ପୁଡୁଚେରୀ: ପୁଡୁଚେରୀ ପ୍ରତି କେନ୍ଦ୍ର ସରକାର ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ। ସେ କହିଛନ୍ତି, କେନ୍ଦ୍ର ସରକାର ନିଜ ସୁବିଧା ଅନୁସାରେ ପୁଡୁଚେରୀକୁ କେତେବେଳେ ରାଜ୍ୟ ତ ଆଉ କେତେବେଳେ କେନ୍ଦ୍ର ଶାସିତ ଅଞ୍ଚଳ ବୋଲି କହୁଛନ୍ତି। ଏହାଠାରୁ ଭଲ କେନ୍ଦ୍ର ଆମ(ପୁଡୁଚେରୀ)କୁ ଟ୍ରାନ୍ସଜେଣ୍ଡର ବା ତୃତୀୟଲିଙ୍ଗୀ ଘୋଷଣା କରିଦେଉ।
ନାରାୟଣସାମୀ ପୁଡୁଚେରୀରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ଭାରତ ସରକାରଙ୍କ ନୀତିଗୁଡ଼ିକ ପାଇଁ ଆମେ ନା ଏପଟେ ହୋଇପାରୁଛୁ ନା ସେପଟେ। ସରକାର ନିଜ ସୁବିଧା ଅନୁସାରେ ଆମ ସହିତ କେତେବେଳେ ରାଜ୍ୟ ତ ଆଉ କେତେବେଳେ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଆମ ସ୍ଥିତି ଏଭଳି ରହିଛି। ସରକାର ପୁଡୁଚେରୀକୁ ଟ୍ରାନ୍ସଜେଣ୍ଡର ଘୋଷିତ କରିଦେବା ଆବଶ୍ୟକ। ସେ ଆହୁରି କହିଥିଲେ ଯେ, ପୁଡୁଚେରୀ ପ୍ରଶାସନକୁ ଦିଲ୍ଲୀ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ପୁଡୁଚେରୀ ଏବଂ ଦିଲ୍ଲୀ ଦୁଇଟି ଯାକ ଏକ କଠିନ ସ୍ଥିତିରେ ରହିଛନ୍ତି। ଯେଉଁ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ରହିଛି ସେଠାରେ ଏଭଳି ସମସ୍ୟା ରହିଛି। ଜିଏସଟି ଉଦାହରଣ ଦେଇ ନାରାୟଣସାମୀ କହିଥିଲେ, ଜିଏସଟି ପ୍ରସଙ୍ଗରେ ଆମ ସହିତ ରାଜ୍ୟ ଭଳି ବ୍ୟବହାର କରାଯାଉଛି ଏବଂ ଜିଏସଟି ବାବଦ ଅର୍ଥ ନିଆଯାଉଛି। କିନ୍ତୁ ଯେତେବେଳେ ବିଭିନ୍ନ ଯୋଜନା ଲାଗୁ କରିବାକୁ କୁହାଯାଉଛି, ସେତେବେଳେ ଆମ ସହିତ କେନ୍ଦ୍ରଶାସିତ ଅଞ୍ଚଳ ଭଳି ବ୍ୟବହାର କରାଯାଉଛି।
ତେବେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଉପରାଜ୍ୟପାଳ କିରଣ ବେଦୀ ପ୍ରତ୍ୟୁତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ପୁଡୁଚେରୀର ଆବଶ୍ୟକତା ପ୍ରତି ସମ୍ପୂର୍ଣ୍ଣ ଭାବେ ସମ୍ବେଦନଶୀଳ ଅଛନ୍ତି। କେନ୍ଦ୍ର ଲଗାତର କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପ୍ରତି ନଜର ରଖିଆସୁଛି, ଯାହାଫଳରେ ସେଠାକାର ଲୋକଙ୍କ ସେବା କରାଯାଇପାରିବ।



