ପୁରୀ : ତିନିରଥ ପାଇଁ ୨୧ ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପ୍ରତ୍ୟେକ ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରାଯିବ। ପାଞ୍ଚ ଦଣ୍ଡା ନିର୍ମାଣ ପାଇଁ ଶୁକ୍ରବାର ମହାରଣା ଅନୁକୂଳ ପୂଜା କରିଛନ୍ତି। ଏହାପରେ କାଠଗୁଡ଼ିକୁ ଚଉପଟ କରାଯାଉଛି। ଏଥିପାଇଁ ୪୦ ଫୁଟିଆ କାଠର ଯୋଗାଇ ଦିଆଯାଇଛି। ତିନି ରଥର ୪ଟି ଲେଖାଏଁ ୧୪ ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇଛି। ଚାରି ନାହାକାର ଉଭୟ ପାର୍ଶ୍ବରେ ସାଲ କରାଯାଉଛି। ଦୁଇଟି ଲେଖାଏଁ ଗରଗରାର ଉଭୟ ପାର୍ଶ୍ବ ବିନ୍ଧ କରାଯାଇଛି। ଏହାସହ ଅଖଗୁଡ଼ିକର ଦୁଇପାର୍ଶ୍ୱରେ ଗୋଲେଇ ଶେଷ ହୋଇଛି।
ରୂପକାରମାନେ ତିନିରଥର ସିଂହାସନ ମୁହାଁଟି ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେଥିରେ ଚିତ୍ର ଅଙ୍କନ କରି ରୂପ ଖୋଦେଇ ଆରମ୍ଭ କରାଯାଇଛି। ତିନି ରଥର ସାଲ ଗୁଜଗୁଡ଼ିକରେ ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାପରେ ତିନିରଥର ୮ଟି ଲେଖାଏଁ ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ କରାଯିବ। କରତିମାନେ ତାଳଧ୍ବଜ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଶେଷ କରିଛନ୍ତି। ନନ୍ଦିଘୋଷ ରଥର ୪୦ ଫୁଟିଆ ଧଉରା କାଠର ଚିତା କାର୍ଯ୍ୟ କରାଯାଉଛି। ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ ଓଝା ସେବକ ତିନିରଥର ଦଣ୍ଡା ପାଇଁ ଦଣ୍ଡାବିଡ଼ିଆ କଣ୍ଟା ଏବଂ ଗୟଳ କଣ୍ଟା ସହ ଗରଗରା କଣ୍ଟା ପ୍ରସ୍ତୁତ କରୁଛନ୍ତି। ପହି ମହାରଣାମାନେ ଦୋଳବେଦୀରେ ଅଣସର ତଥା ରଥ ଯାତ୍ରାରେ ସେବା ନୀତି ନିମନ୍ତେ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି।
ଅଖ ନିର୍ମାଣ ଶେଷ, ଦଣ୍ଡା ନିର୍ମାଣ ଅନୁକୂଳ
Popular Categories



