www.samajalive.in
Monday, December 15, 2025
26.1 C
Bhubaneswar

ରାଜ୍ୟ ପାଇଁ ଶୁଭ ସଙ୍କେତ: ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

ପୁରୀ : ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନାରେ ସୋମବାର ପୂର୍ବାହ୍ଣରେ ଶୂନ୍ୟଗଣ୍ଠି ପଡ଼ିଥିବା ଦେଖିବାକୁ ମିଳିଛି। ନୀଳଚକ୍ରରେ ଲାଗିଥିବା ବାନାଗୁଡ଼ିକ ଉଡ଼ିବା ସମୟରେ ଆପେ ଆପେ ପରସ୍ପର ମଧ୍ୟରେ ଗଣ୍ଠି ପଡ଼ିଲେ ତାହାକୁ ଶୂନ୍ୟଗଣ୍ଠି କୁହାଯାଇଥାଏ। ଯାହା ପ୍ରାୟ ଦେଖିବାକୁ ମିଳି ନ ଥାଏ। ପ୍ରତ୍ୟେକ ଦିନ ପରି ରବିବାର ଅପରାହ୍ଣରେ ଚୂନରା ସେବାୟତ ଶ୍ରୀମନ୍ଦିର ଉପରକୁ ଚଢ଼ି ପତିତପାବନ ବାନା ବାନ୍ଧିଥିଲେ। ନୀଳଚକ୍ରରେ ଲାଗିଥିବା ଅକ୍ଷୟଦଣ୍ଡ ବା ବାଉଁଶରେ ଗୋଟିଏ ବାନା ଲାଗିଥିବା ବେଳେ ଅନ୍ୟ ବାନାଗୁଡ଼ିକ ନୀଳଚକ୍ରରେ ବନ୍ଧା ଯାଇଥିଲା। ସୋମବାର ସକାଳେ ନୀଳଚକ୍ରରେ ଲାଗିଥିବା ପତିତପାବନ ବାନାରେ ଶୂନ୍ୟଗଣ୍ଠି ପଡ଼ିଥିବା ନଜରକୁ ଆସିଥିଲା। ରାତିରେ ପବନ କାରଣରୁ ନୀଳଚକ୍ରରେ ଲାଗିଥିବା ବାନାରେ ଶୂନ୍ୟଗଣ୍ଠି ପଡ଼ିଥିବା ଅନୁମାନ କରାଯାଉଛି। ସୋମବାର ଅପରାହ୍ଣରେ ଚୂନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଯିବା ସମୟରେ ଶୂନ୍ୟଗଣ୍ଠି ପଡ଼ିଥିବା ବାନାଗୁଡ଼ିକୁ ଓଲାଗି କରି ଆଣିଥିଲେ। ପୂର୍ବରୁ ଶ୍ରୀମନ୍ଦିର ନୀଳଚକ୍ରରେ ୧୫୧ ହାତ ବାନା ସହ ଏକାଧିକ ବାନା ଲାଗୁଥିଲା। ଫଳରେ ବାନାଗୁଡ଼ିକ ମଧ୍ୟରେ ଶୂନ୍ୟଗଣ୍ଠି ଦେଖିବାକୁ ମିଳୁଥିଲା। ଏବେ ନୀଳଚକ୍ରରେ ୧୪ ହାତିଆ ବାନା ଲାଗିଥିବାରୁ ପୂର୍ବଭଳି ଶୂନ୍ୟଗଣ୍ଠି ଦେଖିବାକୁ ମିଳୁନି। କାଁ ଭାଁ କେତେବେଳେ ଶୂନ୍ୟଗଣ୍ଠି ପଡୁଛି। ତେବେ ଶୂନ୍ୟଗଣ୍ଠି ପଡ଼ିଲେ ଏହା ରାଜ୍ୟ ତଥା ରାଷ୍ଟ୍ର ପାଇଁ ମଙ୍ଗଳକର ହୋଇଥାଏ ବୋଲି ବିଶ୍ବାସ ରହିଛି। କାରଣ ଶୂନ୍ୟଗଣ୍ଠି ପକାଇ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ଦୈବୀ ଦୁର୍ବିପାକକୁ ଟଳାଇଦେଇ ମହାପ୍ରଭୁ ପ୍ରଜାଜନଙ୍କୁ ସୁରକ୍ଷା ଦେଇଥାନ୍ତି ବୋଲି ସାଧାରଣରେ ବିଶ୍ବାସ ରହିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories