www.samajalive.in
Saturday, December 6, 2025
15.1 C
Bhubaneswar

ଟ୍ରେଜେରିକୁ ଯିବ ରତ୍ନଭଣ୍ଡାର ଚାବି

ପୁରୀ : ଜିଲା କୋଷାଗାର (ଟ୍ରେଜେରି)ରେ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି। ଜିଲା ରେକର୍ଡରୁମ୍‍ରୁ ମିଳିଥିବା ୨ଟି ଚାବି ଖୁବ୍‍ଶୀଘ୍ର ଟ୍ରେଜେରି ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ବଦଳି ହୋଇଥିବାରୁ ଦାୟିତ୍ୱ ହସ୍ତାନ୍ତର ପୂର୍ବରୁ ସେ ରତ୍ନଭଣ୍ଡାର ଚାବି ଟ୍ରେଜେରିରେ ଜମା କରିବେ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁଯାୟୀ ରତ୍ନଭଣ୍ଡାର ଚାବି ଟ୍ରେଜେରିରେ ରଖାଯିବା କଥା। କିନ୍ତୁ ୧୯୭୦ ମସିହା ପରଠାରୁ ଚାବି ଆଉ ଟ୍ରେଜେରିକୁ ଫେରିନାହିଁ। ଦୀର୍ଘ ୪୮ବର୍ଷ ପରେ ଡୁପ୍ଲିକେଟ ଚାବି ଟ୍ରେଜେରି ଷ୍ଟ୍ରଙ୍ଗରୁମ୍‍ରେ ରଖାଯିବ।
ଜିଲାପାଳ ଶ୍ରୀ ଅଗ୍ରୱାଲ ଶନିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ
ଆଲୋଚନା କରିଛନ୍ତି। ତଦନ୍ତ କମିଶନଙ୍କ ପାଖରେ ସତ୍ୟପାଠ ଦାଖଲ ପୂର୍ବରୁ ଜିଲାପାଳ ଏପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ତେଣୁ ୨ଦିନ ଧରି ଅଭିଜ୍ଞ ଅଫିସର ଓ ବରିଷ୍ଠ ଆଇନଜୀବୀଙ୍କ ସହ ବିଚାର ବିମର୍ଶ କରାଯାଉଛି। ରତ୍ନଭଣ୍ଡାର ଚାବି ଖୋଜାଖୋଜି ବେଳେ ଜିଲା ରେକର୍ଡରୁମ୍‍ରୁ ୨ଟି ଚାବିଥିବା ଗୋଟିଏ ଜଉମୁଦ ସିଲ୍‍ ଲଫାପା ମିଳିଛି। ତାହା ଡୁପ୍ଲିକେଟ ଚାବି ବୋଲି ଲଫାପା ଉପରେ ଲେଖାଯାଇଛି। କିନ୍ତୁ ଶ୍ରୀମନ୍ଦିର ଆଇନ କିମ୍ବା ରେକର୍ଡ ଅଫ୍‍ ରାଇଟ୍ସ (ସ୍ୱତ୍ୱଲିପି)ରେ ଡୁପ୍ଲିକେଟ ଚାବି ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ତେଣୁ ଜିଲା ରେକର୍ଡରୁମ୍‍ରୁ ମିଳିଥିବା ୨ଟି ଚାବି ମଧ୍ୟରୁ ଗୋଟିଏ ମୂଳଚାବି ଏବଂ ଅନ୍ୟଟି ଦ୍ୱିତୀୟ ଚାବି ବୋଲି କୁହାଯାଉଛି। ଜିଲା ପ୍ରଶାସନଠାରୁ ଡୁପ୍ଲିକେଟ ଚାବି ନେବାକୁ ମନ୍ଦିର ପ୍ରଶାସନ ଏପର୍ଯ୍ୟନ୍ତ ଦାବି କରିନାହିଁ। ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ସୁପାରିସକୁ ମନ୍ଦିର ପ୍ରଶାସନ ଅପେକ୍ଷା କରିଛି। ଜିଲା ପ୍ରଶାସନ ପାଖରେ ରତ୍ନଭଣ୍ଡାର ଡୁପ୍ଲିକେଟ ଚାବି ରହିଛି। ଏପରି ପରିସ୍ଥିତିରେ ରାଜ୍ୟ ସରକାର ଜିଲାପାଳ ଶ୍ରୀ ଅଗ୍ରୱାଲଙ୍କୁ କଟକ ବଦଳି କରିଛନ୍ତି। ପୁରୀ ଛାଡିବା ପୂର୍ବରୁ ଟ୍ରେଜେରିକୁ ଚାବି ହସ୍ତାନ୍ତର କରି ଡୁପ୍ଲିକେଟ ଚାବି ବିବାଦରେ ପୂର୍ଣ୍ଣଛେଦ ଟାଣିବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। ଏଥିନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଟ୍ରେଜେରି ଷ୍ଟ୍ରଙ୍ଗରୁମ୍‍ରେ ରତ୍ନଭଣ୍ଡାର ଚାବି ରଖାଯିବ। ଏଥିପାଇଁ ସ୍ୱତନ୍ତ୍ର ରେଜିଷ୍ଟର (ଖାତା) ପ୍ରସ୍ତୁତ କରାଯାଉଛି। ରତ୍ନଭଣ୍ଡାର ଚାବି ତତ୍ତ୍ୱାବଧାରକ ଭାବେ ଟ୍ରେଜେରି ଅଫିସର କିମ୍ବା ଜିଲାପାଳଙ୍କ ପରିବର୍ତ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କାର୍ଯ୍ୟ କରିବେ। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ପ୍ରଶାସନ ଚିନ୍ତା କରୁଛି। ସୋମବାର କିମ୍ବା ମଙ୍ଗଳବାର ରତ୍ନଭଣ୍ଡାର ଡୁପ୍ଲିକେଟ ଚାବି ଜିଲା ପ୍ରଶାସନ ଟ୍ରେଜେରିକୁ ହସ୍ତାନ୍ତର କରିବାର ସମ୍ଭାବନା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories