www.samajalive.in
Saturday, December 6, 2025
14.1 C
Bhubaneswar

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସୋମବାର ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ସେଥିରେ ସଭାପତିତ୍ୱ କରିବେ। ଆଲୋଚନା ପାଇଁ ୮ଟି ପ୍ରସ୍ତାବ ରଖାଯାଇଛି। ସଂଶୋଧିତ ୟୁନିଫର୍ମ ପଲିସ୍‍ ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମି ବିକ୍ରି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବ। ରାଜ୍ୟର ୩୦ଟି ଜିଲାରେ ପ୍ରାୟ ୬୨ହଜାର ଏକର ଜମି ଶ୍ରୀଜୀଉଙ୍କ ନାମରେ ରହିଛି। ନିର୍ଦ୍ଧାରିତ ଦରରେ ଜମି ବିକ୍ରି ପାଇଁ ଜିଲାପାଳମାନଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଚଳିତବର୍ଷ ଜମି ବିକ୍ରିରୁ ପ୍ରାୟ ୫୦କୋଟି ଟଙ୍କା ରାଜସ୍ୱ ଆଦାୟ ସମ୍ଭାବନା ରହିଛି। ୟୁନିଫର୍ମ ପଲିସ୍‍ ଖୁବ୍‍ଶୀଘ୍ର ସରକାରୀ ସ୍ୱୀକୃତି ଲାଭ କରିବ। ଶ୍ରୀଜଗନ୍ନାଥଙ୍କ ଜମି କିଣିବା ପାଇଁ ୫ହଜାରରୁ ଊର୍ଦ୍ଧ୍ବ ଦଖଲକାରୀ ମନ୍ଦିର ପ୍ରଶାସନ ପାଖରେ ଦରଖାସ୍ତ କରିଛନ୍ତି। ଖୋର୍ଦ୍ଧା, ବ୍ରହ୍ମପୁର ଏବଂ ଜଟଣୀ ତହସିଲ ଅଧୀନରେ ଥିବା କେତେକ ମୂଲ୍ୟବାନ ଜମି ପ୍ରଥମ ପର୍ଯ୍ୟାୟରେ ବିକ୍ରି କରାଯିବା ପ୍ରସ୍ତାବ ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଏଥିପାଇଁ ପରିଚାଳନା କମିଟିର ଅନୁମୋଦନ ଜରୁରୀ। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ସୁପାରିସ୍‍ ସୋମବାର ବୈଠକରେ ଉପସ୍ଥାପନ କରାଯିବ। ଶ୍ରୀମନ୍ଦିରରେ ଧାଡିଦର୍ଶନକୁ ବିରୋଧ କରି ଗତମାସ ୩ତାରିଖ ଦିନ ପୁରୀବନ୍ଦ ସମୟରେ କେତେକ ବ୍ୟକ୍ତି ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ଏହାଛଡା ଶ୍ରୀମନ୍ଦିର ସୂଚନାକେନ୍ଦ୍ର ଭଙ୍ଗାଯାଇଥିଲା। ଏହାର ପରିବର୍ଦ୍ଧିତ କ୍ଷୟକ୍ଷତି ଆକଳନ ରିପୋର୍ଟ ପରିଚାଳନା କମିଟି ବୈଠକରେ ଅନୁମୋଦନ କରାଯିବ।
ସେହିପରି ଜିଲାଜଜ୍‍ଙ୍କ ସୁପାରିସକୁ ଭିତ୍ତିକରି ୧୨ଟି ପ୍ରସ୍ତାବ କାର୍ଯ୍ୟକାରୀ ସମ୍ପର୍କରେ ଆଲୋଚନା ପାଇଁ ଏଜେଣ୍ଡା ରହିଛି। ସେବକଙ୍କ ବଂଶାନୁକ୍ରମିକ ସେବାସ୍ୱତ୍ୱ ଉଚ୍ଛେଦ, ମନ୍ଦିର ଭିତରେ ସେବକଙ୍କ ଦ୍ୱାରା ଦାନଦକ୍ଷିଣା ଓ ଅନ୍ନଦାନ ଆଟିକା ଆଦାୟ ବନ୍ଦ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ସଂଶୋଧନ ସମ୍ପର୍କରେ ମନ୍ଦିର ପ୍ରଶାସନ ପୁଣିଥରେ ପରିଚାଳନା କମିଟିର ମତାମତ ଲୋଡିଛି। ତେଣୁ ଏଜେଣ୍ଡାରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଛି। ମହାପ୍ରସାଦ ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କାର୍ତ୍ତିକମାସରେ ହବିଷିଆଳିଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ମହାପ୍ରସାଦ ମୂଲ୍ୟ ଭରଣା ସମ୍ପର୍କରେ ନିଷ୍ପତ୍ତି ନିଆଯିବ।
କାର୍ତ୍ତିକମାସରେ ଶ୍ରୀଜୀଉଙ୍କ ସେବାପୂଜା ଓ ନୀତି ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ଏହାଛଡା ଅନ୍ନଦାନ ଆଟିକା ଆଦାୟ ବନ୍ଦ, ରୋଷଶାଳା ଚୁଲି ମନ୍ଦିର ପ୍ରଶାସନ ମାଲିକାନାକୁ ଅଣାଯିବା, ସେବକ ଓ କର୍ମଚାରୀଙ୍କୁ ପରିଚୟପତ୍ର ପ୍ରଦାନ ପାଇଁ ଗଠିତ ସବ୍‍କମିଟି ରିପୋର୍ଟ ସୋମବାର ବୈଠକରେ ଆଗତ କରାଯିବ। ବ୍ରହ୍ମବିଭ୍ରାଟ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories