ଜୋରିମାନା ଆଦାୟକୁ ଟ୍ରାକ୍ଟର ମାଲିକଙ୍କ ବିରୋଧ

ବ୍ରହ୍ମପୁର: ଲଘୁ ଖଣିଜ ଦ୍ରବ୍ୟ, ବାଲି ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରାଯାଉଥିବା ଟ୍ରାକ୍ଟରଗୁଡ଼ିକଠାରୁ ଅହେତୁକ ଜୋରିମାନା ଆଦାୟ କରାଯାଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଛି ଟ୍ରାକ୍ଟର ମାଲିକ ସଂଘ । ବୁଧବାର ଏନେଇ ଏକ ଦାବିପତ୍ର ଉପଜିଲାପାଳଙ୍କୁ ପ୍ରଦାନ କରାଯିବା ସହ ଜୋରିମାନା ଶୋଷଣ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି ।

ସଂଘ ତରଫରୁ କୁହାଯାଇଛି ଯେ, ବିଗତ ୫ ବର୍ଷ ଧରି ଟ୍ରାକ୍ଟର ମାଲିକମାନଙ୍କ ଉପରେ ପ୍ରଶାସନ ଅହେତୁକ ଜୋରିମାନା ଆଦାୟ କରିବା ସହିତ ଜୀବିକା ବନ୍ଦ କରିବାକୁ ଚକ୍ରାନ୍ତ ଚଳାଇଛି । ସରଳ ଏବଂ ସମସ୍ୟା ବିହୀନ ମାଲ୍‌ ପରିବହନ କରିବା କଷ୍ଟକର ହୋଇପଡ଼ୁଛି । ଏଣୁ ପାଖାପାଖି ୫ ଶହ ଟ୍ରାକ୍ଟର ମାଲିକ ନିଜ ଜୀବକା ହରାଇବା ସହ ନାନା ଚିନ୍ତାରେ ବଞ୍ଚୁଛନ୍ତି । ଏମାନଙ୍କ ସହ ଜଡିତ ଥିବା ଶ୍ରମିକ ଏବଂ ଚାଳକମାନଙ୍କ ଅବସ୍ଥା କହିଲେ ନ ସରେ । ଏଣୁ ଟ୍ରାକ୍ଟର ଗୁଡିକର ସରଳ ଏବଂ ବ୍ୟବସ୍ଥିତ ପରିବହନ ପାଇଁ ମୋରମ୍ ଏବଂ ପଥର ଖାଦାନକୁ ଲିଜ୍ ସୂତ୍ରରେ ଦିଆଯାଉ । ପ୍ରତ୍ୟେକ ଗାଡିକୁ ୱାଇ ଫର୍ମ କିମ୍ବା ଜିଏସ୍‌ଟି ବିଲ୍‌ରେ କୌଣସି ପ୍ରକାର ତୃଟି କିମ୍ବା ନକଲି ହୋଇଥିଲେ ଗାଡ଼ି ମାଲିକଙ୍କୁ ଦୋଷୀ କରାଯିବା ସହିତ ଜୋରିମାନା ଆଦାୟ କରାଯାଉଛି । ଏହାର ସତ୍ୟାସତ୍ୟ ଉପଯୁକ୍ତ ଭାବେ ଯାଞ୍ଚ ପରେ ହିଁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ବ୍ରହ୍ମପୁର ସହରର ପ୍ରାୟ ରାସ୍ତା ଅଣଓଷାରିଆ ହୋଇଥିବା ଯୋଗୁ ଟ୍ରକ ଯୋଗେ ପରିବହନ କରିବା ଅସମ୍ଭବ ହୋଇପଡ଼ୁଛି । ଏହା ଫଳରେ ଟ୍ରକ୍‌ରେ ଆସୁଥିବା ବାଲିକୁ ନିର୍ଦ୍ଧିଷ୍ଟ ଜାଗାରେ ରଖିବା ପରେ ତାହାକୁ ଟ୍ରାକ୍ଟର ଯୋଗେ ଯୋଗାଣ କରାଯାଉଛି । କିନ୍ତୁ ଅନେକ ସମୟରେ ବାଲି ପରିବହନ ସମୟରେ ପ୍ରଶାସନର ଚଢ଼ଉ କରାଯାଉଛି । ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି । ଏସବୁ ବିଷୟକୁ ଧ୍ୟାନ ଦେବା ସହିତ ଟ୍ରାକ୍ଟର ମାଲିକଙ୍କ ଦାବିକୁ ପୂରଣ କରିବାକୁ ସେମାନେ ଦାବି କରିଛନ୍ତି । ନ ହେଲେ ଜୀବନ ଜୀବିକାର ସୁରକ୍ଷା ପାଇଁ ବଡ଼ ଆନ୍ଦୋଳନ ଡାକରା ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Comments are closed.