କୋଇଲା ବୋଝେଇ ରେଳରେ ନିଆଁ : ଆୟତ୍ତ କଲେ ଅଗ୍ନିଶମ ସେବା ବାହିନୀ

ଗୁରୁଡିଝାଟିଆ : ଗୋଟିଏ ପରେ ଗୋଟିଏ ତୃଟି ବିଚ୍ୟୁତି ଏବେ ରେଳ ସେବାରେ ଦେଖାଦେବା ଫଳରେ ସାଧାରଣରେ ବିଭାଗର ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ଉଙ୍କିମାରିଲାଣି। ରବିବାର ରାଧାକିଶୋରପୁର ରେଳଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ରେଳଗାଡିର ବଗିରେ ନିଆଁ ଲାଗିଯାଇଥିବାରୁ ଧୁଆଁମୟ ହୋଇଯାଇଥିଲା ଚତୁପାର୍ଶ୍ବ। ଘଟଣା ସଂପର୍କରେ ଅବଗତ ହେବା ପରେ ବିଭାଗୀୟ ସୁରକ୍ଷା ଅଧିକାରୀ ଓ ଘଣ୍ଟିଖାଲ-ନିଧିପୁର ରେଳ ସୁରକ୍ଷା ବଳର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ୍ ବିଚ୍ଛିନ୍ନ କରାଯିବା ପରେ ଅଗ୍ନିଶମ ସେବା ବାହିନୀର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଘଣ୍ଟିଖାଲ-ନିଧିପୁର ରେଳ ସୁରକ୍ଷା ଫାଣ୍ଡି ଅଧିକାରୀ ଏ.ଏ ଖାନଙ୍କ ପ୍ରତ୍ୟେକ୍ଷ ଉପସ୍ଥିତିରେ ବି. କେ ସିଂ, ବି.ଏନ୍ ଜେନା ପ୍ରମୁଖଙ୍କ ଉପସ୍ଥିତରେ ନିଆଁକୁ ଆୟତ୍ତ କରାଯାଇଥିଲା । ପ୍ରକାଶଯୋଗ୍ୟ ବାହାନଗା ରେଳଦୁର୍ଘଟଣା ପରେ ଯାଜପୁର ରୋଡରେ ହୋଇଥିବା ରେଳ ଅଘଟଣ ପରେ ପରେ ବ୍ରହ୍ମପୁରରେ ରେଳରେ ନିଆଁଁ ଲାଗିବା ଘଟଣା ଓ ପୁଣି ଆଜି ରାଧାକିଶୋରପୁର ରେଳ ଷ୍ଟେସନରେ କୋଇଲା ବୋଝେଇ ରେଳରେ ନିଆଁ ଲାଗିବା କେଉଁଠି ନା କେଉଁଠି ବିଭାଗର ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments are closed.