୍କୁ ରଘୁନାଥ ବେଶ କରିବାକୁ ନିଷ୍ପତ୍ତି ନେଇଛି।
ରଘୁନାଥ ବେଶର ଐତିହ୍ୟ ଏବଂ ପରମ୍ପରା ସମ୍ପର୍କରେ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ବୈଶାଖ ମାସର ଯେଉଁଦିନ ରାମଚନ୍ଦ୍ରଙ୍କ ଅଭିଷେକ ଉତ୍ସବ ପଡ଼େ ସେହିଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ରଘୁନାଥ ବେଶ କରାଯାଏ। ଶ୍ରୀଜୀଉଙ୍କୁ ଏପର୍ଯ୍ୟନ୍ତ ୯ଥର ରଘୁନାଥ ବେଶ କରାଯାଇଥିବା ଜଣାପଡ଼ିଛି । ୧୫୭୭, ୧୭୩୯, ୧୮୦୯, ୧୮୩୩, ୧୮୪୨, ୧୮୫୦, ୧୮୯୩ ଏବଂ ୧୯୦୫ରେ ଶ୍ରୀଜୀଉଙ୍କୁ ରଘୁନାଥ ବେଶ କରାଯାଇଥିଲା। ସୂଚନା ଅନୁଯାୟୀ ଶେଷଥର ପାଇଁ ୧୯୦୫ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଘୁନାଥ ବେଶ କରାଯାଇଥିଲା। ସେତେବେଳେ ୫୦ରୁ ୬୦ହଜାର ଭକ୍ତ ବେଶ ଦର୍ଶନ କରିଥିଲେ। ଶ୍ରୀଜଗନ୍ନାଥଙ୍କୁ ଶ୍ରୀରାମ ଏବଂ ବଡ଼ଭାଇ ଶ୍ରୀବଳଭଦ୍ରଙ୍କୁ ଲକ୍ଷ୍ମଣ ବେଶରେ ସଜ୍ଜିତ କରାଇ ଧନୁଧାରଣ କରାଯାଇଥିବାବେଳେ ସେମାନଙ୍କ ଦୁଇପାର୍ଶ୍ବରେ ଭରତ ଓ ଶତ୍ରୁଘ୍ନ ଦଣ୍ଡାୟମାନ ହୋଇଥିଲେ। ଶ୍ରୀରାମଙ୍କ ଜାନୁ ଉପରେ ଲକ୍ଷ୍ମୀ ସୀତା ବସିଥିଲେ। ହନୁମାନଙ୍କ ଦୁଇହସ୍ତ ଯୋଡ଼ି ବସିବା ଦୃଶ୍ୟ ଶ୍ରୀମନ୍ଦିରରେ ଭାବଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ସେବେଠାରୁ ମହାପ୍ରଭୁଙ୍କୁ ଆଉ ରଘୁନାଥ ବେଶ କରାଯାଇ ନାହିଁ। ଦୁଇଦିନ ତଳେ କେତେକ ବେସରକାରୀ ସଂସ୍ଥା ଭୁବନେଶ୍ୱରରେ ଶ୍ରୀଜୀଉଙ୍କ ରଘୁନାଥ ବେଶ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ଉପରେ ଚାପ ପଡ଼ିଛି। ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କୁ ପୁଣିଥରେ ଏହି ବେଶ କରିବାକୁ ଭକ୍ତଙ୍କ ପକ୍ଷରୁ ଦାବି ହୋଇଛି।
ଗବେଷକଙ୍କ ମତରେ ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କୁ ରାଜାଭିଷେକ କରାଯାଇଥିଲା। ତାହା ରଘୁନାଥ ବେଶଭାବେ ପରିଚିତ। ଦ୍ୱାଦଶ ଶତାବ୍ଦୀଠାରୁ ରାମାନୁଜାଚାର୍ଯ୍ୟଙ୍କ ଦ୍ୱାରା ଶ୍ରୀମନ୍ଦିରରେ ରଘୁନାଥ ବେଶ ପ୍ରଚଳନ ହୋଇଥିବା କୁହାଯାଉଛି। ଗଜପତି ମହାରାଜା ରାମଚନ୍ଦ୍ର ଦେବ ତାଙ୍କ ରାଜତ୍ୱର ୧୧ଅଙ୍କରେ ମହାପ୍ରଭୁଙ୍କୁ ରଘୁନାଥ ବେଶ କରିଥିଲେ। ତାଙ୍କ ସମୟରେ ରାମାଭିଷେକ ମୋହର ପ୍ରଚଳନ ହୋଇଥିବା ଗବେଷକ ମତ ଦିଅନ୍ତି। ଏହି ବେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା: ଶ୍ରୀଜୀଉଙ୍କ ରଘୁନାଥ ବେଶ ଦର୍ଶନ କରିବାକୁ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ ଦେଶର ବିଭିନ୍ନ ସ୍ଥାନରୁ ୫ହଜାରରୁ ଊର୍ଦ୍ଧ୍ବ ସାଧୁସନ୍ଥ ଏବଂ ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା ରହିଛି। ୧୧୩ବର୍ଷ ପରେ ଶ୍ରୀଜୀଉଙ୍କ ରଘୁନାଥ ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ମନ ବଳାଇଥିବାରୁ ଶ୍ରୀଜଗନ୍ନାଥପ୍ରେମୀ ଭକ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories