ସମାଜ ଡିଜିଟାଲ ଡେସ୍କ: ଜୀବନରେ ସବୁଠି ବିଫଳ ହୋଇଥିଲେ । କୌଣସି ଉପାୟ ନପାଇ ଅଫିସରେ ହିଁ ଆତ୍ମହତ୍ୟା କରିଦେଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁଣେର ହିଞ୍ଜୱାଡି ଅଞ୍ଚଳରେ । ଏକ ଆଇଟି କମ୍ପାନୀରେ କାମ କରୁଥିବା ଜଣେ ୨୩ବର୍ଷୀୟ ଇଞ୍ଜିନିୟର ନିଜ ଅଫିସ କୋଠାର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସୋମବାର ସକାଳ ପ୍ରାୟ ୧୦.୩୦ମିନିଟରେ ଏହି ଘଟଣା ଘଟିଥିଲା । ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ନାସିକର ପୀୟୁଷ ଅଶୋକ କୱାଡେ । ଗତ ଦେଢ ବର୍ଷ ହେବ ସେ ଏଟଲସ୍ କପକୋ ନାମକ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ ।
ଅଫିସରେ ସବୁଦିନ ଭଳି କାମ ଚାଲିଥିବା ବେଳେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା । ପୀୟୁଷ ଘଟଣା ଦିନ ଏକ ବୈଠକରେ ଯୋଗ ଦେଉଥିଲେ, ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ବୈଠକ ଛାଡି ଚାଲି ଯାଇଥିଳେ । କେହି ଭାବିନଥିଲେ ଯେ ମାତ୍ର କିଛି ମିନିଟ୍ ମଧ୍ୟରେ ସେ ଏତେ ବଡ ପଦକ୍ଷେପ ନେବେ । ଯେତେବେଳେ ଅଫିସରେ ଥିବା ଲୋକମାନେ ତାଙ୍କୁ କୋଠାରୁ ତଳକୁ ପଡିବାର ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ତୁରନ୍ତ ପୁଲିସକୁ ଖବର ଦେବାରୁ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ମୃତ୍ୟୁ ପୂର୍ବରୁ ପୀୟୁଷ ଏକ ହାତ ଲେଖା ଚିଠି ଲେଖିଥିଲେ । ଯାହାକୁ ପୁଲିସ ଜବତ କରିଛି । ସେଥିରେ ଲେଖା ଅଛି’ ମୁଁ ଜୀବନରେ ସବୁଠି ବିଫଳ ହୋଇଛି । ଦୟାକରି ମୋତେ କ୍ଷମା କରନ୍ତୁ’’ । ସେ ତାଙ୍କ ବାପାଙ୍କ ପାଇଁ ଏକ ବାର୍ତ୍ତା ମଧ୍ୟ ଛାଡିଥିଲେ । ଯେଉଁଥିରେ ପୀୟୁଷ କହିଥିଲେ ଯେ ସେ ତାଙ୍କ ଯୋଗ୍ୟ ପୁଅ ନୁହଁନ୍ତି ଏବଂ ତାଙ୍କ ପଦକ୍ଷେପ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।
ହାତଲେଖା ଚିଠିରୁ ଜଣାପଡିଛି ଯେ ପୀୟୁଷ ଭିତରୁ ଭାଙ୍ଗି ପଡିଥିଲେ, ଏବଂ ଜୀବନରେ ଅସଫଳ ଅନୁଭବ କରୁଥିଲେ । ଚିଠିରେ କୌଣସି ସ୍ଥାନରେ ଚାକିରି ସମ୍ବନ୍ଧୀୟ ସମସ୍ୟା କିମ୍ବା ଅଫିସ ଚାପ ବିଷୟରେ ଉଲ୍ଲେଖ କରିନଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ପୀୟୁଷଙ୍କ ମୃତ୍ୟୁ ପରେ ମାନସିକ ଚାପ ଏବଂ ଅବସାଦ ଭଳି ସମସ୍ୟା ପୁଣି ଥରେ ସାମ୍ନାକୁ ଆସିଛି । ବିଶେଷ କରି ଯୁବପିଢିଙ୍କ କ୍ଷେତ୍ରରେ ଏଭଳି କାହିଁକି ଘଟୁଛୁ ତାହା ସବୁଠୁ ବଡ ପ୍ରଶ୍ପବାଚୀ । ତେବେ ଅନେକ ସମୟରେ ଲୋକମାନେ ନିଜର ଭାବନା ଏବଂ ସମସ୍ୟା କାହା ସହିତ ସେୟାର କରନ୍ତି ନାହିଁ । ବାହାରକୁ ସବୁକିଛି ଠିକ୍ ଦେଖାଯାଏ, କିନ୍ତୁ ଭିତରେ ଜଣେ ବ୍ୟକ୍ତି ବହୁତ କଷ୍ଟ ପାଉଥାଏ ।
ଜୀବନରେ ସବୁଠି ବିଫଳ ହେଲି-ଏମିତି ଲେଖି ସାତ ମହଲାରୁ ଡେଇଁପଡିଲେ ଆଇଟି ଇଞ୍ଜିନିୟର
Popular Categories



