ପୁରୀ ପୁଲିସର ଅପରାଧୀ ଦମନ ଅଭିଯାନ

ପେଷାଦାର ଅପରାଧି ଓ ଚୋରା ନିଶାବେପାରୀଙ୍କ ଉପରେ ପୁଲିସର ତୀକ୍ଷ୍ମ ନଜର

ପିପିଲି : ପିପିଲି ଉପନିର୍ବାଚନକୁ ଦୃଷ୍ଟିରେ ରଖି ପୁରୀ ଏସ୍‍ପି ଡକ୍ଟର କନୱର ବିଶାଳ ସିଂହଙ୍କ ନିର୍ଦ୍ଦେଶରେ ପିପିଲି, ଡେଲାଙ୍ଗ, ସତ୍ୟବାଦୀ ଓ ବଳଙ୍ଗା ଥାନା ପକ୍ଷରୁ ଅପରାଧି ଦମନ ଅଭିଯାନକୁ ଜୋରଦାର କରାଯାଇଛି । ଅଞ୍ଚଳର ସମସ୍ତ ଅସାମାଜିକ ବ୍ୟକ୍ତି, ପେଷାଦାର ଅପରାଧିଙ୍କ ଏକ ଲମ୍ବା ତାଲିକା ପୁଲିସ ପ୍ରସ୍ତୁତ କରିଥିବା ବେଳେ ଚୋରା ନିଶାବେପାରୀଙ୍କ ଉପରେ ପୁଲିସ ତୀକ୍ଷ୍ମ ନଜର ରଖିଛି । ଇତିମଧ୍ୟରେ ପୁଲିସ ପକ୍ଷରୁ ୧୨୧ଟି ସଂଖ୍ୟାରେ ୫୦୪ଜଣଙ୍କ ବିରୋଧରେ ୧୦୭ ଦଫାରେ ମୋକଦ୍ଦମା ରୁଜୁ କରାଯାଇଥିବା ବେଳେ ୨୫ଜଣ ପେଷାଦାର ଅପରାଧିଙ୍କ ବିରୋଧରେ ୧୧୦ ଦଫାରେ ମାମଲା ରୁଜୁ କରାଯାଇଛି । ୭୩ଜଣଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରୱାନା ତାମିଲ କରାଯାଇଥିବା ବେଳେ ୩୫ଟି ଅବକାରୀ ମାମଲା ରୁଜୁ କରାଯାଇଥିବା ସଂପର୍କରେ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

ଗତ ୨୬ ତାରିଖ ରାତିରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ଲୁଟ୍‍ ପାଇଁ ଯୋଜନା କରୁଥିବା ୪ଜଣ ହାଇୱେ ଲୁଟେରାଙ୍କୁ ପିପିଲି ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ପିପିଲି ଥାନା ଅନ୍ତର୍ଗତ ହରିଅନ୍ତା ଗ୍ରାମର ରାକେଶ ସ୍ୱାଇଁ (୨୪), କୃଷ୍ଣପୁର ଗ୍ରାମର ପବିତ୍ର କୁମାର ବେହେରା (୨୧) ଓ ବଳଙ୍ଗା ଥାନା ଅର୍ନ୍ତଗତ ଶମ୍ଭୁଭାରତୀପାଟଣା ଗ୍ରାମର ଦୁଇଭାଇ ଜଗନ୍ନାଥ ସାହୁ (୨୨) ଓ ବଳରାମ ସାହୁ (୨୧) । ରାକେଶ ଓ ପବିତ୍ର ନାମରେ ପିପିଲି ଥାନାରେ ପୂର୍ବରୁ ୨ଟି ମାମଲା ରହିଥିବା ବେଳେ ଜଗନ୍ନାଥ ଓ ବଳରାମଙ୍କ ନାମରେ ବଳଙ୍ଗା ଥାନାରେ ୬ଟି ମାମଲା ରହିଥିବା ପୁଲିସ ସୂଚନା ଦେଇଛି । ସେମାନଙ୍କ ନିକଟରୁ ଏକ ଖଣ୍ଡା, ଲୁହା ରଡ୍‍, ଖାଲି ମଦବୋତଲ ଓ ଫୁଟା ବୋମାର ଅଂଶବିଶେଷକୁ ପୁଲିସ ଜବତ କରିଛି । ସେହିପରି ୨୬ ତାରିଖ ରାତିରେ ୫ଜଣ ଅପରାଧି ସତ୍ୟବାଦୀ ଥାନା ଅନ୍ତର୍ଗତ ମଠ ପଡିଆ ଠାରେ ଏକତ୍ରିତ ହୋଇ ଜାତୀୟ ରାଜପଥ ଉପରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ସ୍ଥାନୀୟ ପୁଲିସ ସେଠାରେ ଚଢାଉ କରି ପ୍ରମୋଦ ସାହୁ, ଚିନ୍ତାମଣି ସ୍ୱାଇଁ ଓରଫ ଗଣେଶ, ସଞ୍ଜୟ ବେହେରା ଓ କାହ୍ନୁ ନାୟକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ସେମାନଙ୍କ ଠାରୁ ଖଣ୍ଡା, ଲୁହା ରଡ୍‍ ଇତ୍ୟାଦିକୁ ପୁଲିସ ଜବତ କରିଛି । ଉପରୋକ୍ତ ଅପରାଧିମାନେ ଏହା ପୂର୍ବରୁ ଏକାଧିକ ଅପରାଧିକ ମାମଲାରେ ସଂପୃକ୍ତ ଥିବା ପୁଲିସ ସୂଚନା ଦେଇଛି ।

ଅନ୍ୟଏକ ଘଟଣାରେ ଡେଲାଙ୍ଗ ପୁଲିସ ପକ୍ଷରୁ ୨୮ ତାରିଖ ରାତିରେ ଚିତଲପୁର ଗ୍ରାମ ନିକଟରେ ଚଢଉ କରାଯାଇ ରାମଚନ୍ଦ୍ର ବେହେରା, ଅଭୟ କୁମାର ସ୍ୱାଇଁ, ସୁଶାନ୍ତ ମଳିକ ଓ ଦୀପକ ମଳିକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଖଣ୍ଡା, ହାତୁଡି, ୮ଟି ଜୀବନ୍ତ ବୋମା ଓ ୪ଟି ବାଇକ୍‍କୁ ପୁଲିସ ଜବତ କରିଛି । ସେମାନେ ହରିପୁର ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି କରିବାକୁ ଯୋଜନା କରିଥିବା ସଂପର୍କରେ ପୁଲିସ ନିକଟରେ ସ୍ୱୀକାର କରିଥିବା ସୂଚନା ମିଳିଛି । ଉପରୋକ୍ତ ସମସ୍ତ ଅପରାଧିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ପିପିଲି ଉପନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଅପରାଧି ଦମନ ଅଭିଯାନକୁ ଜୋରଦାର କରାଯାଇଥିବା ବେଳେ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳଙ୍କ ନେତୃତ୍ୱରେ ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଡେଲାଙ୍ଗ ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ, ସତ୍ୟବାଦୀ ଆଇଆଇସି ଦେବୀ ପ୍ରସାଦ ପାତ୍ର ଓ ବଳଙ୍ଗା ଥାନା ଓଆଇସି ସମରେନ୍ଦ୍ର ପାଇକରାୟ ଏହି ଧରପଗଡ ଅଭିଯାନରେ ସାମିଲ ଅଛନ୍ତି । ନିର୍ବାଚନମଣ୍ଡଳୀର ସମସ୍ତ ପ୍ରବେଶ ପଥ ଗୁଡିକରେ ଯାନବାହାନ ତଲାସି ଅଭିଯାନକୁ କଡାକଡି କରାଯାଇଥିବା ବେଳେ ଆଗାମୀ ଦିନରେ ପୁଲିସର ଅପରାଧି ଦମନ ଅଭିଯାନକୁ ଅଧିକ ଜୋରଦାର କରାଯିବ ବୋଲି ଏସ୍‍ପି ଡକ୍ଟର କନୱର ବିଶାଳ ସିଂହ ସୂଚନା ଦେଇଛନ୍ତି ।

Comments are closed.