www.samajalive.in
Monday, December 15, 2025
17.1 C
Bhubaneswar

ନିର୍ଯାତିତ ପିଲାଙ୍କ ପ୍ରତିବାଦ ଓ ଧାରଣା

ବାରିପଦା/କୁଳିଅଣା : ବାଇଗଣବାଡିଆର ଏକ ଘରୋଇ ଆଇଟିଆଇର ୧୨ ଜଣ ପିଲା ଗତକାଲି ରାତିରେ ୧୨ କିମି ବାଟ ଚାଲି କୁଳିଅଣା ଥାନାକୁ ଆସିବା ସହ ପ୍ରତିଷ୍ଠାନର କର୍ତ୍ତୃପକ୍ଷ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ। ପୁଲିସ ସହସା କାର୍ଯ୍ୟାନୁଷ୍ଠାନ ନ ନେବାରୁ ପିଲାମାନେ ଆଉ ୧୭ କିମି ବାଟ ଚାଲି ବାରିପଦା ଆସିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ଧାରଣା ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତ ଆଇଟିଆଇର ଅଧ୍ୟକ୍ଷ ତ୍ରିଲୋଚନ ବାରିକ ଓ ଅଧ୍ୟାପକ ସତ୍ୟଜିତ ଗିରି ଗିରଫ ହୋଇଥିବାବେଳେ ମାମଲାର ମୁଖ୍ୟ ଅଭିଯୁକ୍ତ ଦିବ୍ୟଲୋଚନ ବାରିକ ଫେରାର ରହିଛି। ବାଇଗଣବାଡିଆସ୍ଥିତ ‘ରୀତୟନୀ’ ଘରୋଇ ବୈଷୟିକ ତାଲିମ କେନ୍ଦ୍ରର ୧୨ ଜଣ ଛାତ୍ର ଗତକାଲି ରାତିରେ ମଧୁସୂଦନ ହାଁସଦାଙ୍କ ନେତୃତ୍ୱରେ ଦୀର୍ଘ ୧୨ କିଲୋମିଟର ବାଟ ଚାଲି ଚାଲି କୁଳିଅଣା ଥାନାରେ ପହଞ୍ଚିଥିଲେ। ପିଲାମାନେ ଥାନାରେ ଦେଇଥିବା ଅଭିଯୋଗପତ୍ରରେ ଦର୍ଶାଇଥିଲେ ଯେ ମାତ୍ର ୧ ମାସ ପୂର୍ବରୁ ହିଁ ପାଠପଢ଼଼ା ଆରମ୍ଭ ହୋଇଥିଲେ ମଧ୍ୟ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ବାଧ୍ୟ କରାଯାଉଛି। ପରୀକ୍ଷା ପାଇଁ ଆଇଟିଆଇ ପକ୍ଷରୁ ମିଳିଥିବା ଆଡମିଟ କାର୍ଡ଼ରେ ମଧ୍ୟ ସେମାନଙ୍କର ଟ୍ରେଡ ବଦଳିଯାଇଛି। ପରୀକ୍ଷା ଦେବାକୁ ରାଜି ନ ହେବାରୁ ଅଧ୍ୟକ୍ଷଙ୍କ ସାନ ଭାଇ ଅଭଦ୍ର ଭାଷାରେ ଜାତିଆଣ କଥା ଉଠାଇ ଗାଳିଗୁଲଜ କରି ନିସ୍ତୁକ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି। ପ୍ରସଙ୍ଗର ସମାଧାନ ନ କରି କିଛି ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରିଦିଆଯାଇଛି। ପିଲାମାନେ ପୁଣି ରାତିରେ ଦୀର୍ଘ ୧୭ କିଲୋମିଟର ଜାତୀୟ ରାଜପଥରେ ଚାଲି ଚାଲି ଆଜି ଭୋର ୪ଟାରେ ବାରିପଦାରେ ପହଞ୍ଚିବା ସହଂ ଜିଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଥିଲେ।
ସେମାନଙ୍କ ସହିତ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚାର ଜିଲା ସଭାପତି ଧରମରାଜ ହାଁସଦା ମଧ୍ୟ ଧାରଣାରେ ବସିଥିଲେ। ଛାତ୍ରମାନଙ୍କର ଶିକ୍ଷାବର୍ଷ ନଷ୍ଟ ନ ହେବା, ସେମାନେ ତାଲିମ ନେଇଥିବା ଟ୍ରେଡରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯିବା, ସମସ୍ତ ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ ପାଇଁ ପିଲାମାନେ ଦାବି କରିଥିଲେ। ଏ ସଂପର୍କରେ ମାସା ଆର୍ମୀର ରାଜ୍ୟ ସଭାପତି ସୁକୁଲାଲ ମାର୍ଣ୍ଡି ଓ ପେସା ଗ୍ରାମସଭାର ସଭାପତି ପାଣ୍ଡୁରାମ ସୋରେନଙ୍କ ନେତୃତ୍ୱରେ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ଜେଏମଏମର ପ୍ରଭୁଦାନ ମାର୍ଣ୍ଡି, ବିଜେପିର ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ବିଜେଡି ନେତ୍ରୀ ଜିଲା ପରିଷଦ ସଭାପତି ଭାରତୀ ହାଁସଦା ମଧ୍ୟ ପହଞ୍ଚି ଆଲୋଚନା କରିଥିଲେ। ଛାତ୍ରମାନଙ୍କ ସହିତ ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି, ଜିଲା ଜରୁରୀକାଳୀନ ଅଧିକାରୀ ସୁଜୟ ପତି ଓ ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର କୁମାର ସେନାପତି ପ୍ରମୁଖ ଆଲୋଚନା କରି ଦାବି ପୂରଣ ସଂପର୍କରେ ପ୍ରତିଶ୍ରୁତି ଦେବାରୁ ଅପରାହ୍ନ ୪ଟା ସମୟରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଆଗାମୀ ୬ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ମୟୂରଭଞ୍ଜ ବନ୍ଦ ପାଳନ ହେବ ବୋଲି ଚେତାବନୀ ଦିଆଯାଇଛି।
ଅନ୍ୟପକ୍ଷରେ ଅଭିଯୋଗ ନେଇ କୁଳିଅଣା ଥାନାରେ ୧୧୩/୨୨ ନମ୍ବରରେ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ଭାଇ ଦିବ୍ୟଲୋଚନ ବାରିକ, ଅଧ୍ୟକ୍ଷ ତ୍ରିଲୋଚନ ବାରିକ ଓ ଅଧ୍ୟାପକ ସତ୍ୟଜିତ ଗିରିଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ୩୪୧, ୨୯୪,୩୨୩, ୪୨୦, ୫୦୬ ଓ ୩୪ ଦଫା ସହିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ନିର୍ଯାତନା ନିବାରଣ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିବା ପ୍ରକାଶ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories