ପୁଲୱାମାରେ ପୁଣି ଜଣେ ପୁଲିସକର୍ମୀ ଅପହୃତ

0

ଜାମ୍ମୁ : ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ଆଜିକାଲି ସୁରକ୍ଷାବାହିନୀକୁ ନିଶାଣ କରୁଛନ୍ତି। ସୁରକ୍ଷା ବାହିନୀଙ୍କ ମନବଳ ଭାଙ୍ଗିବା ନିମନ୍ତେ ସେମାନେ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ସେମାନେ ସୁରକ୍ଷାକର୍ମୀଙ୍କୁ ପ୍ରଥମେ ଅପହରଣ ଓ ପରେ ବର୍ବରୋଚିତ ହତ୍ୟା କରୁଛନ୍ତି। ଜାମ୍ମୁ-କାଶ୍ମୀର ପୁଲିସ କନଷ୍ଟେବଳ ସଲିମ ଶାହଙ୍କୁ ଅପହରଣ ଓ ହତ୍ୟା ଘଟଣାର ପ୍ରାୟ ଏକ ସପ୍ତାହ ପରେ ଆତଙ୍କବାଦୀମାନେ ଶନିବାର ଜାମ୍ମୁ-କାଶ୍ମୀର ସ୍ୱତନ୍ତ୍ର ପୁଲିସକର୍ମୀ ସକିଲ ଅହମ୍ମଦ ଲୋନଙ୍କୁ ଅପହରଣ କରିନେଇଛନ୍ତି। ତାଙ୍କୁ ପୁଲୱାମା ଜିଲା ଅନ୍ତର୍ଗତ ତ୍ରାଲର ଚାନକିତାରଠାରୁ ଅପହରଣ କରାଯାଇଛି। ସକିଲ ଅୱନ୍ତିପୁରଠାରେ ଜଣେ ରୋଷେୟା ଭାବେ ମୁତୟନ ଥିଲେ। ଚାନକିତାରସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିଯାଇଥିବାବେଳେ ତାଙ୍କୁ ଅପହରଣ କରାଯାଇଥିବା ତାଙ୍କ ପରିବାର ଲୋକେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଲୋନଙ୍କ ଅନୁସନ୍ଧାନ ନିମନ୍ତେ ରାଜ୍ୟ ପୁଲିସ ପକ୍ଷରୁ ଏକାଧିକ ସନ୍ଧାନକାରୀ ଦଳ ଗଠନ କରାଯାଇଛି। ଏହି ଦଳ ଇତିମଧ୍ୟରେ ବିଭିନ୍ନ ସ୍ଥାନରେ ଅନୁସନ୍ଧାନ କରିବା ସହିତ ଲୋକଙ୍କ ସମ୍ବନ୍ଧରେ ବହୁ ଲୋକଙ୍କୁ ପଚରାଉଚୁରା ଜାରି ରଖିଛି।
ଏକ ସପ୍ତାହ ପୂର୍ବେ କୁଲଗାମର ମୁତାଲହମାଠାରେ ପୁଲିସ କନଷ୍ଟେବଳ ସଲିମ ସାହାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ କହିଛି, କାଠୁଆଠାରେ ଏକ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାପରେ ସଲିମ ଛୁଟି ନେଇ ନିଜ ଘରକୁ ଚାଲିଯାଇଥିଲେ। ଜୁଲାଇ ୨୦-୨୧ ରାତିରେ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ତାଙ୍କୁ ତାଙ୍କ ସେଠାରୁ ଉଠାଇନେଇ ହତ୍ୟା କରିଥିଲେ। ଜୁଲାଇ ୬ରେ କନଷ୍ଟେବଳ ଜାଭେଦ୍‍ ଅହମ୍ମଦ ଦର ମଧ୍ୟ ଛୁଟିରେ ଥିବାବେଳେ ସୋପିଆନର ବେହିଲଠାରୁ ତାଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ପରଦିନ ତାଙ୍କ ମୃତଦେହ କୁଲଗାମର ପରିୱାନଠାରୁ ଉଦ୍ଧାର କରାଯାଇଥିଲା।

Leave A Reply